ପ୍ରଧାନଶିକ୍ଷକଙ୍କ ବଦଳି ଦାବି: ସ୍କୁଲ୍‌ରେ ତାଲା ପକାଇଲେ ଅଭିଭାବକ

ପ୍ରଧାନଶିକ୍ଷକଙ୍କ ବଦଳି ଦାବି: ସ୍କୁଲ୍‌ରେ ତାଲା ପକାଇଲେ ଅଭିଭାବକ

ତିହିଡ଼ି: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ବୋଡ଼କ ପଞ୍ଚାୟତ ଅଧୀନ ଓରାଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରତ୍ନାକର ମଲିକଙ୍କ ବଦଳି ଓ ଶିକ୍ଷକ ନିଯୁକ୍ତି ଦାବି ନେଇ ଶୁକ୍ରବାର ଅଭିଭାବକମାନେ ସ୍କୁଲ୍‌ରେ ତାଲା ପକାଇ ଦେଇଥିଲେ। ସ୍କୁଲ୍‌ର ପ୍ରଧାନଶିକ୍ଷକ ଶ୍ରୀ ମଲିକଙ୍କୁ ବଦଳି କରିବା ପାଇଁ ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଚିଠି ନଂ ୧୨୫୨/ତା-୧୧.୫.୨୨ରେ ଏକ ଚିଠି ହୋଇଥିଲା। ସେହି ଚିଠିରେ ଈଶ୍ବରପୁର ସ୍କୁଲ୍‌ରୁ ହେମନ୍ତ କୁମାର ଜେନାଙ୍କୁ ଓରାଳି ପ୍ରାଥମିକ ସ୍କୁଲ୍‌କୁ ନିଯୁକ୍ତି ପାଇଁ ନିର୍ଦେଶ ହୋଇଥିଲା। ଏହି ନିର୍ଦେଶ ହେବାର ୧୫ ଦିନ ବିତିଯାଇଥିଲେ ମଧ୍ୟ ପ୍ରଧାନଶିକ୍ଷକ ସ୍କୁଲ୍‌ ଛାଡ଼ି ନଥିଲେ କିମ୍ବା କୌଣସି ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନଥିଲା। ଯାହାଫଳରେ ଅଭିଭାକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା।

ଅଭିଭାବକମାନେ ଏ ସମ୍ପର୍କରେ ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ କହିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା। ଯାହାଫଳରେ ଅଭିଭାବକମାନେ ବାଧ୍ୟ ହୋଇ ସ୍କୁଲ୍‌ରେ ତାଲା ପକାଇଥିଲେ। ଏହି ସ୍କୁଲ୍‌ରେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୯୦ ଜଣ ଚାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ନିୟମ ଅନୁସାରେ ୩ ଜଣ ଶିକ୍ଷକ ସ୍କୁଲ୍‌ରେ ରହିବା ଆବଶ୍ୟକ ଥିବା ବେଳେ ୨ ଜଣ ଶିକ୍ଷକ ରହିଛନ୍ତି। ତେବେ ପ୍ରଧାନଶିକ୍ଷକଙ୍କ ତୁରନ୍ତ ବଦଳି କରାଯିବା ସହ ସେହି ସ୍ଥାନରେ ପ୍ରଧାନଶିକ୍ଷକଙ୍କ ସହିତ ଅନ୍ୟଜଣେ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କର ନଗଲେ ଅନିର୍ଦିଷ୍ଟ କାଳ ପାଇଁ ସ୍କୁଲ୍‌ରେ ତାଲା ପଡ଼ିବ ବୋଲି ସ୍କୁଲ୍‌ ଶିକ୍ଷା କମିଟି ସଭାପତି ନିରଂଜନ ସ୍ବାଇଁ, ବିଜୟ କୁମାର କବି, ଅନୀଲ ବେହେରା, କମଲ ବେହେରା, ବିଧୁଭୂଷଣ ବେହେରା, ଦିଲୀପ ପାତ୍ର, ଜୟରାମ ସାହୁ, ନିରଂଜନ ବେହେରା, କେଶବ ମଲିକ, ସୁରେଶ ବେହେରା, ଲତାଞ୍ଜଳି ସାହୁ, ସୁମିତା ପ୍ରଧାନ, ସଂଜୁଲତା ପାତ୍ର ପ୍ରମୁଖ ଅଭିଭାବକଙ୍କ ସହ ଗ୍ରାମବାସୀମାନେ କହିଛନ୍ତି। ଏ ସମ୍ପର୍କରେ ବ୍ଲକ୍‌ ଶିକ୍ଷାଧିକାରୀ ମଧୁସୂଦନ ଷେଣ୍ଢଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଅନ୍ୟଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe