Representational photo by pugdundeesafaris.com
ବୈପାରିଗୁଡା: ପାଣି ପିଇବା ପାଇଁ ନଦୀକୁ ଆସିଥିବା ଏକ ଗର୍ଭିଣୀ କୁଟୁରାକୁ ଶିକାରୀମାନେ ମାରି ଦେଇଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡା ବନାଞ୍ଚଳ ଅଧିକାରୀଙ୍କ ସୂଚନା ଅନୁଯାୟୀ ଆଜି ସକାଳୁ ବୈପାରିଗୁଡା ବନାଞ୍ଚଳ ଅନ୍ତର୍ଗତ ମହୁଲି ଗ୍ରାମ ନିକଟ ଜଙ୍ଗଲରୁ ଏକ କୁଟୁରା ଗ୍ରାମକୁ ଲାଗି ରହିଥିବା ନଦୀକୁ ପାଣି ପିଇବା ପାଇଁ ଆସିଥିବା ଦେଖି କିଛି ଲୋକ ବନାଞ୍ଚଳ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ବନାଞ୍ଚଳ ଅଧିକାରୀ ସଂଦୀପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର କର୍ମଚାରୀମାନେ ପହଞ୍ଚିଥିଲେ।
ତେବେ ସେତେବେଳକୁ ପ୍ରାୟ ୧୦ ଜଣ ଶିକାରୀ କୁଟୁରାକୁ ଠେଙ୍ଗାରେ ପିଟିପିଟି ମାରି ଦେଇ ଥିଲେ। ଏହା ପରେ କୁଟୁରାକୁ କାଟିବା ପାଇଁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ବନ କର୍ମଚାରୀ ଘଟଣାସ୍ଥଳରେ ଚଢ଼ଉ କରିଥିଲେ। ଶିକାରୀମାନେ ବନ ବିଭାଗର କର୍ମଚାରୀମାନଙ୍କୁ ଦେଖି ଘଟଣାସ୍ଥଳରୁ ଦୌଡି ପଳାଇ ଯାଇଥିଲେ। ମୃତ କୁଟୁରାକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଅଣାଯାଇଥିବା ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। କୁଟୁରାର ଓଜନ ୩୦ କିଲୋଗ୍ରାମ ହୋଇପାରେ ବୋଲି କହିବା ସହ ଏସଂପର୍କରେ ଉଚ୍ଚ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ଫରେଷ୍ଟର ବିକାଶ ପାତ୍ର, ଫରେଷ୍ଟର ଗାର୍ଡ ପି. ଶ୍ରୀନିବାସ ରାଓଏବଂ ପାରା କର୍ମଚାରୀ ଏହି ଚଢ଼ଉରେ ଅଂଶଗ୍ରହଣ କରିଥିବା ବେଳେ ଏହାର ତଦନ୍ତ ଜାରି ରହିବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।
Follow Us