ଭୋଟିଂରେ ଅଙ୍ଗନବାଡ଼ି ସହାୟିକା ନିଯୁକ୍ତି ‌ଦାବି, କେନ୍ଦ୍ରରେ ତାଲା ମାରିଲେ ମହିଳା

Advertisment
ଭୋଟିଂରେ ଅଙ୍ଗନବାଡ଼ି ସହାୟିକା ନିଯୁକ୍ତି ‌ଦାବି, କେନ୍ଦ୍ରରେ ତାଲା ମାରିଲେ ମହିଳା

ହାଟଡିହି: ହାଟଡିହି ବ୍ଲକ୍‌ ବାରିଗାଁ ଅଙ୍ଗନବାଡ଼ି କେନ୍ଦ୍ରର ସହାୟକ ନିଯୁକ୍ତି ଭୋଟିଂ ମାଧ୍ୟମରେ କରିବାକୁ ସ୍ଥାନୀୟ ମହିଳାମାନେ ଦାବି କରିଛନ୍ତି। ଏନେଇ ଆଜି ୫୦ରୁ ଊର୍ଦ୍ଧ୍ବ ମହିଳା ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଛନ୍ତି। ମହିଳାଙ୍କୁ ଅଭିଯୋଗ ଅନୁଯା‌ୟୀ, ଅଙ୍ଗନବାଡ଼ି କେନ୍ଦ୍ରର ସହାୟକ ପଦବି ପାଇଁ ପୂର୍ବରୁ ଏକ ଚୟନ ପ୍ରକ୍ରିୟା ବାରିଗାଁ ସ୍କୁଲ୍‌ ପରିସରରେ ହେବାକୁ ନୋଟିସ୍‌ କରାଯାଇଥିଲା। ଏଥିରେ ଆଶାୟୀଙ୍କ ଓ ସେମାନଙ୍କ ସମର୍ଥକମାନେ ଉପସ୍ଥିତ ଥିଲେ। କିନ୍ତୁ ସେଦିନ ଗ୍ରାମରେ ଅଷ୍ଟପ୍ରହରି ଚାଲୁଥିବା ଦର୍ଶାଇ ଏହାକୁ ବାତିଲ କରାଯାଇଥିଲା।

ମାସେ ପରେ ବ୍ଲକ୍‌ରେ ସିଡିପିଓଙ୍କ କାର୍ଯ୍ୟାଳୟରେ ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯାଇଛି। ଯାହାକୁ ଗ୍ରାମର ମହିଳାମାନେ ବିରୋଧ କରିଛନ୍ତି। ଅଙ୍ଗନବାଡ଼ି ଆସୁଥିବା ପିଲାଙ୍କ ଉତ୍ତମ ଯତ୍ନ ଯିଏ ନେଇପାରିବ ଏବଂ ଅଭିଭାବିକମାନେ ଯାହାକୁ ସମର୍ଥନ ଜଣାଇବେ ସେ ସହାୟକ ପଦବିରେ ନିଯୁକ୍ତି ପାଇବାର ବ୍ୟବସ୍ଥା ରହିଛି। ହେଲେ ଏଠାରେ ତାହା କରାନଯାଇ କିଛି ପ୍ରଭାବଶାଳୀ ଲୋକଙ୍କ ଚାପରେ ସା‌କ୍ଷାତକାର ମାଧ୍ୟମରେ ସହାୟିକା ଚୟନ କରାଯାଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି।

ମମତା ଭୋଇ, ଝରଣା ପ୍ରଧାନ, ସତ୍ୟଭାମା ସେଠୀ, ଅଞ୍ଜୁଲତା ଦାସ, ଜୟନ୍ତୀ ସେଠୀ, ମଞ୍ଜୁଲତା ଜେନା, ବୀଣାପାଣି ସେଠୀ, ବାସନ୍ତୀ ସେଠୀ, ମନୋରମା ସେଠୀ, କମଳା ସେଠୀ, ଅହଲ୍ୟା ନାୟକ, ତୁଳସୀ ସେଠୀ, ସାବିତ୍ରୀ ସେଠୀ, ଝରଣା ମଲ୍ଲିକ, ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ, ମଧୁସ୍ମିତା ଖୁଣ୍ଟିଆ, ମଞ୍ଜୁଲତା ନାୟକ, ସବିତା ନାୟକ, ଟୁନୁ ନାୟକ ପ୍ରମୁଖ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି। ଏ ସମ୍ପର୍କରେ ସିଡିପିଓଙ୍କୁ ପଚାରିବାରୁ, ଗାଇଡ୍‌ଲାଇନ୍‌ ଅନୁସାରେ ସହାୟିକା ନିଯୁକ୍ତି କରାଯାଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe