Image Courtesy of India TV News
ଭୁବନେଶ୍ୱର : କୋଭିଡ୍-୧୯ ସଂକ୍ରମଣ ଦୃଷ୍ଟିରୁ ଚଳିତ ବର୍ଷର ଡିଇଏଲ୍ଇଡି ପରୀକ୍ଷାର ପରୀକ୍ଷାର୍ଥୀ ସେମାନଙ୍କର ବାସସ୍ଥାନରୁ ଦୂରରେ ରହି ପରୀକ୍ଷା ଦେବା ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି। ସେମାନେ ପଢ଼ୁଥିବା ଡିଆଇଇଟି/ଇଟିଇଆଇ/ଡିଆର୍ସି ଇତ୍ୟାଦି ସେମାନଙ୍କ ଘରଠାରୁ ଦୂରରେ ହୋଇଥିବାରୁ ପରୀକ୍ଷା ସମୟରେ ରହିବାର ଅସୁବିଧା ନେଇ ଚିନ୍ତିତ ଅଛନ୍ତି। କେତେଜଣ ପରୀକ୍ଷାର୍ଥୀ ଅନ୍ଲାଇନ୍ରେ ପରୀକ୍ଷା ପରିଚାଳନା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତାହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ବର୍ଷର ଡିଇଏଲ୍ଇଡିର ପରୀକ୍ଷା କେନ୍ଦ୍ରଗୁଡ଼ିକ ପ୍ରତ୍ୟେକ ଡିଆଇଇଟିର ୫କିମି ମଧ୍ୟରେ କରିବାକୁ ନିଷ୍ପତ୍ତି ନିଆଯାଇଛି।
ପରୀକ୍ଷାର୍ଥୀ ପଢ଼ୁଥିବା ଡିଆଇଇଟି/ଇଟିଇଆଇ/ଡିଆର୍ସିରେ ଯଥାସମ୍ଭବ ରହିବାର ବ୍ୟବସ୍ଥା କରିବା ପାଇଁ ପ୍ରଯତ୍ନ କରାଯିବ। ଯେଉଁ ପରୀକ୍ଷାର୍ଥୀ ଏହି ସୁବିଧା ଉପଲବ୍ଧ କରିବାକୁ ଚାହୁ ନଥିବେ, ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରଗୁଡ଼ିକ ମଧ୍ୟରୁ କେଉଁଠି ସେମାନେ ପରୀକ୍ଷା ସୁବିଧାରେ ଦେଇପାରିବେ, ସେ ବିଷୟରେ ସେମାନଙ୍କର ମତ(ଅପ୍ସନ୍) ନିଆଯାଇ ସେହି କେନ୍ଦ୍ରରେ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବ। ପରୀକ୍ଷାର୍ଥୀମାନେ ସେମାନେ ପଢ଼ୁଥିବା ଡିଆଇଇଟି ମାଧ୍ୟମରେ ଏହି ଅପ୍ସନ୍ ଦେବେ। ଏନେଇ ବୋର୍ଡ ତରଫରୁ ଯଥାଶୀଘ୍ର ବିଜ୍ଞପ୍ତି ଜାରି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
କୋଭିଡ୍-୧୯ ମାର୍ଗଦର୍ଶିକା ଅନୁଯାୟୀ, ପରୀକ୍ଷା କେନ୍ଦ୍ରରେ ଥର୍ମାଲ ସ୍କ୍ରିନିଂ ସହ ବିଶୋଧନ ବ୍ୟବସ୍ଥା କରାଯାଇ ପରୀକ୍ଷା ପରିଚାଳନା କରାଯିବ। ଆବଶ୍ୟକ ହେଲେ ପରୀକ୍ଷା ସୂଚୀରେ ସାମୟିକ ପରିବର୍ତ୍ତନ କରାଯିବ। ଏବେ ପ୍ରାୟତଃ ସବୁ ପରୀକ୍ଷା କୋଭିଡ୍-୧୯ ମାର୍ଗଦର୍ଶିକା ଅନୁପାଳନ କରି ଅଫ୍ଲାଇନ୍ରେ ପରିଚାଳନା ହେଉଛି। ଏହି ପରିପ୍ରେକ୍ଷୀରେ ପରୀକ୍ଷାର୍ଥୀଙ୍କ ଅଫ୍ଲାଇନ୍ ମାଧ୍ୟମରେ ପରୀକ୍ଷା ପରିଚାଳନା କରିବାରେ ସହଯୋଗ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଅକ୍ଟୋବର ୧୮ ସୁଦ୍ଧା ପରୀକ୍ଷାର୍ଥୀ ଅପ୍ସନ୍ ଦେଇପାରିବେ। ବୈଠକରେ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍ର ଅଧ୍ୟକ୍ଷ ରାମାସିସ୍ ହାଜ୍ରାଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Follow Us