Image Courtesy of The Quint
ରସୁଲପୁର : କୁଆଖିଆ ଥାନା ହରିପୁର ଜଗନ୍ନାଥ ମାର୍କେଟରେ ଥିବା ଏକ ଏଟିଏମ୍ରୁ ୪ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍ ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଲୁଟ୍ରେ ୭ ଜଣ ସଂପୃକ୍ତ ଏବଂ ରାଜ୍ୟ ବାହାର ପେସାଦାର ଲୁଟେରା ସାମିଲ ଥିବା ତଦନ୍ତରୁ ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ହେଉଛି ଦିଲ୍ଲୀର ଦୀପକ ପୋଦ୍ଦାର(୨୯)। ତାକୁ ଗତ ୨୨ ତାରିଖରେ ଦିଲ୍ଲୀରୁ ଗିରଫ କରାଯାଇଛି।
ଯାଜପୁର ଏସ୍ପି ରାହୁଲ ପିଆରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସଆଇ ଦୁଷ୍ମନ୍ତ ଦାସ ଦିଲ୍ଲୀରୁ ଦୀପକକୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ତରେ କୁଆଖିଆ ଥାନାକୁ ଆଣି ପଚରାଉଚରା କରିଛନ୍ତି। ଦୀପକର ସୂଚନା ଅନୁସାରେ ଏହି ଘଟଣାରେ ମୋଟ ୭ଜଣ ସଂପୃକ୍ତ। ସମସ୍ତେ ରାଜ୍ୟ ବାହାରର। ରାଜସ୍ଥାନର ଦୁଇଜଣ ୱାସିମ୍ ଆକ୍ରାମ୍ ଓ ଇରଫାନ୍ ଖାନ, ହରିୟାଣାର କନୱର ସିଂ ଓ ବିହାର ପାଟନାର ସୋନୁ, ମନୋଜ ଓ ପିଣ୍ଟୁ ଅଛନ୍ତି। ଏମାନେ ସମସ୍ତେ ପେସାଦାର ଏଟିଏମ ଲୁଟେରା। ପାଟନାରେ ସୋନୁର ମେଘା ପ୍ୟାଲେସ୍ ନାମରେ ଏକ ଓୟୋ ହୋଟେଲ୍ ରହିଛି।
ଏହି ଲୁଟ୍ ଘଟଣାରେ ସୋନୁ ହିଁ ମାଷ୍ଟର ମାଇଣ୍ତ ବୋଲି ପୁଲିସ କହିଛି। ବିଭିନ୍ନ ରାଜ୍ୟରେ ଏହି ଗ୍ୟାଙ୍ଗ୍ ନିୟମିତ ଏଟିଏମ୍ ଲୁଟ୍ କରିଥାନ୍ତି। ସୋନୁର ଆମନ୍ତ୍ରଣକ୍ରମେ ସମସ୍ତେ ପାଟନାସ୍ଥିତ ତା’ର ଓୟୋ ହୋଟେଲରେ ଏକାଠି ହୋଇଥିଲେ। ସେଠାରୁ ଏକ ଇନୋଭାରେ ଓଡ଼ିଶା ଆସି ପ୍ରଥମେ ଏଟିଏମ୍ ସ୍ଥିତି ଯାଞ୍ଚ କରି ଫେରିଯାଇଥିଲେ। ପରେ ଅଗଷ୍ଟ ୨୬ ତାରିଖରେ ଏକ ବ୍ରିଜା କାରରେ ଆସି ଏଟିଏମ୍ରୁ ଟଙ୍କା ଲୁଟି ପାଟନା ଫେରିଯାଇଥିଲେ। ସେଠାରେ ସୋନୁର ହୋଟେଲରେ ୨୯ ତାରିଖ ପର୍ଯ୍ୟନ୍ତ ରହିଥିଲେ। ୩୦ ତାରିଖରେ ସେଠାରୁ ସମସ୍ତେ ଦିଲ୍ଲୀ ଚାଲି ଯାଇଥିଲେ। ପୁଲିସ ଡମ୍ପିଂରୁ ନମ୍ବର ପାଇ ତାକୁ ଟ୍ରାକିଂ କରି ଦୀପକ ପାଖରେ ପହଞ୍ଚିରେ ସଫଳ ହୋଇଥିଲା। ଅନ୍ୟମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି। ଲୁଟ୍ ହୋଇଥିବା ଟଙ୍କା ଜବତ ହୋଇନାହିଁ। ଟ୍ରାଞ୍ଜିଟ ରିମାଣ୍ତ ସରିବା ପରେ ଅଜି ଦୀପକକୁ କୋର୍ଟଚାଲାଣ କରାଯାଇଛି। ଏସଆଇ ଭାଗବତ ମାହାଲି ଘଟଣାର ତଦନ୍ତ କରୁଛନ୍ତି।
Follow Us