ମୃତ୍ୟୁର ୬ ବର୍ଷ ପରେ ଋଣ, ୧୮ ବର୍ଷ ପରେ ନୋଟିସ୍‌: ସମବାୟ ସମିତିର ନୋଟିସ୍‌ ପରେ ଏତଲା ଦେଲେ ମୃତକଙ୍କ ପୁଅ

ମୃତ୍ୟୁର ୬ବର୍ଷ ପରେ ରବି ଫସଲ ପାଇଁ କୃଷି ସମବାୟ ସମିତିରୁ ଋଣ କରି ଟଙ୍କା ଉଠାଇଛନ୍ତି ଚାଷୀ। ଏହି ଋଣ ପରିଶୋଧ ପାଇଁ ସମିତି ପକ୍ଷରୁ ଚାଷୀଙ୍କ ମୃତ୍ୟୁର ୧୮ବର୍ଷ ପରେ ନୋଟିସ୍‌ ଲଗାଯାଇଛି।

dgdadazvcv

ରାଜକନିକା: ମୃତ୍ୟୁର ୬ବର୍ଷ ପରେ ରବି ଫସଲ ପାଇଁ କୃଷି ସମବାୟ ସମିତିରୁ ଋଣ କରି ଟଙ୍କା ଉଠାଇଛନ୍ତି ଚାଷୀ। ଏହି ଋଣ ପରିଶୋଧ ପାଇଁ ସମିତି ପକ୍ଷରୁ ଚାଷୀଙ୍କ ମୃତ୍ୟୁର ୧୮ବର୍ଷ ପରେ ନୋଟିସ୍‌ ଲଗାଯାଇଛି। ଏହା ଜଣାପଡ଼ିବା ପରେ ମୃତକଙ୍କ ପୁଅ ଥାନାରେ ଏତଲା ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ଅନ୍ତର୍ଗତ ସିକୋ କୃଷି ସମବାୟ ସମିତିରେ। 

ଅଭିଯୋଗ ମୁତାବକ, ରାଜକନିକା ବ୍ଲକ୍‌ ସିକୋ ଗାଁର ନାରାୟଣ ସ୍ୱାଇଁଙ୍କର ୨୦୦୭ ସେପ୍ଟେମ୍ବର ୨୦ରେ ମୃତ୍ୟୁ ଘଟିଥିଲା। ହେଲେ, ନାରାୟଣଙ୍କ ମୃତ୍ୟୁର ୬ବର୍ଷ ପରେ ଅର୍ଥାତ୍‌ ୨୦୧୩ ମସିହାରେ ରବି ଫସଲ ପାଇଁ ସିକୋ କୃଷି ସମବାୟ ସମିତିରୁ ତାଙ୍କ ନାଁରେ ୪୩ହଜାର ୧୬୨ଟଙ୍କା ଋଣ ଟଙ୍କା ଉଠାଇ ନିଆଯାଇଥିଲା। ଗତ ସେପ୍ଟେମ୍ବର ୨୩ ତାରିଖ ଋଣ ପରିଶୋଧ ନିମନ୍ତେ ସମିତି ପକ୍ଷରୁ ସ୍ବର୍ଗତ ସ୍ୱାଇଁଙ୍କ ପରିବାରକୁ ନୋଟିସ୍‌ ଦିଆଯିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ନୋଟିସ୍‌ରେ ଦର୍ଶାଯାଇଛି, ସ୍ବର୍ଗତ ସ୍ୱାଇଁ ରବି ଫସଲ ଲାଗି ୨୦୧୩ ମସିହାରେ ସମବାୟ ସମିତିରୁ ୪୩ହଜାର ୨୬୨ଟଙ୍କା ଋଣ ନେଇଥିଲେ। ଏ ପର୍ଯ୍ୟନ୍ତ ସେ ସୁଧ ପରିଶୋଧ କରି ନାହାନ୍ତି। ଫଳରେ ସୁଧ ୨୩ହଜାର ୨୯୫ଟଙ୍କା ହୋଇଯାଇଛି।

ମୂଳ ଓ ସୁଧ ଟଙ୍କା ମିଶି ମୋଟ ୬୬ହଜାର ୫୫୭ଟଙ୍କା ପରିଶୋଧ ପାଇଁ ନୋଟିସ୍‌ରେ କୁହାଯାଇଛି। ଏଥିସହ ୨୦୨୫ ଅକ୍ଟୋବର ୬ ତାରିଖ ସୁଦ୍ଧା ଋଣ ପରିଶୋଧ କରିବାକୁ ନୋଟିସ୍‌ରେ ନିର୍ଦ୍ଦେଶ ଦିଆଯାଇଛି। ଏହାର ଖିଲାପ କଲେ ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ନୋଟିସ୍‌ ପାଇବା ପରେ ସ୍ବର୍ଗତ ନାରାୟଣ ସ୍ୱାଇଁଙ୍କ ପୁଅ ନିରଞ୍ଜନ ସ୍ୱାଇଁ ସିକୋ ପ୍ରାଥମିକ କୃଷି ସମବାୟ ସମିତିକୁ ଯାଇଥିଲେ। ଦାୟିତ୍ୱରେ ଥିବା ସମ୍ପାଦକ ତାଙ୍କ ସମୟରେ ଏହି ଋଣ ହୋଇ ନ ଥିବା କହି ଫେରାଇ ଦେଇଥିଲେ। ଏହାପରେ ନିରଞ୍ଜନ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି। ଏହି ଘଟଣା ସମେତ ସମିତିକୁ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରିବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe