ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି ଦେବଗଡ଼ର ‘ଦରଗଡ଼ି’

Advertisment
ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି ଦେବଗଡ଼ର ‘ଦରଗଡ଼ି’

ଦେବଗଡ଼ : ବାମଣ୍ଡା ତଥା ବର୍ତ୍ତମାନର ଦେବଗଡ଼ ଜିଲ୍ଲାରେ ପ୍ରାକୃତିକ ଶୋଭା ସବୁବେଳେ ସବୁ ସମୟରେ ପ୍ରକୃତିପ୍ରେମୀଙ୍କୁ ବେଶ ଆକର୍ଷିତ କରିଥାଏ। ବିଭିନ୍ନ ସମୟରେ ଜିଲ୍ଲା‌ରେ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ଜିଲ୍ଲା ଗଠନକୁ ୨୬ ବର୍ଷ ପୂରିଥିଲେ ମଧ୍ୟ ଆଜି ବି ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ହୋଇ ପାରି ନାହିଁ। ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ପାଇଁ ବ୍ୟବସ୍ଥା କରାଯାଆନ୍ତା ଅଧିକରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହୁଅନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେବେ ବାରକୋଟ ବ୍ଲକର ଟାଇଁସିରା ଗ୍ରାମରେ ଥିବା ‘ଦରଗଡ଼ି’ ଏବେ ପ୍ରକୃତି ପ୍ରେମୀଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।

publive-image

ପ୍ରାପ୍ତ ସୂଚନା ଅନୁଯାୟୀ, ଦେବଗଡ଼ ସହରଠାରୁ ମାତ୍ର ୭୦ କିଲୋମିଟର ଦୂରରେ ଅବସ୍ଥିତ ଏହି ମନୋରମ ପର୍ଯ୍ୟଟନସ୍ଥଳୀ। ୪୯ ନମ୍ବର ଜାତୀୟ ରାଜପଥ ବାରକୋଟ ବ୍ଲକ ଅନ୍ତର୍ଗତ ଠିଆନାଳ ଗ୍ରାମଠାରୁ ମାତ୍ର ୧୫ କିମି ଆଗକୁ ଗଲେ ପଡ଼ିଥାଏ ଏହି ପର୍ଯ୍ୟଟନସ୍ଥଳୀ। ଉକ୍ତ ପର୍ଯ୍ୟଟନସ୍ଥଳୀ ଦେବଗଡ଼, ସୁନ୍ଦରଗଡ଼ ଏବଂ ଅନୁଗୁଳ ଜିଲ୍ଲାର ମଧ୍ୟସ୍ଥଳୀରେ ଅବସ୍ଥିତ। ସବୁଜ ବଣ ପାହାଡ଼ ପରିବେଷ୍ଟିତ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ପର୍ଯ୍ୟଟନସ୍ଥଳୀରେ ଏକ ପାହାଡ଼ିଆ ଝରଣା କୁଳୁକୁଳୁ ନାଦ କରି ଓ ସୁଉଚ୍ଚ ପଥରମାଳା ଅତିକ୍ରମ କରି ଭୂପୃଷ୍ଠ ଉପରକୁ ବୋହି ଆସୁଥିବା ଦୃଶ୍ୟ ଦେଖିବାକୁ ମିଳିଥାଏ। ଏହି ଜଳକୁଣ୍ଡରୁ ନିର୍ଗତ ଜଳରାଶି ଦ୍ବାରା ନିମ୍ନ ଭାଗରେ ଏକ ଅଗଭୀର ଗଣ୍ଡ ସୃଷ୍ଟି ହୋଇଛି। ନୀଳ ଜଳରାଶି ଓ ଏହାକୁ ପରିବେଷ୍ଟିତ କରିଥିବା ସବୁଜ ବୃକ୍ଷ ରାଜି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହାର ଶାନ୍ତ ପରିବେଶରେ ବଣଭୋଜି କରିବା ମଜା ନିଆରା।

ପ୍ରତିବର୍ଷ ଡିସେମ୍ବର ଓ ଜାନୁଆରି ମାସରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ। ପିକ୍‌ନିକ୍‌ ଋତୁରେ ଏହି ପର୍ଯ୍ୟଟନସ୍ଥଳୀଟି ପର୍ଯ୍ୟଟକଙ୍କ ଭିଡରେ ଉତ୍ସବମୁଖର ହୋଇ ଉଠୁଛି। ଜିଲ୍ଲା ବାହାରୁ ବହୁ ସଂଖ୍ୟାରେ ଲୋକ ଏଠାକୁ ବଣଭୋଜି କରିବାକୁ ଆସିବା ସହ ଉକ୍ତ ମନୋରମ ଦୃଶ୍ୟ ଉପଭୋଗ କରୁଛନ୍ତି। ଏଠାକୁ ଏତେ ସଂଖ୍ୟକ ଲୋକେ ଆସୁଥିବାବେଳେ ଏଠାରେ ସେମାନଙ୍କ ପାଇଁ କିଛି ପିଣ୍ଡିର ବ୍ୟବସ୍ଥା ରହିଛି। ତେବେ ଏତେ ସବୁ ପରେ ବି ଏଠାକାର ବିକାଶ ଯେପରି ହେବାକଥା ତାହା ହୋଇପାରି ନାହିଁ। ଆଜି ବି ଏହି ପର୍ଯ୍ୟଟନସ୍ଥଳୀ ଅନେକ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହି ଯାଇଛି। ଉକ୍ତ ଅଂଚଳବାସୀ ଉକ୍ତ ସ୍ଥାନର ବିକାଶ କରିବା ପାଇଁ ଦାବି କାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe