ବିତର୍କ: ଭାରତର ଅଦାଲତରେ ରାହୁଲ ବର୍ତ୍ତିବା କ୍ଷୀଣ

ବିତର୍କ: ଭାରତର ଅଦାଲତରେ ରାହୁଲ ବର୍ତ୍ତିବା କ୍ଷୀଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଜ୍ଞାକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଏସଂକ୍ରାନ୍ତ ମାନହାନୀ ମାମଲାରେ ଗୁଜରାଟର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ରାହୁଲଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡ ସହିତ ୧୫ ହଜାର ଟଙ୍କା ଜରିମାନା କରାଯାଇଛି। ତେବେ କୋର୍ଟ ତାଙ୍କୁ ତତ୍‌କ୍ଷଣାତ ଜାମିନ ପ୍ରଦାନ କରିବା ସହିତ ଏହି ଦଣ୍ଡାଦେଶକୁ ୩୦ ଦିନ ପାଇଁ ସସ୍‌ପେଣ୍ଡ କରିଛନ୍ତି। ତେବେ, ଉପରକୋର୍ଟକୁ ଗଲେ ରାହୁଲ ଏହି ଦଣ୍ଡାଦେଶରୁ ବର୍ତ୍ତିପାରିବେ କି? ଏହାଉପରେ ଯାହା କୁହନ୍ତି...

ସପକ୍ଷ

ରାହୁଲ ଗାନ୍ଧି ଏହାକୁ ସ୍ବାଗତ କରନ୍ତୁ
ମାନହାନି ମାମଲାରେ ଗୁଜରାଟର ଏକ ଅଦାଲତ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ଦଣ୍ଡ ପ୍ରଦାନ କରିବାପରେ ତାଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଛି। ରାହୁଲ ଗାନ୍ଧି ଏପରି ନିଷ୍ପତ୍ତିକୁ ସ୍ବାଗତ କରିବା ଉଚିତ। ଲୋକ ପ୍ରତିନିଧି ଆଇନର ‘ଧାରା ୮(୪)’ ଅନୁସାରେ ଯଦି କୌଣସି ସାଂସଦ ବା ବିଧାୟକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତାଙ୍କ ସଦସ୍ୟ ପଦ ତୁରନ୍ତ ଯିବ ନାହିଁ ବୋଲି ପୂର୍ବରୁ ବ୍ୟବସ୍ଥା ଥିଲା। ଅପିଲ ପାଇଁ ସମୟ ମିଳୁଥିଲା। ‘ଲିଲି ଥୋମାସ’ ମାମଲାରେ ସୁପ୍ରିମକୋର୍ଟ ଧାରା ୮(୪))କୁ ଅସାମ୍ବିଧାନିକ କହି ରଦ୍ଦ କରି ଦେଇଥିଲେ।। ଫଳରେ ଯଦି ୨ ବର୍ଷ ବା ଅଧିକ ଦଣ୍ଡ ହୁଏ ତେବେ ସଂପୃକ୍ତ ସାଂସଦ ବା ବିଧାୟକ ତୁରନ୍ତ ପଦ ହରାଇବା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେତେବେଳେ କଂଗ୍ରେସ ସରକାର ଏହି ରାୟକୁ ଅକାମି କରିବାକୁ ଏକ ଅଧ୍ୟା‌ଦେଶ ଆଣିଥିଲେ। କିନ୍ତୁ, ରାହୁଲ ଗାନ୍ଧି ଏପରି ଅଧ୍ୟାଦେଶକୁ ବିରୋଧ କରିଥିଲେ। ତେଣୁ ରାହୁଲ ଗାନ୍ଧି ଯାହା ଇଚ୍ଛା କରିଥିଲେ ତାହା ପୂରଣ ହୋଇଛି। ତେଣୁ ଏହାକୁ ନେଇ ଏବେ ଚିନ୍ତା ବ୍ୟକ୍ତ କରିବା ବା ବିରୋଧ କରିବାର କୌଣସି କାରଣ ନାହିଁ।
ପୀତାମ୍ବର ଆଚାର୍ଯ୍ୟ, ବରିଷ୍ଠ ଆଇନଜୀବୀ

ବିପକ୍ଷ

ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଉପରେ ସବୁକିଛି ନିର୍ଭରଶୀଳ
ଗୁଜରାଟର ଏକ ସିଜେଏମ୍ ଅଦାଲତ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରଦାନ କରିଥିବା ଦଣ୍ଡାଦେଶ ବିରୋଧରେ ସେ ଜିଲ୍ଲା ଓ ଦୌରାଜଜ୍‌ ଅଦାଲତରେ ଅପିଲ୍‌ କରିପାରିବେ। ଦଣ୍ଡାଦେଶ ଅବଧି ୨ ବର୍ଷ ରହିଥିବାରୁ ଜିଲ୍ଲା ଓ ଦୌରାଜଜ୍ ଅଦାଲତରେ ଏହା ବିରୋଧରେ ଅପିଲ ହେବ। ଏଥିସହିତ ଅପିଲ ବିଚାର ସମୟରେ ଏହି ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ବି ସେ ଆବେଦନ କରିପାରିବେ। ଏହାପରେ ଉଚ୍ଚନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟ ବି ସେ ଯାଇ ପାରିବେ। ନିମ୍ନ ଅଦାଲତର ଏହି ରାୟ ଚୂଡ଼ାନ୍ତ ନୁହେଁ। ତା’ ଉପରେ ଅନେକ ଉପର ଅଦାଲତ ରହିଛି। ଏହି ଦଣ୍ଡାଦେଶ ଉପରେ ଉପର ଅଦାଲତରୁ ରହିତାଦେଶ ଆଣିବା ପୂର୍ବରୁ ତାଙ୍କୁ ଲୋକସଭା ସଭ୍ୟ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଛି। ନିମ୍ନ ଅଦାଲତ ଦଣ୍ଡାଦେଶ ଉପରେ ଉପର ଅଦାଲତ ଯଦି ରହିତାଦେଶ ଜାରି କରନ୍ତି ତେବେ ସଭ୍ୟପଦରୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗକୁ ନେଇ ସେ ସର୍ବୋଚ୍ଚ ନ୍ୟାୟାଳୟ ଯାଇ ପାରିବେ। ଏହି ପ୍ରସଙ୍ଗର ଭବିଷ୍ୟତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଉପରେ ନିର୍ଭର କରିବ।
ବିଜୟ କୁମାର ରଗଡ଼, ପୂର୍ବତନ ସଂପାଦକ, ହାଇକୋର୍ଟ ବାର୍ ଆସୋସିଏସନ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe