ନୀତି ଆୟୋଗର ଡେଲ୍‌ଟା ରାଙ୍କିଙ୍ଗ: ଶିକ୍ଷା ଥିମ୍‌ରେ କୋରାପୁଟ ଜିଲ୍ଲା ପ୍ରଥମ

୨୮ରୁ ଖୋଲିବ ସ୍ବତନ୍ତ୍ର ବିଦ୍ୟାଳୟ

କୋରାପୁଟ : ନୀତି ଆୟୋଗର ଡେଲ୍ଟା ରାଙ୍କିଙ୍ଗରେ ପୁଣି ପ୍ରଥମ ସ୍ଥାନରେ ରହିଛି କୋରାପୁଟ ଜିଲ୍ଲା। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଶିକ୍ଷା ଥିମ୍‌ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ୨୦୨୧ ଅଗଷ୍ଟ ମାସରେ କୋରାପୁଟ ଜିଲ୍ଲା ପ୍ରଥମ ସ୍ଥାନରେ ରହିଥିବା ବେଳେ ୨୦୨୧ ନଭେମ୍ବର ମାସରେ ପ୍ରକାଶିତ ରାଙ୍କିଙ୍ଗରେ କୋରାପୁଟ ପୁଣି ପ୍ରଥମ ସ୍ଥାନରେ ରହିଛି। ଏଥିସହ ଏହି ରାଙ୍କିଙ୍ଗରେ କର୍ଣ୍ଣାଟକର ୟାଦଗିରି ଦ୍ବିତୀୟ, ଆସାମର ବରପେଟା ତୃତୀୟ, ରାଜସ୍ଥାନର ଜୈସଲମେର ଚତୁର୍ଥ ଓ ଆସାମର ବାକ୍‌ସା ପଞ୍ଚମ ସ୍ଥାନରେ ରହିଛି।

୨୦୧୮ ମସିହାରେ ୧୦୯ ନମ୍ବର ରାଙ୍କିଙ୍ଗରେ ଥିବା କୋରାପୁଟ ଜିଲ୍ଲା ଗତ ବର୍ଷ ଅଗଷ୍ଟ ଏବଂ ନଭେମ୍ବର ମାସରେ ପ୍ରଥମ ସ୍ଥାନରେ ପହଞ୍ଚିଥିଲା। ଶିକ୍ଷା ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ୨୦୨୧ ଜୁନ୍‌ ମାସ ପାଇଁ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଦ୍ବାରା ଘୋଷିତ ଡେଲ୍‌ଟା ରାଙ୍କିଙ୍ଗ ଅନୁଯାୟୀ ୫ ସର୍ବାଧିକ ଉନ୍ନତ ଜିଲ୍ଲାରେ ଓଡ଼ିଶାର ପ୍ରଥମ ଜିଲ୍ଲା ଭାବେ ସ୍ଥାନ ଦଖଲ କରିଥିଲା କୋରାପୁଟ। ସେହି ସମୟରେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ତୃତୀୟ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ଆସାମର ବରପେଟା, ଚତୁର୍ଥରେ ଆସାମର ଧୁବ୍ରୀ ଓ ଉତ୍ତରପ୍ରଦେଶର ଚନ୍ଦୌଲି ରହିଥିଲା। ଶିକ୍ଷା ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଦେଶରେ ପ୍ରଥମ ସ୍ଥାନରେ ଥିବା କୋରାପୁଟ ଜିଲ୍ଲାର ୫ଟି ମୁଖ୍ୟ ଉତ୍ସକୁ ଆଧାର କରି ରାଙ୍କିଙ୍ଗ କରାଯାଇଥିବା ବେଳେ ଏଥିରେ ଶିକ୍ଷାର ଭିତ୍ତିଭୂମି, ଶିକ୍ଷକଙ୍କ ଉପସ୍ଥାନ, ଛାତ୍ରଙ୍କ ଉପସ୍ଥାନ, ସୁଷମ ପୁସ୍ତକ ବଣ୍ଟନ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାକୁ ଆଧାର କରି ରାଙ୍କ ଦିଆଯାଇଛି। କରୋନା ପାଇଁ ବର୍ତ୍ତମାନ ସ୍କୁଲ ବନ୍ଦ ରହିଥିବାରୁ କେବଳ ଭିତ୍ତିଭୂମି ଓ ଶ୍ରେଣୀକୁ ଆଧାର କରି ଏହି ରାଙ୍କ ମିଳିଛି।

କରୋନା ଯୋଗୁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବାରୁ ବିଦ୍ୟାଳୟକୁ ଆସୁଥିବା ଅନୁଦାନକୁ ପ୍ରଶାସନ ପକ୍ଷରୁ ବ୍ୟବହାର କରାଯାଇ ଜିଲ୍ଲାର ଶିକ୍ଷା ଭିତ୍ତିଭୂମିକୁ ବିକାଶିତ କରାଯାଇଥିଲା। ଏହାକୁ ଆଧାର କରି ନୀତି ଆୟୋଗର ଡେଲ୍‌ଟା ରାଙ୍କିଙ୍ଗରେ କୋରାପୁଟ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣା ପଡ଼ିଛି। ଏଥିସହ ୫-ଟି ଅଧୀନରେ ସ୍କୁଲର ରୂପାନ୍ତରୀକରଣ ଏହି ରାଙ୍କିଙ୍ଗକୁ ବର୍ଦ୍ଧିତ କରିବାରେ ସହଯୋଗ କରିଛି। ଏ ନେଇ ଜିଲ୍ଲାପାଳ ଅବଦ୍ଦଲ ଏମ୍‌. ଅଖତର କହିଛନ୍ତି ଯେ, କୋଭିଡ୍‌ ଯୋଗୁ ସ୍କୁଲ ବନ୍ଦ ରହିଥିବାରୁ ଭିତ୍ତିଭୂମିକୁ ବିକାଶ କରିବାର ସଠିକ ସମୟ ରହିଥିଲା। ଏହି ସମୟର ସଠିକ୍‌ ଉପଯୋଗ କରାଯାଇଛି। ବିଭିନ୍ନ ଅନୁଦାନକୁ ବ୍ୟବହାର କରାଯିବା ସହ ୧୮ଟି ଆକାଂକ୍ଷା ବିଦ୍ୟାଳୟ ଯୋଗୁ ଦେଶରେ ଜିଲ୍ଲା ଏକ ନମ୍ବର ସ୍ଥାନରେ ରହିଛି। ଏହାକୁ ଭିତ୍ତି କରି ନୀତି ଆୟୋଗ ଜିଲ୍ଲାକୁ ପ୍ରାଧାନ୍ୟ ଦେଇଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe