ବିଳମ୍ବିତ ହେଉଛି ଏକକ ପିଜି ପ୍ରବେଶିକା ପରୀକ୍ଷା‌ ଫଳ : ଭବିଷ୍ୟତ ବାଟ ପାଉନାହାନ୍ତି ଛାତ୍ରଛାତ୍ରୀ

Advertisment
ଅଫ୍‌ଲାଇନ୍‌ରେ ୟୁଜି ଓ ପିଜି ପରୀକ୍ଷା କରିବାକୁ ବିଜ୍ଞପ୍ତି

Image Courtesy of Latest News Headlines

୧୭ ତାରିଖ ପର୍ଯ୍ୟନ୍ତ ସ୍ନାତକ ମାର୍କ ଅପ୍‌ଲୋଡ କରିହେବ
୨୧ରେ ପ୍ରକାଶ ପାଇବ ମେଧା ତାଲିକା

ଭୁବନେଶ୍ୱର : ସରକାରୀ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ପିଜି ପାଠ୍ୟକ୍ରମ ନାମଲେଖା ପାଇଁ ଚଳିତବର୍ଷ ଏକକ ପିଜି ନାମଲେଖା କରାଯାଉଛି। ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଥମଥର ଲାଗି ଏଭଳି ବ୍ୟବସ୍ଥା କରାଯାଉଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ଏହି ନିଷ୍ପତ୍ତି ଏବେ ଛାତ୍ରଛାତ୍ରୀଙ୍କ ମାନସିକ ଚିନ୍ତା ବଢ଼ାଇବାରେ ଲାଗିଛି। ଛାତ୍ରଛାତ୍ରୀ ଲାଭ ପାଇବେ କ’ଣ, ବରଂ ନାକେଦମ୍‌ ହେଲେଣି। ଏକକ ପିଜି ପ୍ରବେଶିକା ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ଫଳ ପ୍ରକାଶ ପାଇପାରୁ ନାହିଁ। ତାରିଖ ପରେ ତାରିଖ ଗଡ଼ାଇ ଚାଲିଛି ଉଚ୍ଚଶିକ୍ଷା ବିଭାଗ। ପ୍ରଥମେ କୁହାଗଲା, ନଭେମ୍ବର ୧୦ରେ ଫଳ ପ୍ରକାଶ ପାଇବ। ତା’ ପରେ ୧୬ ତାରିଖକୁ ଘୁଞ୍ଚିଲା। ଆଉ ଆଜି କୁହାଗଲାଣି ୨୧ ତାରିଖରେ ଫଳ ପ୍ରକାଶ ପାଇବ।

ଗୋଟିଏ ପଟେ କରୋନା ଯୋଗୁଁ ଛାତ୍ରଛାତ୍ରୀ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ଭବିଷ୍ୟତ କ’ଣ ହେବ, ସେନେଇ ଚିନ୍ତାରେ ଥିବା ବେଳେ ସରକାର ବାବୁମା‌ନେ ସେମାନଙ୍କ ସହ ଖେଳୁଛନ୍ତି। କରୋନା ସମୟରେ ଆଗ ପଛ ବିଚାର ନ କରି ଏକକ ପିଜି ନାମ‌ଲେଖା‌ କରାଇବାକୁ ନିଷ୍ପତ୍ତି ନେଇଗଲେ। ରାଜ୍ୟର ସବୁ ବିଶ୍ବବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟରେ ଏବର୍ଷ ଠିକ୍‌ ସମୟ ପରୀକ୍ଷା ହୋଇପାରି ନାହିଁ। ଯେଉଁଥିପାଇଁ ଗୋଟିଏ ସମୟରେ ସବୁ ସ୍ନାତକ ବିଷୟର ପରୀକ୍ଷା ଫଳ ପ୍ରକାଶ ପାଇପାରୁ ନାହିଁ। ବାବୁମାନେ ପୂର୍ବରୁ ଏମିତି ହେବ ବୋଲି ଜାଣିଥିଲେ ମଧ୍ୟ ନିଜ ଜିଦିରେ ଅଟଳ ରହି ନୂତନ ବ୍ୟବସ୍ଥାକୁ ଲାଗୁ କଲେ। ପରିଣାମ ସ୍ବରୂପ ଛାତ୍ରଛାତ୍ରୀ ଏବେ ହଟହଟା ହେଉଛନ୍ତି। କେଉଁଠି ପଢ଼ିବେ? କ’ଣ ପଢ଼ିବେ? ପ୍ରବେଶିକା ପରୀକ୍ଷା ଫଳକୁ ଅପେକ୍ଷା କରିଲା ବେଳକୁ ରାଜ୍ୟ ବାହାରର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ନାମଲେଖା ଶେଷ ହୋଇଯିବ। ଫଳରେ ଗୋଟିଏ ବର୍ଷ ବେକାରରେ ଯିବ। ଏଭଳି ଭାବି ଭାବି ସେମାନଙ୍କ ଦିନ କଟୁଛି। ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବିତ ହେଉଥିବାରୁ ପିଲାମାନେ ଭବିଷ୍ୟତ ବାଛି ପାରୁ ନାହାନ୍ତି। ପରୀକ୍ଷା ଫଳକୁ ଅପେକ୍ଷା କରି ରହିଥିଲେ ମଧ୍ୟ ଯଦି କୌଣସି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସିଟ୍‌ ନ ମିଳେ, ତେବେ ସେମାନଙ୍କର କ’ଣ ହେବ?

ସେପଟେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରକାଶିତ ସଂଶୋଧିତ ବିଜ୍ଞପ୍ତି ଅନୁଯାୟୀ ନଭେମ୍ବର ୧୭ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସ୍ନାତକ ମାର୍କକୁ ସାମ୍‌ସ ପୋଟ୍ରାଲ୍‌ରେ ଅପ୍‌ଲୋଡ୍‌ କରିପାରିବେ। ପୂର୍ବରୁ ଏହି ସମୟ ସୀମା ୧୦ ତାରିଖ ରଖାଯାଇଥିଲା। ଆହୁରି କେତେକ କଲେଜର ସ୍ନାତକ କଲେଜର ଫଳ ପ୍ରକାଶ ପାଇ ନ ଥିବାରୁ ପିଲାମାନେ ମାର୍କ ଅପ୍‌ଲୋଡ୍‌ କରିପାରୁ ନାହାନ୍ତି। ଯେଉଁଥିପାଇଁ ପୁଣିଥରେ ସମୟ ଦିଆଯାଇଛି। ସେହିପରି ନଭେମ୍ବର ୧୬ରେ ପ୍ରକାଶ ପାଇବାକୁ ଥିବା ମେରିଟ୍‌ ଲିଷ୍ଟ ତଥା ମେଧା ତାଲିକା ୨୧ ତାରିଖରେ ବାହାରିବ। ଏହାପରେ ଏକ ମାସ ଧରି ବିଶ୍ବବିଦ୍ୟାଳୟ ଓ କଲେଜର ପିଜି ପାଠ୍ୟକ୍ରମରେ ନାମଲେଖା ଚାଲିବ। ଡିସେମ୍ବର ୨୧ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ। ଏ ଦିଗରେ ପଦକ୍ଷେପ ନେବାକୁ ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକଙ୍କ ସମେତ ଡିଗ୍ରି କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe