ଦାନଗଦୀ: ଟମକା ରେଲୱେ ପ୍ଲଟ୍ ବନ୍ଦ ଦାବିରେ ଦାନଗଦୀ ବ୍ଲକ୍ ଦେଉଳକଣ ପଞ୍ଚାୟତବାସୀ ପ୍ରଦୂଷଣ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶୀଘ୍ର ଏହି ପ୍ଲଟ୍ ସମ୍ପୂର୍ଣ୍ଣ ବନ୍ଦ ନହେଲେ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଅଭିଯୋଗ ମୁତାବକ, ଏହି ପ୍ଲଟ୍ରେ ଦୁଇଟି ସଂସ୍ଥା କୋଇଲା ପରିବହନ ଓ ଗୋଟିଏ ସଂସ୍ଥା ଲୁହାପଥର ପରିବହନ ପାଇଁ ଅନୁମତି ପାଇଛି। କୋଇଲା ପରିବହନରେ ଗୋଦାବରୀ ଠିକାସଂସ୍ଥା କାର୍ଯ୍ୟରତ ଥିବାବେଳେ ସ୍ୟାଣ୍ଡଉଇଚ ଠିକାସଂସ୍ଥାକୁ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ପକ୍ଷରୁ ଅନୁମତି ମିଳିଛି। ଗୋଟିଏ ସଂସ୍ଥାର କାମ ଚାଲିଥିବା ବେଳେ ପ୍ରଦୂଷଣ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ନିକଟରେ ଥିବା ଗଣ୍ଡାନାଳ ଜଳ ପ୍ରଦୂଷଣ ହେଉଛି। ସ୍ଥାନୀୟ ଲୋକେ ଯକ୍ଷ୍ମା, ଜଣ୍ଡିସ, କିଡ୍ନି ଓ ଚର୍ମ ରୋଗରେ ପୀଡ଼ିତ ହେଉଛନ୍ତି।
ଏହି କୋଇଲା ଷ୍ଟକୟାର୍ଡ ଠାରୁ ମାତ୍ର ୨ଶହ ମିଟର ଦୂରରେ ପଥରବନ୍ଧ ପ୍ରାଥମିକ ବିଦ୍ୟାଳୟ ରହିଛି। କୋଇଲା ଗୁଣ୍ଡ ଉଡ଼ି ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋଇଲା ଷ୍ଟକୟାର୍ଡ ଠାରୁ ଅଳ୍ପ ଦୂରରେ ଅସନଝର, ଡଗରପଡ଼ା, ବଣସାହି, ଅଁଳାପଦା, ବଗପାଟିଆ, ପଟୁବାହାଳି ଓ ପଥରବନ୍ଧ ପ୍ରଭୃତି ଗ୍ରାମର ୨ ହଜାରରୁ ଅଧିକ ଲୋକ ବାସ କରୁଛନ୍ତି। କୋଇଲା ପ୍ଲଟ୍ ପାଇଁ ଲୋକଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୂର୍ବରୁ ଏହି ପ୍ଲଟ୍ ରାସ୍ତା ଦେଇ ବଣସାହି ଓ ଅଁଳାପଦାର ଛାତ୍ରଛାତ୍ରୀ ଝାଡେଶ୍ୱର କଲେଜ ଯାଉଥିଲେ।
ଏବେ ପ୍ରଦୂଷଣ ପାଇଁ ୮ କି.ମି. ରାସ୍ତା ବୁଲିବୁଲି ଯିବାକୁ ବାଧ୍ୟ ହେଉଛନ୍ତି। ଆଖପାଖର ଚାଷଜମି କୋଇଲା ଗୁଣ୍ଡ ପାଣି ପଶି ପ୍ରଭାବିତ ହୋଇଛି। ଏହି ସମସ୍ୟାର ସମାଧାନ ପାଇଁ ଏଠାରେ ଥିବା ପ୍ଲଟ୍ର ପ୍ରଦୂଷଣ ଅନୁମତି ବାତିଲ କରିବାକୁ ଲୋକେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି। ପୂର୍ବତନ ସରପଞ୍ଚ ନରୋତ୍ତମ ବେହେରା, ସୁରେଶ ମହାନ୍ତ, ସୌମ୍ୟରଞ୍ଜନ ଜେନା, ମହେଶ୍ଵର ମହାନ୍ତ, ହିମାଂଶୁ ମହାନ୍ତ, ସନ୍ତୋଷ ମହାନ୍ତ, ଆଶିଷ ଜେନା, ଅଜୟ ଚାନ୍ଦ, ରାଜେନ୍ଦ୍ର ମହାନ୍ତ, ଭାରତ ମହାନ୍ତ, ପପୁନ ମହାନ୍ତ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ। ଏସମ୍ପର୍କରେ ତଦନ୍ତ କରାଯାଇ ଠିକାସଂସ୍ଥାକୁ ନୋଟିସ କରାଯାଇଥିବା ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଆଞ୍ଚଳିକ ଅଧିକାରୀ ପ୍ରମୋଦ ବେହେରା କହିଛନ୍ତି।
Follow Us