ଫୁଲବାଣୀ: ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ପରେ ପରେ ଫୁଲବାଣୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦେବେନ୍ଦ୍ର କହଁର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦୀର୍ଘ ୧୫ ବର୍ଷ ଧରି ଦଳ ପାଇଁ ସେ କାର୍ଯ୍ୟ କରିଛନ୍ତି। ମାତ୍ର ବର୍ତ୍ତମାନ ତାଙ୍କୁ ଦଳରେ ଅଣଦେଖା କରା ଯାଉଥିବା ଅନୁଭବ କରୁଥିବାରୁ ଇସ୍ତଫା ଦେବାକୁ ଉଚିତ୍ ମଣିଛନ୍ତି ବୋଲି ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ଦେବେନ୍ଦ୍ର ଚଳିତ ସାଧାରଣ ନିର୍ବାଚନ ପାଇଁ ଫୁଲବାଣୀ ବିଧାନସଭାରୁ ବିଜେଡି ଟିକେଟ୍ ଆଶାୟୀ ଥିଲେ। କିନ୍ତୁ ଦଳ ଆଜି ଫୁଲବାଣୀ ବିଧାନସଭା ଆସନ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଜୟଶ୍ରୀ କହଁରଙ୍କ ନାମ ଘୋଷଣା କରିବା ପରେ ଦେବେନ୍ଦ୍ର ଦଳରୁ ଇସ୍ତଫା ଦେଇଛନ୍ତି। ଗତ ୨୦୦୯ ସାଧାରଣ ନିର୍ବାଚନରେ ଦେବେନ୍ଦ୍ର ଫୁଲବାଣୀ ଆସନରୁ ବିଜେଡିରୁ ଲଢ଼ି ବିଜୟୀ ହୋଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ୨୦୧୪ ଏବଂ ୨୦୧୯ରେ ତାଙ୍କୁ ଟିକେଟ୍ ଦିଆଯାଇ ନଥିଲା।
ସୂଚନାଯୋଗ୍ୟ, ସୋର ବିଧାୟକ ପର୍ଶୁରାମ ଧଡ଼ା ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ରକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଆଗାମୀ ଦିନରେ ସେ କ’ଣ କରିବେ ସେନେଇ ପ୍ରତିକ୍ରିୟା ଦେଇ ନାହାନ୍ତି। ତେବେ ସେ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ସୋରରେ ବିଜେପି ପକ୍ଷରୁ ରାଜେନ୍ଦ୍ର ଦାସ ନିର୍ବାଚନ ପଡ଼ିଆରେ ଅବତୀର୍ଣ୍ଣ ହୋଇଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ଅନ୍ୟପଟରେ ସେ ଯଦି କଂଗ୍ରେସରେ ଯୋଗ ନଦେବେ ତାହେଲେ ସ୍ବାଧୀନ ଭାବେ ମଧ୍ୟ ନିର୍ବାଚନ ଲଢ଼ିପାରନ୍ତି।
Follow Us