ୱକଫ୍‌ ବିଲ୍‌କୁ ସମର୍ଥନ ପ୍ରସଙ୍ଗରେ ଦେବାଶିଷଙ୍କ ବିସ୍ଫୋରକ ବୟାନ: ‘ବିବେକ’ ଖେଳରେ ବିଜେଡି ଦୋହଲିଲା

Advertisment

ସସ୍ମିତ ପାତ୍ର ଖଳନାୟକ ନୁହନ୍ତି। ସେ ନିର୍ଦ୍ଦେଶ ଦିଅନ୍ତି ନାହିଁ, ନିର୍ଦ୍ଦେଶକୁ ପାଳନ କରନ୍ତି। ଦଳର ସଭାପତିଙ୍କ ମୁଖ୍ୟ ପରାମର୍ଶଦାତା ହିଁ ଏସବୁ ପାଇଁ ଦାୟୀ। ସେହି ମୁଖ୍ୟ ପରାମର୍ଶଦାତା ଓ ବିଜେପି ମଧ୍ୟରେ ବଡ଼ ଡିଲ୍‌ ହୋଇଛି।

ସସ୍ମିତ ପାତ୍ର ଖଳନାୟକ ନୁହନ୍ତି। ସେ ନିର୍ଦ୍ଦେଶ ଦିଅନ୍ତି ନାହିଁ, ନିର୍ଦ୍ଦେଶକୁ ପାଳନ କରନ୍ତି। ଦଳର ସଭାପତିଙ୍କ ମୁଖ୍ୟ ପରାମର୍ଶଦାତା ହିଁ ଏସବୁ ପାଇଁ ଦାୟୀ। ସେହି ମୁଖ୍ୟ ପରାମର୍ଶଦାତା ଓ ବିଜେପି ମଧ୍ୟରେ ବଡ଼ ଡିଲ୍‌ ହୋଇଛି।

aadzxxz

ଭୁବନେଶ୍ବର: ସସ୍ମିତ ପାତ୍ର ଖଳନାୟକ ନୁହନ୍ତି। ସେ ନିର୍ଦ୍ଦେଶ ଦିଅନ୍ତି ନାହିଁ, ନିର୍ଦ୍ଦେଶକୁ ପାଳନ କରନ୍ତି। ଦଳର ସଭାପତିଙ୍କ ମୁଖ୍ୟ ପରାମର୍ଶଦାତା ହିଁ ଏସବୁ ପାଇଁ ଦାୟୀ। ସେହି ମୁଖ୍ୟ ପରାମର୍ଶଦାତା ଓ ବିଜେପି ମଧ୍ୟରେ ବଡ଼ ଡିଲ୍‌ ହୋଇଛି। ନିକଟରେ ଭିଆର୍‌ଏସ୍‌ ନେଇଥିବା ଜଣେ ଆଇଏଏସ୍‌ ଅଧିକାରୀ ଏହି ଡିଲ୍‌ର ଏକ ଅଂଶ ହୋଇପାରନ୍ତି। ରାଜ୍ୟସଭାରେ ୱକଫ୍‌ ବିଲ୍‌ ପ୍ରସଙ୍ଗରେ ବିଜେଡିର ‘ବିବେକ’ ଖେଳକୁ ନେଇ ଦଳ ଭିତରେ ଗତକାଲିଠାରୁ ଅସନ୍ତୋଷ ଉଗ୍ର ରୂପ ନେଉଛି। ଠିକ୍ ଏହି ସମୟରେ ଆଜି ଏମିତି ଭାଷାରେ ବିସ୍ଫୋରଣ କରିଛନ୍ତି ଦଳର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଯଦିଓ ସେ ମୁଖ୍ୟ ପରାମର୍ଶଦାତାଙ୍କ ନାମ ନେଇନାହାନ୍ତି, ତେବେ ଭିକେ ପାଣ୍ଡିଆନଙ୍କୁ ଇଙ୍ଗିତ କରୁଥିବା ସ୍ପଷ୍ଟ ହୋଇଛି। ସେ ସିଧା ଜଣାଇ ଦେଇଛନ୍ତି, ସେହି ମୁଖ୍ୟ ପରାମର୍ଶଦାତା ରାଜନୀତିରେ ନ ଥାଇ ମଧ୍ୟ ଦଳକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଦଳର ହିତ ପାଇଁ ସେ ଏପରି ପରାମର୍ଶ ଦେଇନାହାନ୍ତି। ବରଂ ବିଜେପି ସହ ତାଙ୍କର ଡିଲ୍‌ ହୋଇଛି। ସେ ନିଜେ ଭୋଟ୍ ଦେବାରୁ ବିରତ ରହିବା ପଛରେ କାରଣ ଦର୍ଶାଇଛନ୍ତି ଯେ ମୋ ବିବେକ ଅନୁଯାୟୀ ସମ୍ବିଧାନ ଓ ଧର୍ମନିରପେକ୍ଷତାକୁ ସମର୍ଥନ ଜଣାଇ ମତଦାନରୁ ଦୂରେଇ ରହିଲି। ଏବେ ବିଜେଡିର ଆଦର୍ଶରେ ବିଶ୍ବାସ କରୁଥିବା କୋଟି କୋଟି ବିଜୁପ୍ରେମୀ ଜାଣିବାକୁ ଚାହାନ୍ତି ଦଳର ଏହି ତରବରିଆ ନିଷ୍ପତ୍ତି ପରିବର୍ତ୍ତନ ପଛରେ ଦାୟୀ କିଏ?

ଦେବାଶିଷଙ୍କ ଏହି ମନ୍ତବ୍ୟ ପରେ ବିଜେଡି ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ବିଜେଡିର ରାଜ୍ୟସଭା ନେତା ସସ୍ମିତ ପାତ୍ରଙ୍କୁ ଢାଲ କରି ଅନ୍ୟ ଜଣେ ନିଜ ସ୍ବାର୍ଥ ପାଇଁ ଏମିତି ଅନ୍ତର୍ଘାତୀ କାମ କରିଥିବା ସ୍ପଷ୍ଟ ହୋଇଛି। ରାଜନୈତିକ ମହଲ ନିଶ୍ଚିତ ଯେ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ ନେଇ ସସ୍ମିତ ପାତ୍ର କଦାପି ଏକା ନିଷ୍ପତ୍ତି ନେଇପାରିବେ ନାହିଁ। ବିଲ୍‌ ବିପକ୍ଷରେ ହ୍ବିପ୍ ଜାରି ନ କରିବା ପାଇଁ ତାଙ୍କୁ ନବୀନ 
ନିବାସରୁ ସ୍ପଷ୍ଟ ନିର୍ଦ୍ଦେଶ ଯାଇଛି। ଆଉ ଏହା ନବୀନଙ୍କ ଜାଣତରେ ହିଁ ଯାଇଛି। ତଥାକଥିତ ମୁଖ୍ୟ ପରାମର୍ଶଦାତା ରାଜନୀତିରେ ନଥିଲେ ବି ନବୀନଙ୍କ ଆଖି, କାନ ହୋଇ ଏବେ ମଧ୍ୟ ରହିଛନ୍ତି। ଭୁବନେଶ୍ବରରୁ ଦିଲ୍ଲୀ, ତାମିଲନାଡ଼ୁ ପର୍ଯ୍ୟନ୍ତ ସେ ତାଙ୍କ ସହ ଛାଇ ପରି ରହୁଛନ୍ତି। ‌ରାଜ୍ୟସଭାରେ ବିଲ୍‌ ଉପରେ ଆଲୋଚନା ଦିନ ହିଁ ନବୀନ ନିବାସରେ ନବୀନଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ନବୀନ କିମ୍ବା ତାଙ୍କ ପରାମର୍ଶଦାତା ସାଂସଦଙ୍କୁ ଫୋନ୍ କରି କହିନାହାନ୍ତି। ନବୀନ ନିବାସରୁ ଆଉ ଜଣେ କର୍ମଚାରୀ ‘ସାର୍‌ ଚାହୁଛନ୍ତି’ କହି ଏହି ନିର୍ଦ୍ଦେଶ ଜାରି କରିଥିଲେ। ତେବେ ପରବର୍ତ୍ତୀ ସମୟରେ ପରୋକ୍ଷ ଭାବେ ସାଂସଦମାନଙ୍କୁ ବିଲ୍‌ ସପକ୍ଷରେ ଭୋଟ୍‌ ଦେବାକୁ ପ୍ରବର୍ତ୍ତାଯାଇଥିଲା। 

ଗତକାଲିଠାରୁ ଏହାକୁ ନେଇ ବିଜେଡିର ନେତାମାନେ ଖପ୍ପା‌ ହୋଇଛନ୍ତି। ବରିଷ୍ଠ ନେତାମାନେ ବିଭିନ୍ନ ପର୍ଯ୍ୟାୟରେ ନବୀନଙ୍କୁ ଭେଟି ଏହି ଭୁଲ୍‌ ନିଷ୍ପତ୍ତି ସମ୍ପର୍କରେ କହିଛନ୍ତି। ନେତାମାନଙ୍କର ପ୍ରଶ୍ନବାଣରେ ନବୀନ ଅପ୍ରସ୍ତୁତ ହୋଇପଡ଼ିଥିଲେ ସତ। କିନ୍ତୁ ଅସ୍ବାଭାବିକ ନଥିଲେ। କେବଳ ଅନୁଧ୍ୟାନ କରିବେ ବୋଲି ଧାଡ଼ିକିଆ ଉତ୍ତର ଦେଇଥିଲେ। ତେବେ ଗଣମାଧ୍ୟମରେ ଓଲଟପାଲଟ ନ କହିବାକୁ ପରାମର୍ଶ ଦେଇଥିଲେ। ଦଳର ଭବିଷ୍ୟତ ପାଇଁ ଏହା ଜରୁରି ଥିବା ସେ କହିଥିଲେ। ସେଥିପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦାୟିତ୍ବ ଦିଆଯାଇଥିଲା। ସେ ନବୀନ ନିବାସରୁ ବାହାରିଲା ପରେ ୱକଫ୍‌ ପ୍ରସଙ୍ଗରେ କୌଣସି ମନ୍ତବ୍ୟ ନ ଦେଇ ସମଦୂରତା କାହାଣୀ ଶୁଣାଇଥିଲେ। ୱକଫ୍‌ ବିଲ୍‌ ପ୍ରସଙ୍ଗରେ ଆଉ ଏକ ରୋଚକ ଘଟଣା ପଦାକୁ ଆସିଛି। ସସ୍ମିତ ପାତ୍ର ଟ୍ବିଟ୍‌ କରି ସାଂସଦଙ୍କ ବିବେକ ଉପରେ ଭୋଟିଂକୁ ଛାଡ଼ି ଦେଲା ପରେ ସଙ୍ଗେ ସଙ୍ଗେ ଦଳ ଭିତରେ କମ୍ପନ ସୃଷ୍ଟି ହୋଇଥିଲା। ଏହା ‌ଯେ ପରୋକ୍ଷରେ ବିଲ୍‌ ସପକ୍ଷରେ ଭୋଟ୍‌ ଦେବାକୁ ବାର୍ତ୍ତା ବୋଲି ସ୍ପଷ୍ଟ ହୋଇଥିଲା। ଏହା ଦ୍ବାରା ଦଳ କ୍ଷତିଗ୍ରସ୍ତ ହେବ ବୋଲି ବିଚାର କରି ବିଜେଡିର କିଛି ବରିଷ୍ଠ ନେତା ସେହି ରାତିରେ ହିଁ ଏକାଠି ହୋଇଥିଲେ। ସାଂସଦମାନଙ୍କୁ ବ୍ୟକ୍ତିଗତ କଲ୍‌ କରି ବିଲ୍‌ ବିପକ୍ଷରେ ଭୋଟ୍‌ ଦେଇ ଦଳର ଭାବମୂର୍ତ୍ତି ବଞ୍ଚାଇବାକୁ ଉଦ୍ୟମ ‌କରାଯିବା ଉପରେ ସମସ୍ତେ ଜୋର୍‌ ଦେଇଥିଲେ। ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ ସାହୁ ଓ ପ୍ରଫୁଲ୍ଲ ସାମଲ ସାଂସଦମାନଙ୍କୁ ଯୋଗାଯୋଗ କରିଥିଲେ। ତତ୍‌କାଳ ସମସ୍ତଙ୍କୁ ଯୋଗାଯୋଗ ସମ୍ଭବ ହୋଇ ନଥିଲେ ମଧ୍ୟ ବିଳମ୍ବିତ ରାତି ସୁଦ୍ଧା ସେମାନେ ସମସ୍ତଙ୍କ ସହିତ କଥା ହେବାରେ ସକ୍ଷମ ହୋଇଥିଲେ। ତେବେ ବିଲ୍‌ ସପକ୍ଷରେ ଦୁଇ ଓ ବିପକ୍ଷରେ ୪ ଜଣଙ୍କର ଭୋଟ୍‌ ଯାଇଥିବା କୁହାଯାଉଛି। 

ଗତକାଲିଠାରୁ ସସ୍ମିତଙ୍କୁ ଖଳନାୟକ ସଜାଯାଇଥିଲେ ବି ସେ ନିଜେ ଏ ଯାଏଁ ମୁହଁ ଖୋଲିନାହାନ୍ତି। ସସ୍ମିତ ଏବେ ବିଦେଶ ଗସ୍ତରେ ଅଛନ୍ତି। କିନ୍ତୁ ସାମାଜିକ ଗଣମାଧ୍ୟମରେ ସବୁବେଳେ ସକ୍ରିୟ ରହୁଥିବା ସସ୍ମିତ କାହା ନିର୍ଦ୍ଦେଶରେ ‘ବିବେକ’ର କଥା ଉଠାଇଲେ, ତାହା ସ୍ପଷ୍ଟ କରୁ ନାହାନ୍ତି। 
ସୂଚନାଯୋଗ୍ୟ ଯେ ଜଣଙ୍କ ପରେ ଜଣେ ନେତା ସଭାପତିଙ୍କୁ ଚିଠି ଲେଖି ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପ୍ରଫୁଲ୍ଲ ସାମଲ ଓ ପ୍ରତାପ ଜେନା ଦଳର ସଭାପତିଙ୍କୁ ଚିଠି ଲେଖିଥିଲା ବେଳେ ଗଣେଶ୍ବର ବେହେରା ମଧ୍ୟ ଗଣମାଧ୍ୟମରେ ସସ୍ମିତ ପାତ୍ରଙ୍କ ଉପରେ ବର୍ଷିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe