ବିତର୍କ: ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ

Advertisment
କର୍ଣ୍ଣାଟକରେ କଂଗ୍ରେସ ୧୫୦ ଆସନରେ ଜିତିବ: ରାହୁଲ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦ ପଦ ରଦ୍ଦ କରାଯିବାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି। ଉଭୟ ବିଜେପି ଓ କଂଗ୍ରେସ ଏଥିପାଇଁ ପରସ୍ପରକୁ ଦୋଷ ଦେବାକୁ ପଛାଉନାହାନ୍ତି। କଂଗ୍ରେସ ଦଳ ପକ୍ଷରୁ ଲଗାତାରଭାବେ ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଆଗକୁ କର୍ଣ୍ଣାଟକ ଓ ୨୦୨୪ରେ ସାଧାରଣ ନିର୍ବାଚନରେ ଏହା ଅନ୍ୟତମ ପ୍ରସଙ୍ଗ ହୋଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ରାହୁଲଙ୍କୁ ଭୟଭୀତ କରିବା ପରିବର୍ତେ ମୋଦୀ ନିଜେ ଭୟଭୀତ
କ୍ରୋଧ ଓ ଭୟ ମଣିଷକୁ ଭ୍ରମିତ କରିଥାଏ। ଏହି ଦୁଇଟି ଦୁର୍ଗୁଣ ମଣିଷକୁ ଭୁଲ ରାସ୍ତାରେ ଯିବା ପାଇଁ ରାସ୍ତା ଦେଖାଇଥାଏ। ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ମୋଦୀ ଓ ତାଙ୍କ ଦଳର କାର୍ଯ୍ୟକଳାପ ଆଜି ସତ୍ୟ ବୋଲି ପ୍ରତିପାଦିତ ହୋଇଛି। ମୋଦୀଙ୍କ କ୍ରୋଧର କାରଣ ହେଉଛି ତାଙ୍କ ଓ ଆଦାନିଙ୍କ ଭିତରେ ସମ୍ପର୍କକୁ ନେଇ ସଂସଦରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ ବାଣ। ମୋଦୀ ଓ ତାଙ୍କ ସରକାରଙ୍କ ସହଯୋଗ ନ ଥିଲେ ୨୦୧୪ ମସିହା ପୂର୍ବରୁ ବିଶ୍ୱ ଧନୀ ତାଲିକାରେ ୬୦୯ ନମ୍ବର ସ୍ଥାନରେ ଥିବା ଗୌତମ ଆଦାନୀ ୨୦୨୩ ମସିହାରେ ୨ ନମ୍ବର ସ୍ଥାନକୁ ଆସି ନ ଥାନ୍ତେ। ମୋଦୀଙ୍କ ଦ୍ୱାରା ବିଦେଶରେ ପରିଚାଳିତ ସେଲ କମ୍ପାନିଗୁଡିକରେ ଯେଉଁ ୨୩ ହଜାର କୋଟି ଟଙ୍କା ନିବେଶ ହୋଇଛି ସେଥିରେ ମୋଦୀଙ୍କ ହାତ ନାହିଁ କି? ସଂସଦରେ ଏହି ପ୍ରଶ୍ନ ବାଣଗୁଡ଼ିକ ମୋଦୀ ଓ ତାଙ୍କ ଦଳକୁ ଭୀଷଣ ଭାବରେ କ୍ରୋଧିତ କରିଛି। ପ୍ରଧାନମନ୍ତ୍ରୀଙ୍କ ଅତ୍ୟଧିକ ଆଦାନି ପ୍ରୀତି ପଛର ରହସ୍ୟର ପର୍ଦ୍ଦାଫାଶ ହେବାର ସମ୍ଭାବନା ମଧ୍ୟ ତାଙ୍କୁ ଭୟଭୀତ କରିଛି। ଆଦାନି ଗ୍ରୁପର କଳା ସାମ୍ରାଜ୍ୟ ପଛରେ ମୋଦୀ ସରକାରଙ୍କ କଳା କାରନାମା କୁଆଡ଼େ ଦେଶବାସୀ ଜାଣିଯିବେ, ସେ ଭୟ ସେମାନଙ୍କୁ ଘାରିଛି। ଏହି କ୍ରୋଧ ଓ ଭୟ କାରଣରୁ ମୋଦୀ ସରକାର ସଂସଦରୁ ରାହୁଲଙ୍କୁ ବହିଷ୍କାର କଲା ଭଳି ଭୁଲ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ମାନହାନୀ ମାମଲାରେ ସୁରଟ କୋର୍ଟରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ ଓ ୨ ବର୍ଷ ଜେଲ ଦଣ୍ଡାଦେଶ ପରେ ତରବରିଆ ଭାବରେ ୨୪ ଘଣ୍ଟା ଭିତରେ ସଂସଦର ସଭ୍ୟ ପଦରୁ ତାଙ୍କୁ ନିଲମ୍ବନ କରିବା ସେ ଭୟର ବଳିଷ୍ଠ ଉଦାହରଣ। ବାସ୍ତବରେ ରାହୁଲଙ୍କୁ ଭୟଭୀତ କରିବା ପାଇଁ ମୋଦୀ ସରକାର ଚାହୁଁଥିଲେ ଓ ସେ ଦିଗରେ ପ୍ରୟାସ କରିଥିଲେ। ମାତ୍ର ରାହୁଲଙ୍କୁ ଭୟଭୀତ କରିବା ପରିବର୍ତେ ମୋଦୀ ନିଜେ ଏବେ ଭୟଭୀତ ହୋଇ ପଡିଛନ୍ତି। ଆଗାମୀ ଦିନରେ ଏହି ଭୟ ତାଙ୍କୁ ଆହୁରି ଘାରିବ। ମୋଦୀ ଆହୁରି ଭୁଲ କରିବେ, ସେଥିରେ ସନ୍ଦେହର ଅବକାଶ ନାହିଁ।
ସୁଦର୍ଶନ ଦାସ, ରାଜ୍ୟ କଂଗ୍ରେସ ମୁଖପାତ୍ର

ଶସ୍ତା ଲୋକପ୍ରିୟତା ପାଇଁ ରାହୁଲ ଓ କଂଗ୍ରେସର ଏଭଳି ପ୍ରୟାସ
ରାହୁଲ ଗାନ୍ଧୀଙ୍କ ପ୍ରତି କେନ୍ଦ୍ର ସରକାର କୌଣସି ଉଦ୍ଦେଶ୍ୟ ରଖି ତରବରିଆ ଏଭଳି ପ‌ଦକ୍ଷେପ ନେଇ ନାହାନ୍ତି। ମାନହାନୀ ମକଦ୍ଦମାରେ ଯେଉଁ ମୁହୂର୍ତରେ ସେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କର ସଦସ୍ୟତା ପଦ ରଦ୍ଦ ହେବ। ତେଣିକି ‌ଲୋକସଭା ବାଚସ୍ପତି କୌଣସି ବିଜ୍ଞପ୍ତି ପ୍ରକାଶ କରିଥାନ୍ତୁ ବା ନ କରିଥାନ୍ତୁ। ପୂର୍ବରୁ ମଧ୍ୟ ଲାଲୁ ଯାଦବ, ଜୟଲଳିତା ଓ ଅନ୍ୟମାନଙ୍କ କ୍ଷେତ୍ରରେ ତାହା ହୋଇଛି। ତେଣୁ ତାଙ୍କ ପ୍ରତି କୌଣସି ଅବିଚାର କରାଯାଇନାହିଁ। ସେ ଦୋଷୀ ସାବ୍ୟସ୍ତ ହେବା ପ୍ରାୟ ୭ଦିନ ହେଲାଣି, ରାହୁଲ କିମ୍ବା ତାଙ୍କ ଦଳ ତରଫରୁ ଉପରକୋର୍ଟରେ କୌଣସି ପିଟିସନ ଦାୟର କରାଯାଇନାହିଁ। ଏଥିରୁ ପ୍ରମାଣିତ ହେଉଛି ଯେ ତାଙ୍କର ଭାରତୀୟ ଆଇନ ବ୍ୟବସ୍ଥାରେ ଭରସା ନାହିଁ କିମ୍ବା ଏହାକୁ ଏକ ରାଜନୈତିକ ଅସ୍ତ୍ରଭାବେ ବ୍ୟବହାର କରି ଶସ୍ତା ଲୋକପ୍ରିୟତା ହାସଲ କରିବାକୁ ଚାହୁଁଛନ୍ତି। ତଥାପି ଯଦି କେନ୍ଦ୍ର ସରକାର ତାଙ୍କ ପ୍ରତି ଅବିଚାର କରିଛନ୍ତି ବୋଲି ତାହାଲେ ଏ ପର୍ଯ୍ୟନ୍ତ କାହିଁକି ଉପରକୋର୍ଟକୁ ଯାଉନାହାନ୍ତି। ଯଦି ଅନ୍ୟ କେହି ନାଗରିକ ଏଭଳି ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥାନ୍ତେ ତାହାଲେ ସେ ନିଶ୍ଚିତଭାବେ ଉପରକୋର୍ଟଙ୍କ ଦ୍ବାରସ୍ଥ ହୋଇଥାନ୍ତେ।
ତାଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଏଭଳି ଏକାଧିକ ମାମଲା ଦାୟର ହୋଇଛି। ବହୁ ପୂର୍ବରୁ ବିଜେପି ନେତା ସୁଶୀଲ ମୋଦୀଙ୍କ ଏକ ମାନହାନୀ ମାମଲାରେ ପାଟନା କୋର୍ଟ ତାଙ୍କୁ ହାଜର ହେବା ପାଇଁ କହିଛନ୍ତି। ତେଣୁ ଏହାକୁ ଏକ ସଂଯୋଗ ବୋଲି କୁହାଯାଇପାରିବ ନାହିଁ। ସତ୍ୟାସତ୍ୟ ନ ଜାଣି ନିଜର ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ସେ ଓ ତାଙ୍କ ଦଳ ପକ୍ଷରୁ ଉଦ୍ୟମ କରାଯାଉଛି। ଆସନ୍ତା କର୍ଣ୍ଣାଟକ କିମ୍ବା ସାଧାରଣ ନିର୍ବାଚନରେ ମଧ୍ୟ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିବ ନାହିଁ ।
ଭୃଗୁ ବକ୍ସିପାତ୍ର, ବିଜେପି ଉପ-ସଭାପତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe