Government Of Odisha
ଦେବଗଡ଼: ନୂତନ ପେନସନ ଅନ୍ତର୍ଭୁକ୍ତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଶନିବାର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ଗୋପାଳଜିଉ ମନ୍ଦିରରେ ସଂଘ ସଭାପତି ତ୍ରିନାଥ ଖୁଣ୍ଟିଆଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ସୁଜିତ ପାତ୍ର ତଥା ତିଲେଇବଣି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁଶାନ୍ତ ନନ୍ଦ, ସଂପାଦକ ଡୋଳାଧର ସ୍ବାଇଁ, ରିଆମାଳ ବ୍ଲକ ସଭାପତି ଘନଶ୍ୟାମ ସାହୁ , ଏନ୍ପିଏସ୍ ପ୍ରାଥମିକ ସ୍କୁଲ୍ ଶିକ୍ଷକ ସଂଘ କାର୍ଯ୍ୟକାରୀ ସଭାପତି ମେଘନାଦ ରଣଜିତ, ସମ୍ପାଦକ ଭକ୍ତବନ୍ଧୁ ବସନ୍ତରାଙ୍କ ସମେତ ଜିଲ୍ଲାର ୩ଟି ବ୍ଲକ୍ ସଂଘ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ରାଜ୍ୟର ପ୍ରାଥମିକ ଶିକ୍ଷକମାନଙ୍କୁ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଥିଲେ।
ଏହା ସହିତ କେନ୍ଦ୍ରୀୟ କର୍ମଚାରୀଙ୍କ ଭଳି ସପ୍ତମ ବେତନ କମିସନ ଆଧାରରେ ଦରମା ବୃଦ୍ଧି, ଏକ୍ସ କ୍ୟାଡର ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡର, ଛଅ ବର୍ଷ ଠିକା ପ୍ରଥାକୁ ମୂଳ ଚାକିରିରେ ଗଣନା କରି ଇନକ୍ରିମେଣ୍ଟ ପ୍ରଦାନ, ନୂତନ ପେନସନକୁ ଉଛେଦ କରି ପୁରୁଣା ପେନସନ ଲାଗୁ ପାଇଁ ଦାବି କରାଯାଇଥିଲା। ସଭା ପରେ ସଭାପତି ଶ୍ରୀ ଖୁଣ୍ଟିଆଙ୍କ ନେତୃତ୍ବରେ ଶିକ୍ଷକ. ଶିକ୍ଷୟିତ୍ରୀମାନେ ଶୋଭାଯାତ୍ରାରେ ବାହାରିଥିଲେ। ଏଥିରେ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ସହିତ ସେମାନଙ୍କର ଦାବି ଯଥାର୍ଥତା ଥିବା ଦର୍ଶାଇ ବିଧାୟକ ଶ୍ରୀ ପାଣିଗ୍ରାହୀ ଶୋଭାଯାତ୍ରାରେ ଯାଇଥିଲେ।
ରାଜ୍ୟ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସୁଧୀର ବ୍ରହ୍ମା ମଧ୍ୟ ସମର୍ଥନ ଜଣାଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ପରେ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କୁ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରାଜୀବ ଲୋଚନ ପ୍ରଧାନ, ବାଉରୀ ବନ୍ଧୁ ସାହୁ, ଟଙ୍କଧର ବାଣିଚୂଳ, ସହସଂପାଦକ ତପନ ନାୟକ, କୋଷାଧ୍ୟକ୍ଷ ଫଣୀନ୍ଦ୍ର ଧଳ, ମିଡିଆ ସେଲ ସଂଯୋଜକ ମୋତିଲାଲ ବେହେରା, ଉପଦେଷ୍ଟା କମିଟିର ଅଶୋକ ସାହୁ, ଅଞ୍ଜନ ପ୍ରଧାନ, ବସନ୍ତ ସୁନା, ବିଜୟାନନ୍ଦ ବେହେରା, ଫଗୁ ବେହେରା, ଛତୁ କଲେତ, ନେତ୍ରାନନ୍ଦ ସାହୁ, ଯଦୁମଣି ବେହେରା, ଧରଣୀଧର ନାୟକ, ଅଜିତ ପ୍ରଧାନ, ଧୀରେନ ସାହୁ, ସତ୍ୟାନନ୍ଦ ବେହେରା, ଶିକ୍ଷକ ପ୍ରାଣବନ୍ଧୁ ଘଡ଼େଇ, ସୁଧୀର ଦାସଙ୍କ ସହ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
Follow Us