ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶବ ରଖି ରାସ୍ତାରୋକ

Advertisment

ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ମାମଲା

ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ମାମଲା

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶବ ରଖି ରାସ୍ତାରୋକ

ମେଣ୍ଢାଶାଳ: ଚନ୍ଦକା ଥାନା ଅନ୍ତର୍ଗତ କୁଜିମହଲ ଶବର ସାହିରେ ଗତ ୧୯ତାରିଖ କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟଣାରେ ଆଜି ଗୁରୁତର ସୁଶାନ୍ତ ପ୍ରଧାନଙ୍କ ମୃ୍ତ୍ୟୁ ଘଟିଛି। ଦୀର୍ଘ ୨ ବର୍ଷ ଧରି ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ର କରି ଲାଗିରହିଥିବା ବିବାଦର ଉଗ୍ରରୂପ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଘଟଣାରେ ଗତ ୨୦ତାରିଖ ୨ ଅଭିଯୁକ୍ତ ନିତ୍ୟାନନ୍ଦ ପ୍ରଧାନ ଓ ଶ୍ରୀଧର ପ୍ରଧାନ ଗିରଫ ହୋଇଥିବା ବେଳେ ଏବେ ବି ୩ ଅଭିଯୁକ୍ତ ଫେରାର୍ ଅଛନ୍ତି।

ଖବର ଅନୁଯାୟୀ, ମୃତ ସୁଶାନ୍ତ ଗତ ୧୯ତାରିଖ ଦିନ ରଙ୍ଗ ଖେଳି ଘରକୁ ଫେରୁଥିଲେ। ଏହି ସମୟରେ ଅଭିଯୁକ୍ତ ନିତ୍ୟାନନ୍ଦ, ଶ୍ରୀଧର, ଅଧୀର ଓ ଅଶୋକ ସୁଶାନ୍ତଙ୍କୁ କମେଣ୍ଟ୍ ମାରିଥିଲେ। ସୁଶାନ୍ତ ଏହାକୁ ପ୍ରତିବାଦ କରିବାରୁ ୪ ଭାଇ ଓ ବାପା କାର୍ତ୍ତିକ ପ୍ରଧାନ ସୁଶାନ୍ତଙ୍କୁ ଚାପଡ଼ରେ ଆକ୍ରମଣ କରିଥିଲେ। ସୁଶାନ୍ତଙ୍କ ଉପରେ ଆକ୍ରମଣ ହେଉଥିବା ଦେଖି ତାଙ୍କ ଭାଇ ଗରିବ ଏବଂ ୨ ପୁଅ ଧନେଶ୍ବର ଓ ବାପିନା ଆସି ଅପର ଗୋଷ୍ଠୀକୁ ଅଟକାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଉତ୍ୟକ୍ତ ହୋଇ କାର୍ତ୍ତିକ ଓ ତାଙ୍କ ପୁଅ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ସମସ୍ତଙ୍କୁ ହାଣିଥିଲେ। ସୁଶାନ୍ତଙ୍କ ମୁଣ୍ଡ ଓ ବେକରେ ଏକାଧିକ ଚୋଟ ବାଜିଥିବାରୁ ସେ ଗୁରୁତର ଅବସ୍ଥାରେ ସେଠାରେ ହିଁ ପଡ଼ିରହିଥିଲେ। ପରେ ଖବର ପାଇ ଚନ୍ଦକା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତକୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସୁଶାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍‌ସିବି ମେଡିକାଲ୍ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ପୁଲିସ ଗରିବର ଅଭିଯୋଗ ଅନୁସାରେ କାର୍ତ୍ତିକ ଓ ୪ ପୁଅ ନାଁରେ ମାମଲା ରୁଜୁ କରି ଘଟଣାରେ ତଦନ୍ତ କରିଥିଲା।

ଗତ ୨୦ ତାରିଖ ନିତ୍ୟାନନ୍ଦ ଓ ଶ୍ରୀଧରକୁ ପୁଲିସ ଗିରଫ କରିଥିଲେ ବି କାର୍ତ୍ତିକ, ଅଧୀର ଓ ଅଶୋକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ତେବେ ଆଜି ସୁଶାନ୍ତଙ୍କର ବଡ଼ ମେଡିକାଲରେ ମୃତ୍ୟୁ ହେବା ପରେ ତାଙ୍କ ପରିବାର ଲୋକେ ଶବ ବ୍ୟବଚ୍ଛେଦ ପରେ ଦାହ କରିବା ଲାଗି ଚନ୍ଦକା ଆଣିଥିଲେ। ମାତ୍ର ଫେରାର୍ ଅନ୍ୟ ୩ ଅଭିଯୁକ୍ତ ଗିରଫ ହୋଇନଥିବାରୁ ପରିବାର ଲୋକଙ୍କ ସମେତ ଶତାଧିକ ଗ୍ରାମବାସୀ ରାସ୍ତା ଉପରେ ସୁଶାନ୍ତଙ୍କ ଶବ ରଖି ଅପରାହ୍ନ ୧ଟାରୁ ପ୍ରାୟ ୩ଟା ପର୍ଯ୍ୟନ୍ତ ଆନ୍ଦୋଳନ କରିଥିଲେ। ଅଭିଯୁକ୍ତ ଗିରଫ ନ ହେବା ପର୍ଯ୍ୟନ୍ତ ସେମାନେ ରାସ୍ତାରୁ ହଟିବେ ନାହିଁ ବୋଲି ଦାବି କରିଥିଲେ। ପରେ ଥାନାଧିକାରୀ ଓ ଜୋନ୍ ଏସିପି ଘଟଣାସ୍ଥଳରେ ପହଞ୍ଚି ଖୁବ୍ ଶୀଘ୍ର ଫେରାର୍ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକେ ଧାରଣାରୁ ହଟିଥିଲେ। ଥାନା ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଉଭୟ ପକ୍ଷରୁ ଅଭିଯୋଗ ହୋଇଥିବାରୁ ପୁଲିସ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe