ପଣ୍ଡିଗାଁ ଧାନମଣ୍ଡିରେ ଟାର୍ଗେଟ ଦାବି, କଲମପୁର- ମୁଖିଗୁଡ଼ା ରାସ୍ତା ଅବରୋଧ

ପଣ୍ଡିଗାଁ ଧାନମଣ୍ଡିରେ ଟାର୍ଗେଟ ଦାବି, କଲମପୁର- ମୁଖିଗୁଡ଼ା ରାସ୍ତା ଅବରୋଧ

କଲମପୁର : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପଣ୍ଡିଗାଁ ଧାନମଣ୍ଡିରେ ଟାର୍ଗେଟ ନଥିବାରୁ ଧାନକିଣା ମନ୍ଥର ହୋଇଛି। ସପ୍ତାହେ ହେଲା ଚାଷୀଙ୍କ ଧାନ ପଡ଼ିରହିଛି। ତେଣୁ ଆଉ ୨୦ ହଜାର କୁଇଣ୍ଟାଲ ଟାର୍ଗେଟ ଦେବାକୁ ଦାବି କରି ସୋମବାର ଚାଷୀମାନେ କଲମପୁର- ମୁଖିଗୁଡ଼ା ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଏହି ରାସ୍ତାରେ ଯାତାୟାତ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।

ଆନ୍ଦୋଳନ ସ୍ଥଳକୁ କଲମପୁର ଫାଣ୍ଡି ଅଧିକାରୀ ଅଶୋକ ପ୍ରଧାନ, ଜୟପାଟଣା ଥାନା ଆଇଆଇସି ରଶ୍ମିତା ପ୍ରଧାନ, ଏସ୍‌ଆଇ ଲିଙ୍ଗରାଜ ସେଠୀ ଏବଂ ପେକ୍ସ ସମ୍ପାଦକ ତ୍ରିଭୁବନ ପ୍ରଧାନୀ ପହଞ୍ଚି ଚାଷୀମାନଙ୍କୁ ବୁଝାଇଥିଲେ। ଚାଷୀମାନେ ମଣ୍ଡିରେ ପଡ଼ିଥିବା ସମସ୍ତ ଧାନକୁ ଏକାଥରକେ ଉଠାଇବା ସହ ଟାର୍ଗେଟ ଦେଇ ସପ୍ତାହେ ମଧ୍ୟରେ ସମସ୍ତ ଚାଷୀଙ୍କ ଧାନ କ୍ରୟ କରାଯିବାକୁ ଦାବି କରି ଅଡ଼ିବସିଥିଲେ। ଆନ୍ଦୋଳନର ୧୧ ଘଣ୍ଟା ପରେ ସନ୍ଧ୍ୟା ପ୍ରାୟ ୫ଟାରେ ଧର୍ମଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀ ଖଗେଶ୍ୱର ପଣ୍ଡା ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନ ଏହି ମଣ୍ଡି ପାଇଁ ୩ ହଜାର କୁଇଣ୍ଟାଲର ଟାର୍ଗେଟ ଦେଇଥିଲା। ଏହି ଟାର୍ଗେଟର ଧାନ ଉଠାଣ ପରେ ପରେ ଆସନ୍ତା ୨୭ ତାରିଖରୁ ଅଧିକ ଟାର୍ଗେଟ ଯୋଗାଇ ଦିଆଯିବ ବୋଲି ଶ୍ରୀ ପଣ୍ଡା କହିବା ପରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଆନ୍ଦୋଳନରେ ପଣ୍ଡିଗାଁ ମଣ୍ଡି ଅଞ୍ଚଳର ଚା‌ଷୀ ବିପିନ ପ୍ରଧାନୀ, ସୁଧୀର ରାଉତ, ଭାବାନୀ ବେହେରା, ଦେବରାଜ ମିଶ୍ର, ଦନାର ନାଏକ, ଅରବିନ୍ଦ ରାଉତ, ସୁଶୀଲ ବେହେରା, ଦେବାଶିଷ ବେହେରା, ପବନ ମାଝୀ, ଗଦାଧର ମାଝୀ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe