ଅଧ୍ୟକ୍ଷ ଆସିବେ ବୋଲି ୟୁସି ଦେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ: ଡବ୍ଲୁଓଡିସି କାମରେ ବିଳମ୍ବ, ଖର୍ଚ୍ଚ ହୋଇପାରୁନି ଅନୁଦାନ

Advertisment
୩୬ ହଜାର ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ କରିଛି ଡବ୍ଲୁଓଡିସି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଡବ୍ଲୁଓଡିସି କାମରେ ବିଳମ୍ବ ଯୋଗୁଁ ବର୍ଷ ବର୍ଷ ଧରି ଅନୁଦାନ ଅର୍ଥ ଖର୍ଚ୍ଚ ହୋଇ ପାରୁନାହିଁ। ଆସନ୍ତାକାଲି ରବିବାର ଡବ୍ଲୁଓଡିସି ଅଧ୍ୟକ୍ଷ କଳାହାଣ୍ଡି ଗସ୍ତରେ ଆସିବେ ବୋଲି ୟୁସି ପ୍ରଦାନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରାଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଡବ୍ଲୁଓଡିସିର ଅଧିକ ଅର୍ଥ ସହରାଞ୍ଚଳରେ ଖର୍ଚ୍ଚ କରାଯାଉଥିବାରୁ ସିଏଜି ରିପୋର୍ଟରେ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ କଳାହାଣ୍ଡି ଜିଲ୍ଲାର ସହରାଞ୍ଚଳରେ ବହୁ ଅର୍ଥ ଖର୍ଚ୍ଚ ନହୋଇ ପଡ଼ି ରହିଥିବାରୁ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କେତେକ ପ୍ରକଳ୍ପକୁ ଆବଶ୍ୟକଠୁ ଅଧିକ ଗୁରୁତ୍ବ ଦେଇ ବିପୁଳ ପରିମାଣର ପାଣ୍ଠି ଖର୍ଚ୍ଚ କରିଥିବାରୁ ଗତ ବର୍ଷ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଉପରେ ସିଏଜି ପ୍ରଶ୍ନ ଉଠାଇଥିଲେ। ୨୦୧୫-୨୦୧୮ ମଧ୍ୟରେ ପାଣ୍ଠିର ଏକ ମହତ୍ୱପୂର୍ଣ୍ଣ ଅଂଶ ଅତ୍ୟଧିକ ପଛୁଆ ଜିଲ୍ଲା ଏବଂ ପଛୁଆ ବ୍ଲକ୍‌କୁ ପ୍ରାଥମିକତା ଦେବା ପରିବର୍ତ୍ତେ ବିକଶିତ ତଥା ବିକାଶକାରୀ ବ୍ଲକ୍‌ଗୁଡ଼ିକ ପାଇଁ ଆବଣ୍ଟନ ହୋଇଥିଲା। କଳାହାଣ୍ଡି ଜିଲ୍ଲାରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ସହରମାନଙ୍କରେ କଲେଜ୍‌ ବିଲ୍ଡିଂ, ଲାଇବ୍ରେରି, ଷ୍ଟାଡିୟମ୍‌, ସ୍ୱାଗତ ଫାଟକ, ବ୍ୟାଡମିଣ୍ଟନ୍ କୋର୍ଟ, କ୍ରସର ଡ୍ରେନେଜ୍, ପାଚେରି ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି। ଯେହେତୁ କଲ୍ୟାଣ ମଣ୍ଡପ, ଇଲେକ୍ଟ୍ରିଫିକେସନ୍‌ ପାଇଁ ସରକାରଙ୍କ ସ୍ୱତନ୍ତ୍ର ଯୋଜନା ଅଛି, ସ୍କୁଲ୍‌ ପାଇଁ ଏମ୍‌ପି ଓ ଏମ୍‌ଏଲ୍‌ଏ-ଲାଡ୍‌ ଗ୍ରାଣ୍ଟ୍‌ ଅଛି ତେଣୁ ଡବ୍ଲୁଓଡିସି ପାଣ୍ଠିକୁ ଏସବୁ କ୍ଷେତ୍ରରେ ଖର୍ଚ୍ଚ ନକରାଯାଇ ପଛୁଆ ଗ୍ରାମୀଣ ଅଞ୍ଚଳର ରାସ୍ତା, ପଞ୍ଚାୟତ ରାସ୍ତା ଓ ଗ୍ରାମୀଣ ଜଳସେଚନର ବ୍ୟବସ୍ଥା କରିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ଡବ୍ଲୁଓଡିସିର ସଦସ୍ୟ ତଥା ବିଧାୟକମାନେ ନିଜ ଲୋକଙ୍କୁ ଠିକା ଦେବା ପାଇଁ ପାଣ୍ଠିକୁ ଜିଲ୍ଲା ମଧ୍ୟରେ ବିନା ଲକ୍ଷ୍ୟରେ ଅପଚୟ କରୁଛନ୍ତି ବୋଲି ଆଲୋଚନା ହେଉଛି। ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ବିଧାୟକ ଏବଂ ସାଂସଦଙ୍କ ସୁପାରିସକୁ ଆଧାର କରି ଅନୁମୋଦିତ ହେଉଛି। ଯେଉଁଠାରେ ଶାସକ ଦଳର ଅଧିକ ପ୍ରଭାବ ରହୁଛି, ଦଳର ସମର୍ଥକ କିମ୍ବା ଠିକାଦାରଙ୍କ ଉପରେ ଆଧାର କରି ଏହି ପ୍ରକଳ୍ପଗୁଡ଼ିକ ବଣ୍ଟନ ଏବଂ ଅନୁମୋଦନ କରାଯାଉଛି।

ଅର୍ଥ ଅଭାବରୁ ଏହି ଅଞ୍ଚଳର ଅନେକ ଜଳସେଚନ ପ୍ରକଳ୍ପର ଅଗ୍ରଗତି ହୋଇପାରୁ ନାହିଁ। ହାତୀନଦୀ ଇନ୍ଦ୍ରାବତୀ ଡ୍ୟାମ୍‌ର ପାୱାର ଚ୍ୟାନେଲ୍‌ ହେଲା ପରେ ତେଲନଦୀ ଦେଇ ଅନେକ ପାଣି ଜଳସେଚିତ ନହୋଇ ନଷ୍ଟ ହେଉଛି। ତେଲନଦୀରେ ଚେକ୍‌ ଡ୍ୟାମ୍‌ ପାଇଁ ଲୋକେ ଦାବି କରିବା ସତ୍ୱେ ଡବ୍ଲୁଓଡିସି କିଛି କରୁନାହିଁ। ଅନେକ ଗ୍ରାମୀଣ ସ୍ତରରେ ଭଲ ରାସ୍ତା ନାହିଁ, ହେଲେ ବେସରକାରୀ କଲେଜ ଓ ସ୍କୁଲମାନଙ୍କୁ ପାଣ୍ଠି ଦିଆ ହେଉଛି। ଏପରି କି ସହରରେ ଥିବା ସ୍କୁଲ୍‌ କଲେଜ ଓ ବେସରକାରୀ କଲେଜମାନେ ବି ଲାଭ ନେଉଛନ୍ତି। ସିଏଜି ରିପୋର୍ଟରେ ଡବ୍ଲୁଓଡିସି ସୁପାରିସ ଅନୁଯାୟୀ କଳାହାଣ୍ଡିରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା ପାଇଁ ତାମିଲନାଡୁର ସେଲଭାମ୍‌ ଏଜୁକେସନାଲ୍ ଆଣ୍ଡ୍‌ ଚାରିଟେବୁଲ୍ ଟ୍ରଷ୍ଟକୁ ଓଡ଼ିଶା ସରକାର ଅନୁମୋଦନ କରିଥିଲେ। ଏହି ମେଡିକାଲ୍‌ କଲେଜ ପାଇଁ ଡବ୍ଲୁଓଡିସି ୨୦୧୪ରେ ମାଗଣା ୨୫ ଏକର ଜମି ଓ ୧୦ କୋଟି ଟଙ୍କା ପ୍ରଦାନ କରିଥିଲା। ସର୍ଦ୍ଦାର ରାଜା ମେଡିକାଲ୍‌ କଲେଜ କରିବାର ଆନ୍ତରିକତା ନାହିଁ ବୋଲି କଳାହାଣ୍ଡିବାସୀ ୨୦୦୮ରୁ ସରକାରଙ୍କୁ ଅବଗତ କରିଥିଲେ ମଧ୍ୟ ଠୋସ୍‌ ପଦକ୍ଷେପ ନିଆଗଲା ନାହିଁ। ୨୦୧୪ରୁ ମେଡିକାଲ୍‌ କଲେଜ ବନ୍ଦ ହୋଇସାରିଛି। ନିର୍ମାଣ ହୋଇଥିବା ବିଲ୍‌ଡିଂ ସବୁ ଭାଙ୍ଗିଲାଣି, କିନ୍ତୁ ୭ବର୍ଷ ମଧ୍ୟରେ ଡବ୍ଲୁଓଡିସି କୋର୍ଟରେ ତତ୍ପରତା ଦେଖାଇ ଜମି ଓ ବିଲ୍‌ଡିଂ ଗୁଡ଼ିକୁ ନିଜ ଅକ୍ତିଆରକୁ ଆଣି ପାରିନାହିଁ। କଳାହାଣ୍ଡିରେ ଅନେକ ଗରିବ ରୋଗୀ ବିଶାଖାପାଟଣା ଓ ରାୟପୁର ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେଉଛନ୍ତି। ଅନେକ ରୋଗୀ ଅଧା ବାଟରେ ପ୍ରାଣ ହରାଉଛନ୍ତି। ଜିଲ୍ଲା ହସ୍ପିଟାଲ୍‌ରେ ଦରକାରୀ ଟେକ୍‌ନିସିଆନ୍‌ ଓ ମେସିନ୍‌ର ସୁବିଧା ଡବ୍ଲ୍ୟୁଓଡିସି ରୁ ଦିଆଯାଇ ପାରନ୍ତା। କଳାହାଣ୍ଡିର ଅନେକ ବ୍ଲକ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଳସେଚନ ସୁବିଧା ନାହିଁ, ସଡ଼କ ଭିତ୍ତିଭୂମିର ବି ଅଭାବ ରହିଛି। ବିଗତ ୨୨ ବର୍ଷର ଇତିହାସରେ କଳାହାଣ୍ଡି ଭଳି ପ୍ରଭାବଶାଳୀ ଜିଲ୍ଲାରୁ ଡବ୍ଲୁଓଡିସି ଅଧ୍ୟକ୍ଷ ନିଯୁକ୍ତ ହୋଇନାହାନ୍ତି। ଏଥିପାଇଁ କଳାହାଣ୍ଡି ଉପେକ୍ଷିତ ହେଉଛି ବୋଲି ଆଲୋଚନା ହେଉଛି। ଜିଲ୍ଲାର ୧୩ଟି ବ୍ଲକ୍‌ ଓ ସହରାଞ୍ଚଳରେ ଡବ୍ଲୁଓଡିସିର ବହୁ ପ୍ରକଳ୍ପ ରାଜନେତାମାନଙ୍କ ଛତ୍ରଛାୟା ତଳେ ଅଧପନ୍ତରିଆ ହୋଇ ପଡ଼ିରହିଛି। ବର୍ତ୍ତମାନର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଆସିବେ ବୋଲି ଜିଲ୍ଲାବ୍ୟାପୀ ବ୍ଲକ୍‌ ପ୍ରଶାସନ ଓ ଡିପିଏମ୍‌ୟୁ ପକ୍ଷରୁ ୟୁସି ପ୍ରଦାନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି। ବହୁ ସ୍ଥାନରେ ରାଜନେତାଙ୍କ ଛତ୍ରଛାୟା ତଳେ ଠିକାଦାରମାନେ ବେଧଡ଼କ ନିମ୍ନମାନର କାର୍ଯ୍ୟ କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ। ଏନେଇ ଅଧ୍ୟକ୍ଷ ସ୍ବତନ୍ତ୍ର ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe