ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥ ରୁକ୍ମିଣୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବା ପରେ ରବିବାର ଦିନ ପବିତ୍ର ଚମ୍ପକ ଦ୍ବାଦଶୀ ଅବସରରେ ଦେବୀଙ୍କ ସହ ଗୁଆଲି ଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ଛତିଶା ନିଯୋଗ ସେବାୟତଙ୍କ ପକ୍ଷରୁ କରାଯାଇଥିବା ଏହି ନୀତିକାନ୍ତି ଅବସରରେ ଦେବଦମ୍ପତି ତଥା ପ୍ରଭୁ ମଦନମୋହନ ଓ ଦେବୀ ରୁକ୍ମିଣୀ ତଥା ଶ୍ରୀଦେବୀ (ମହାଲକ୍ଷ୍ମୀ) ଶୋଭାଯାତ୍ରାରେ ନଗର ପରିକ୍ରମା କରି ପନ୍ତି ଭୋଗ ଗ୍ରହଣ କରିଥିଲେ।
ଶ୍ରୀମନ୍ଦିରରେ ସକାଳ ଧୂପ ଓ ଭୋଗମଣ୍ଡପ ପରେ ଭିତରେ ଆଲଟ ଲାଗି କରାଯାଇ ମହାସ୍ନାନ କରାଯାଇଥିଲା। ପରେ ନୂଆ ଲୁଗା ଲାଗି ଓ ଚନ୍ଦନ ଲାଗି କରାଯାଇଥିଲା। ମଧ୍ୟାହ୍ନ ଧୂପ ପରେ ଦେବଦମ୍ପତିଙ୍କୁ ଭିତରକୁ ବିଜେ କରାଯିବା ପରେ ବନ୍ଦାପନା ହୋଇ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ପ୍ରଭୁ ମଦନମୋହନ ଓ ଶ୍ରୀଦେବୀଙ୍କୁ ବିଜେ କରାଯାଇଥିଲା। ଶୋଭାଯାତ୍ରାରେ ଶ୍ରୀମନ୍ଦିର ପ୍ରଦକ୍ଷଣ କରି ସିଂହଦ୍ବାର ଦେଇ ବଡ଼ଦାଣ୍ଡରେ ଶ୍ରୀନଅରକୁ ବିଜେ କରାଯାଇଥିଲା। ଦେବାଦେବୀ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ବାହାରିବା ପରେ ଶ୍ରୀନଅର, ବାଲିସାହି, ଜିୟରସ୍ବାମୀ ମଠ, ବରାହୀ ଠାକୁରାଣୀ ମନ୍ଦିର, ହାଟମୁଣ୍ଡ ଓ ହରଚଣ୍ଡୀସାହି ଦେଇ ଶ୍ରୀଯମେଶ୍ବରଙ୍କ ମନ୍ଦିରରେ ପହଞ୍ଚିଥିଲେ। ସେଠାରୁ ଦେବାଦେବୀମାନେ ମଣିକର୍ଣ୍ଣିକାସାହି ଓ ଗାଣ୍ଡୁଆ ଚୌରାସ୍ଥିତ ଶ୍ରୀକପାଳମୋଚନ ମନ୍ଦିର ସମ୍ମୁଖ ରାସ୍ତା ଦେଇ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ।
Follow Us