ଭୁବନେଶ୍ବର : ରାଜ୍ୟରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବା ପିଏଚ୍ସିରେ ଦନ୍ତ ଚିକିତ୍ସିକଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛି ଦନ୍ତ ଚିକିତ୍ସକ ସଂଘ। ରାଜ୍ୟରେ ପ୍ରତିବର୍ଷ ଶତାଧିକ ଦାନ୍ତ ଡାକ୍ତର ବିଭିନ୍ନ ମେଡିକାଲ କଲେଜରୁ ପାସ୍ କରୁଥିଲେ ହେଁ, ସେମାନଙ୍କ ପାଇଁ ନିଯୁକ୍ତି ନାହିଁ। ଏବେ ରାଜ୍ୟରେ ୧ହଜାରରୁ ଅଧିକ ଦାନ୍ତ ଡାକ୍ତର ବେକାର ରହିଛନ୍ତି। ତେଣୁ ପିଏଚ୍ସି ସ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ଦିଆଗଲେ ଏହାର ସମାଧାନ ହୋଇପାରିବ ବୋଲି ସଂଘ କହିଛି।
ସଂଘର କହିବା ମୁତାବକ, ଏସ୍ସିବି ମେଡିକାଲକୁ ବାଦ୍ ଦେଲେ ରାଜ୍ୟର ଅନ୍ୟ ୩ଟି ବେସରକାରୀ ମେଡିକାଲ କଲେଜରେ ପ୍ରତିବର୍ଷ ୩୫୦ ଦାନ୍ତ ଡାକ୍ତର ବାହାରୁଛନ୍ତି। ମାତ୍ର ସରକାରୀ ସ୍ତରରେ ଏଥିପାଇଁ ନିଯୁକ୍ତି ନ ଥିବାରୁ ବାଧ୍ୟ ହୋଇ ଅନ୍ୟ ପେଷାକୁ ଆପଣାଉଛନ୍ତି। ଏପରିକି ବେସରକାରୀ କ୍ଲିନିକ୍ରେ ବହୁତ କମ୍ ଟଙ୍କାରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟରେ ୧୨ଶହ ପିଏଚ୍ସି ରହିଛି, ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ଏସବୁ ଡାକ୍ତରଖାନାରେ ନିଯୁକ୍ତି ଦିଆଯାଆନ୍ତା ତେବେ ଏହି ସମସ୍ୟାର ସମାଧାନ ହୋଇପାରିନ୍ତା। ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ହରିୟାଣା ଓ ଛତିଶଗଡ଼ରେ ପିଏଚ୍ସିରେ ଦନ୍ତ ଚିକିତ୍ସକ ରହୁଥିବା ବେଳେ ଓଡ଼ିଶାରେ ଏଭଳି ବ୍ୟବସ୍ଥା ନାହିଁ। ତେଣୁ ରାଜ୍ୟ ସରକାର ପିଏଚ୍ସି ସ୍ତରରେ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦେବାକୁ ସଂଘ ଦାବି କରିଛି। ଏ ସଂକ୍ରାନ୍ତରେ ସଂଘ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଏ ସଂପର୍କରେ ଦାବି ଜଣାଇଛି।
Follow Us