କୁଆଁରିଆ କେନାଲର ପୁନରୁଦ୍ଧାର ଦାବି

ଫାଇଲ୍ ତଳେ ମୁଖ୍ୟମନ୍ତ୍ରୀ ଦପ୍ତରର ନିର୍ଦ୍ଦେଶନାମା, ଦୁର୍ଦ୍ଦଶା ଭୋଗୁଛନ୍ତି ଶତାଧିକ ଚାଷୀ ଓ ଗ୍ରାମବାସୀ

କୁଆଁରିଆ କେନାଲର ପୁନରୁଦ୍ଧାର ଦାବି

ଦଶପଲ୍ଲା : ଚାଷ ଓ ଚାଷୀଙ୍କ ବିକାଶ ପ୍ରତି ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ ଆଗ୍ରାଧିକାର ଦେଉଛନ୍ତି। ଚାଷ ଜମିକୁ ପାଣି ପହଞ୍ଚାଇବା ପାଇଁ କେନାଲ୍ ମାଧ୍ୟମ ସାଜିଥିବା ବେଳେ ବର୍ଷବର୍ଷ ଧରି ପୋତି ହୋଇ ରହିଥିବା ଏକ କେନାଲର୍ ପୁନରୁଦ୍ଧାର ପାଇଁ ଶତାଧିକ ଚାଷୀ ଏବଂ ଗ୍ରାମବାସୀ ଦାବି ଉଠାଇଛନ୍ତି। ଚାଷୀଙ୍କ ଜମିକୁ ପାଣି ନଯାଇ ଚାଷୀ ଦେଉଛନ୍ତି ଜଳକର। ଜଳ ଅଭାବରୁ ପ୍ରତିବର୍ଷ ଚାଷ ପ୍ରଭାବିତ ହେଉଛି। ଫଳରେ ଗ୍ରାମବାସୀ ସ୍ଥାନୀୟ ଜଳ ସମ୍ପଦ ବିଭାଗଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀ ଦପ୍ତର ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନି। ଏପରିକି ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବା ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଗ୍ରାମବାସୀଙ୍କୁ ଅବଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ଶିବିରରୁ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ଏହା ଅଧିକାରୀଙ୍କ ଫାଇଲ୍ ତଳେ ଚାପି ହୋଇ ପଡ଼ିଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି, ଦଶପଲ୍ଲା ଏନ୍ଏସି ଅଧୀନସ୍ଥ ୧୧ ଓ ୧୨ ନମ୍ବର ୱାର୍ଡ କୃଷ୍ଣଚନ୍ଦ୍ରପୁର ଗ୍ରାମବାସୀ।

ଅଧୀବାସୀଙ୍କ ଅଭିଯୋଗ ଅନୁଯାୟୀ, କୁଆଁରିଆ ଜଳସେଚନ ବିଭାଗ ଅଧୀନରେ ଥିବା କେନାଲ୍‌ଟି ୫୭ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ୧୨ ନମ୍ବର ୱାର୍ଡ ମଧ୍ୟଦେଇ ଚାଷଜମିକୁ ଯାଇଛି। ଏହି କେନାଲ୍‌ରେ ପାଣି ପ୍ରବାହିତ ହେବାଦ୍ବାରା ଗ୍ରୀଷ୍ମରେ ଗ୍ରାମରେ ଥିବା କୂଅ ଓ ପୋଖରୀରର ଜଳସ୍ତର ବୃଦ୍ଧି ଘଟୁଥିବା ବେଳେ ଶତାଧିକ ଚାଷୀଙ୍କ ଚାଷ ଜମିକୁ ପାଣି ପ୍ରବାହିତ ହେଉଥିଲା। ଦୀର୍ଘବର୍ଷ ଧରି ଏହି କେନାଲ୍‌ଟି ପୋତି ହୋଇ ରହିଛି। ଫଳରେ ଚାଷ ଜମିକୁ ପାଣି ଟୋପେ ଯାଉନଥିବା ବେଳେ ଗ୍ରୀଷ୍ମରେ ଗ୍ରାମରେ ଜଳ ସଂକଟ ସୃଷ୍ଟି ହେଉଛି। ଖାଲି ସେତିକି ନୁହେଁ, ପ୍ରତିବର୍ଷ ଚାଷ ଜମିକୁ ପାଣି ମାଡ଼ୁ ନଥିବା ବେଳେ ଚାଷୀ ଜଳକର ଦେଉଥିବା ଅଭିଯୋଗ ଆଣିଛନ୍ତି।

କେନାଲର ପୁନରୁଦ୍ଧାର ପାଇଁ ଗ୍ରାମବାସୀ ୨୦୧୮ ମସିହାରୁ ଜଳସମ୍ପଦ ବିଭାଗଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଛନ୍ତି। ତୁରନ୍ତ ଘଟଣାର ସମାଧାନ ତଥା ଅଗ୍ରଗତି ସମ୍ପର୍କରେ ଗ୍ରାମବାସୀଙ୍କୁ ଅବଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ଶିବିରରୁ ୨୦୧୯ ମସିହା ଫେବ୍ରୁଆରି ୨୩ ତାରିଖରୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି। ହେଲେ ଏହି ନିର୍ଦ୍ଦେଶନାମାକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏଥିପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଗ୍ରାମବାସୀଙ୍କ ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe