ଇଡ୍‌କୋ ଅଧିକୃତ ୨୦୬ ଏକର ଜମି ଫେରସ୍ତ ନିଷ୍ପତ୍ତି ପଛରେ ଚାଲ୍‌!

Advertisment

ଟାଟାର ଦୀପକ ସାର ପ୍ରକଳ୍ପ ବିରୋଧୀ ଆନ୍ଦୋଳନ ଭଣ୍ଡୁର ମସୁଧା!

ଟାଟାର ଦୀପକ ସାର ପ୍ରକଳ୍ପ ବିରୋଧୀ ଆନ୍ଦୋଳନ ଭଣ୍ଡୁର ମସୁଧା!

ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗ: ଅନିଶ୍ଚିତତାରେ ୬ ହଜାର ଚାଷୀ

99acres.com

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ କାଳିପଲ୍ଲୀ ମୌଜାରେ ଗୋପାଳପୁର ଟାଟା ଷ୍ଟିଲ ଲିମିଟେଡ୍ ଦ୍ବାରା ପ୍ରସ୍ତାବିତ ବୃହତ୍ ଇସ୍ପାତ ପ୍ରକଳ୍ପ ନିମନ୍ତେ ‘ଇଡ୍‌କୋ ଦ୍ବାରା ୨୦୬ ଏକର ୬୦୫ ଡେସିମିଲ୍ ଜମି ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅଧିକୃତ ହୋଇଥିଲା। ଏହା ବ୍ୟବହୃତ ହୋଇ ନଥିବା ବେଳେ ବୃହତ୍ ଜନସ୍ବାର୍ଥକୁ ଦୃଷ୍ଟିରେ ରଖି ଜମିକୁ ମୂଳଖାତା ରୟତ କିମ୍ବା ସେମାନଙ୍କ ଉତ୍ତରାଧିକାରୀଙ୍କୁ ଫେରସ୍ତ କରାଯିବ। ଏ ନେଇ ଗତକାଲି ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତେବେ ଜମି ଫେରାଇ ଟାଟା କମ୍ପାନି କର୍ତ୍ତୃପକ୍ଷ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ରେ ଦୀପକ ସାର କାରଖାନା ପ୍ରକଳ୍ପ ବିରୋଧୀ ଆନ୍ଦୋଳନକୁ ଭଣ୍ଡୁର କରି କାମ ପୂରା କରିବାକୁ ମସୁଧା ଚଳାଇଛନ୍ତି। ଏଥିପାଇଁ ସରକାର ତରବରିଆ ଭାବେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ବୋଲି କାଳିପଲ୍ଲୀ ଗ୍ରାମ୍ୟ କମିଟି ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି।

କୌଣସି ପରିସ୍ଥିତିରେ ଆନ୍ଦୋଳନ ବନ୍ଦ ହେବନି: ଗ୍ରାମ୍ୟ କମିଟି

‘ଜମି ଫେରସ୍ତ ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ। କିନ୍ତୁ ସାର ପ୍ରକଳ୍ପ ନିର୍ମାଣ ବିରୋଧରେ ଚାଲିଥିବା ଆନ୍ଦୋଳନକୁ କୌଣସି ପରିସ୍ଥିତିରେ ବନ୍ଦ ରଖାଯିବନି ବୋଲି ଗ୍ରାମ୍ୟ କମିଟି ସଭାପତି ବି.ମୋହନ ପାତ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ଚରମବାଣୀ ଶୁଣାଇଛନ୍ତି। ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀ ଏ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, ଯେଉଁ ଉଦ୍ଦେଶ୍ୟରେ ଟାଟା କମ୍ପାନି ‘ଇଡ୍‌କୋ ମାଧ୍ୟମରେ ଜମି ଅଧିଗ୍ରହଣ କରିଥିଲା, ତାହା ସାଧିତ ହୋଇ ପାରିଲାନି। ଦୀର୍ଘ ୨୫ ବର୍ଷ ଧରି ଲୋକଙ୍କୁ ଭୂଆଁ ବୁଲାଗଲା। ଆଉ ଶେଷରେ ୭୭୧ ଏକର ୪୪୩ ଡେସିମିଲ୍‌ ଜମି ଫେରାଇବାକୁ ଗତ ମେ ମାସ ୨୪ ତାରିଖରେ ରାଜସ୍ବ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲା। କିନ୍ତୁ ଏବେ କାହିଁକି ଏହାକୁ ଲୋକଲୋଚନକୁ ଅଣାଗଲା, ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଣି କ୍ୟାବିନେଟ୍‌ ନିଷ୍ପତ୍ତି କ୍ରମେ ମାତ୍ର ୨୦୬ ଏକ ଜମି ଫେରସ୍ତ କରିବାକୁ ଘୋଷଣା କରାଯାଇଛି। ଦୀପକ ସାର କାରଖାନା ପ୍ରକଳ୍ପକୁ ବିରୋଧ କରି ଚାଲିଥିବା ଆନ୍ଦୋଳନରୁ ଅଞ୍ଚଳବାସୀଙ୍କ ଧ୍ୟାନ ହଟାଇବା ଲାଗି ଗତକାଲି ଅପରାହ୍‌ଣ ଗୋଟାଏରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଜମି ଫେରସ୍ତ ସଂକ୍ରାନ୍ତ ନିଷ୍ପତ୍ତି ନିଆଗଲା। ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ସରକାର ଷଡ଼୍‌ଯନ୍ତ୍ର କରିଛନ୍ତି। ଏଣୁ ଏଭଳି ତରବରିଆ ପଦକ୍ଷେପ ନେଇଛନ୍ତି। ତେବେ ବିଷାକ୍ତ ସାର କାରଖାନା ପ୍ରତିଷ୍ଠା କରିବା ପାଇଁ ସୁଯୋଗ ଦିଆଯିବ ନାହିଁ। ପୂର୍ବଭଳି ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି।

୧୯୯୬ରୁ ‘ଇଡକୋ ଦ୍ବାରା କାଲିପଲ୍ଲୀ ମୌଜାର ପ୍ରାୟ ୪୦୦ ଚାଷୀଙ୍କ ୨୦୬.୬୮୫ ଏକର ଜମି ଅଧିକୃତ କରା ଯାଇଥିଲା। କିନ୍ତୁ ସେଥିରୁ ୩୫ ପ୍ରତିଶତ ଚାଷୀଙ୍କୁ କ୍ଷତିପୂରଣ ମିଳିଥିବା ବେଳେ ବାକି ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ମିଳିନାହିଁ। ୨୫ ବର୍ଷ ଧରି ଚାଷୀ ଯେଉଁ ଜମି ହରାଇଥିଲେ ତାହା ସେମାନେ ପାଇବେ ସତ, କିନ୍ତୁ ବହୁବର୍ଷ ଧରି ଜମିର ବକେୟା ପାଉଣା ଚାଷୀଙ୍କୁ କେମିତି ମିଳିବ, ସେ କଥା ସରକାର ଚିନ୍ତା କରିନାହାନ୍ତି। ଏଣୁ ସରକାର ବାକି ଚାଷୀଙ୍କୁ ପ୍ରଥମେ କ୍ଷତିପୂରଣ ଯୋଗାଇବା ବନ୍ଦୋବସ୍ତ କରନ୍ତୁ। ଏହାସହ ପୁଣି ଥରେ ସର୍ଭେ କରି ଜମି ମାଲିକ ଏବଂ ସେମାନଙ୍କ ଉତ୍ତରାଧିକାରୀଙ୍କୁ ପଟ୍ଟା ପ୍ରଦାନ କରିବା ବ୍ୟବସ୍ଥା କରାଯାଉ। ଏହାସହ ସାର କାରଖାନା ନିର୍ମାଣ ବନ୍ଦ କରି ଅନ୍ୟ ଯେଉଁ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଗଲେ କୌଣସି ଆପତ୍ତି ଅଭିଯୋଗ ରହିବ ନାହିଁ। ତେବେ ସାର କାରଖାନା ପ୍ରତିଷ୍ଠାରୁ ଟାଟା କମ୍ପାନି କର୍ତ୍ତୃପକ୍ଷ ନିବୃତ୍ତ ନରହିବା ଯାଏ, ଆନ୍ଦୋଳନ ଜାରି ରହିବ ବୋଲି କାଳିପଲ୍ଲୀ ଗ୍ରାମ୍ୟ କମିଟିର ସଭ୍ୟମାନେ ଚେତାବନୀ ଦେଇଛନ୍ତି। ସୂଚନା ଥାଉକି, ସାର ପ୍ରକଳ୍ପକୁ ବିରୋଧ କରି ଗତ ଜୁନ୍ ୧୧ ତାରିଖରୁ ଗ୍ରାମବାସୀ ଆନ୍ଦୋଳନ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe