ବରପାଲି ରେଲୱେ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଦାବିରେ ମାନବ ଶୃଙ୍ଖଳ

Advertisment
ବରପାଲି ରେଲୱେ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଦାବିରେ ମାନବ ଶୃଙ୍ଖଳ

ବରପାଲି: ବରପାଲି ରେଲୱେ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଦାବି ନେଇ ଶୁକ୍ରବାର ନାଗରିକ ଅଧିକାର ଆନ୍ଦୋଳନ ସଂଗଠନ ନେତୃତ୍ୱରେ ଏକ ମାନବ ଶୃଙ୍ଖଳ ସହ ସହର ପରିକ୍ରମା ଅନୁଷ୍ଠିତ ହୋଇଥିଲା। ପ୍ରକାଶଯୋଗ୍ୟ ଗତ ୨୦୧୭ ମସିହାରୁ ହାଇସ୍କୁଲ ନିକଟରେ ରେଲୱେ ଓଭର ବ୍ରିଜ ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ ନ ହୋଇ ଅଧୁରା ପଡ଼ିରହିଛି। ନିର୍ମାଣ ସମ୍ପୂର୍ଣ୍ଣ କରିବା ଅବଧି ମଧ୍ୟ କେତେ ଦିନରୁ ସରିଗଲାଣି। ଅଧୁରା କାର୍ଯ୍ୟ ଯୋଗୁଁ ବ୍ୟାପକ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ପ୍ରତ୍ୟହ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ଦାବି ନେଇ ନାଗରିକ ଅଧିକାର ଫାଉଣ୍ଡେସନ ଦୀର୍ଘ ୭୫ ଦିନ ହେଲା ଧାରଣାରେ ଜାରି ରଖିଥିବା ବେଳେ ଜନ ପ୍ରତିନିଧି କିମ୍ବା ପ୍ରଶାସନ କେହି ବି ଆଦୌ ପଦକ୍ଷେପ ନ ନେବା ଆଶ୍ଚର୍ଯ୍ୟର ଘଟଣା ବୋଲି ଚର୍ଚ୍ଚା ହେଉଛି।

ଏପରିକି ଆନ୍ଦୋଳନକାରୀଙ୍କ ସହ କେହି ଆଲୋଚନା ମଧ୍ୟ କରି ନାହାନ୍ତି। ଏହାକୁ ନେଇ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ଜନ ଅସନ୍ତୋଷ ଦେଖା ଦେଇଛି। ଅଞ୍ଚଳ ତଥା ଜିଲ୍ଲାର ବହୁ ସଂଗଠନ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା ବେଳେ ଧୀରେ ଧୀରେ ଏହା ଗ୍ରାମାଞ୍ଚଳକୁ ବ୍ୟାପିଲାଣି। ଆଜିର ମାନବ ଶୃଙ୍ଖଳ ଶୋଭାଯାତ୍ରାରେ ଗ୍ରାମାଞ୍ଚଳରୁ ବହୁ ଲୋକ ଓ ଚାଷୀଙ୍କ ସହ ବରପାଲିର ଟ୍ୟାକ୍ସି ଡ୍ରାଇଭର ସଂଘ, ଟ୍ୟାକ୍ସି ମାଲିକ ସଂଘ, ମୁସଲିମ ସମାଜ, ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ, କୋଶଳ ସେନା, ପ୍ରସ୍ତର ଶିଳ୍ପୀ କାରିଗର ସଂଘ ବାରଙ୍ଗପାଲି ପ୍ରମୁଖ ସାମିଲ ହୋଇଥିଲେ। ଚାଷୀ ନେତା ଲିଙ୍ଗରାଜ, ଶିବ ପ୍ରଧାନ, କିଶୋର ଦଫାଦାର, ହର ବଣିଆ, ସୁନୀଲ ସାହୁ, କମଲେଶ ରାୟ, କିରଣ ପଟ୍ଟନାୟକ, କିଶୋର ନାୟକ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe