ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ଦାବି, ସମ୍ବଲପୁର ବନ୍ଦ ଆଜି

Advertisment
ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ଦାବି, ସମ୍ବଲପୁର ବନ୍ଦ ଆଜି

Kosal Discussion and Development Forum

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେବା ବଦଳରେ ପରୋକ୍ଷ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି। ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାବାସୀଙ୍କ ନ୍ୟାୟସଂଗତ ଦାବି ପୂରଣ ନକରି ଏହା ବିରୋଧରେ ଷଡ୍‌ଯନ୍ତ୍ର କରୁଥିବା ନେଇ ଅଭିଯୋଗ ଆଣିଛି ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି। ପଶ୍ଚିମ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପ୍ରତିଷ୍ଠା ଦାବିରେ ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ଆସନ୍ତା ୨୩ ତାରିଖ ବୁଧବାର ୧୨ଘଣ୍ଟିଆ ସମ୍ବଲପୁର ବନ୍ଦର ଡାକରା ଦେଇଥିବା ବେଳେ ଏଥିପ୍ରତି ବିଭିନ୍ନ ସଂଗଠନର ସମର୍ଥନ ବଢ଼ୁଥିବା ଦେଖିବାକୁ ମିଳିଛି।

ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷରୁ ଜନସାଧାରଣ ତଥା ଓକିଲମାନେ ଆନ୍ଦୋଳନ ଚଳାଇ ଆସୁଥିଲେ ବି  ରାଜ୍ୟ ସରକାର ଠୋସ୍ ପ୍ରସ୍ତାବ ଦେବା ପରିବର୍ତ୍ତେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ପଶ୍ଚିମ ଓଡ଼ିଶାକୁ ସବୁକ୍ଷେତ୍ରରେ ଅବହେଳା କରାଯାଉଛି। ନାଗରିକ କ୍ରିୟାନୁଷ୍ଠାନ କମିଟିର ଆବାହକ ଅରବିନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ ଗତ ୧୮ ତାରିଖ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଠୋର ସମାଲୋଚ଼ନା କରାଯିବା ସହିତ ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା କରାଇ ନ ଦେବା ପାଇଁ ହେଉଥିବା ଷଡ୍‌ଯନ୍ତ୍ରରେ ସଂଶ୍ଲିଷ୍ଟ ସମସ୍ତ ପକ୍ଷଙ୍କୁ ଭର୍ସନା କରାଯାଇଥିଲା। ସମ୍ବଲପୁର ପାଇଁ ବିକାଶମୂଳକ ଯୋଜନା ହାତକୁ ନନେଇ ରାଜ୍ୟ ସରକାର ଏହି ସହରକୁ ପରୀକ୍ଷାଗାର କରିବାକୁ ଯାଇ ପାଣି ମିଟର ଲଗାଇବା ପାଇଁ ଉଦ୍ୟମ କରୁଛନ୍ତି। ବୈଠକରେ ଏଭଳି ନିଷ୍ପତ୍ତି ପାଇଁ ସରକାରଙ୍କ ଭର୍ତ୍ସନା କରାଯାଇଥିଲା।

ଏଥି ସହିତ ୨୩ ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର, ଅଫିସ, କଚେରି, ଗାଡ଼ି ଚଳାଚଳକୁ ବନ୍ଦ ରଖିବା ପାଇଁ ଆହ୍ବାନ ଦିଆଯାଇଛି। ତେବେ, ଅତ୍ୟାବଶ୍ୟକ ସେବା ଏବଂ ବିଭିନ୍ନ ପ୍ରକାର ପରୀକ୍ଷାକୁ ବନ୍ଦରୁ ବାଦ୍ ଦିଆଯାଇଛି। ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ ତଥା ପରୀକ୍ଷକଙ୍କ ଗାଡ଼ିକୁ ନଅଟକାଇବା ପାଇଁ ନିଷ୍ପତ୍ତି ହୋଇଛି। ବୈଠକରେ ସହରର ବିଭିନ୍ନ ବ୍ୟବସାୟୀ ସଂଘ ଯୋଗଦେଇ ବନ୍ଦ ଡାକରାକୁ ସମର୍ଥନ କରିଥିଲେ। ଏପଟେ ସମ୍ବଲପୁର ନାଗରିକ କମିଟି ଏହି ବନ୍ଦ ପାଳନରେ ଚିତ୍ରୋତ୍ପଳା ଯୁବକ ସଂଘ ଓ ନନ୍ଦପଡ଼ା ଶୀତଳ ଷଷ୍ଠୀଯାତ୍ରା କମିଟି ସକ୍ରିୟ ଭାବରେ ସହଯୋଗ ଓ ସମର୍ଥନ କରିବ ବୋଲି ଏହାର ସଂପାଦକ ଇଂ. ପ୍ରଭୁଦତ୍ତ ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ସମ୍ବଲପୁର ବନ୍ଦ ଡାକରାକୁ ସମସ୍ତ କୋଶଳବାଦୀ ସଂଗଠନ ଓ କୋଶଲ ସଂଗ୍ରାମୀ ନିସର୍ତ୍ତ ସମର୍ଥନ ଜଣାଇଛନ୍ତି। ପଶ୍ଚିମ ଓଡିଶା ବା କୋଶଳାଅଂଚଳ ପ୍ରତି ହୋଇଆସୁଥିବା ପାତରଅନ୍ତରର ପରିସମାପ୍ତି ପାଇଁ ଏହା ହିଁ ଏକମାତ୍ର ବିକଳ୍ପ ବୋଲି କୋଶଳବାଦୀ ନେତା ବିରେନ୍ଦ୍ର ପାଣିଗ୍ରାହୀ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe