Wikimedia Commons
ଭୁବନେଶ୍ବର : ଗଜପତି ଜିଲ୍ଲାରୁ ରକ୍ତଚନ୍ଦନ ଓ ବାଲି ଚୋରା ଚାଲାଣ କରୁଥିବା ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ। ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଓ କହିଛନ୍ତି ଯେ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଦାଖଲ କରାଯାଇଥିବା ଏତଲାରେ ମୁଦାଲାମାନଙ୍କୁ ପୁଲିସ କିମ୍ବା କ୍ରାଇମବ୍ରାଞ୍ଚ୍ ପଚରାଉଚରା କରୁ ନାହିଁ। ଏହି କଥା ଉଠାଇବା ପରେ ରାଜ୍ୟ ସରକାର ମୋ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଉଦ୍ୟମ କରୁଛନ୍ତି।
ଗଜପତି ଡିଏଫ୍ଓଙ୍କ ମାଧ୍ୟମରେ ରକ୍ତ ଚନ୍ଦନ କାଠ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁକୁ ଚୋରାଚାଲାଣ କରାଯାଉଛି। ସେହିପରି ବିଜେଡିର ଜିଲ୍ଲା ଯୁବ ସଭାପତି ବାଲି ଚୋରା ଚାଲାଣ କରି ପଡ଼ୋଶୀ ରାଜ୍ୟକୁ ବିକ୍ରି କରନ୍ତି। ଚୋରା ଚାଲାଣ କରୁଥିବାରୁ ଆନ୍ଧ୍ରରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି। କାଶୀନଗର ଏନ୍ଏସିର ପୂର୍ବତନ ଅଧ୍ୟକ୍ଷଙ୍କ ପୁଅ ବି ହଜାର ହଜାର ଟ୍ରକ ବାଲି ଆନ୍ଧ୍ରକୁ ପଠାନ୍ତି। ସେହି ଫଟୋକୁ ଏଡିଟିଂ କରି ଶାସକ ଦଳ ମୋତେ ବଦନାମ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ସେହିପରି ବାଲି ଚୋରା ଚାଲାଣରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଗଜପତି ଜିଲ୍ଲା ପ୍ରଶାସନର ଦୁଇ ଜଣ ବରିଷ୍ଠ ଅଧିକାରୀ ଗୋଟିଏ ଜିଲ୍ଲାରେ ବିଭିନ୍ନ ଦାୟିତ୍ବ ନେଇ ଲମ୍ବା ସମୟ ଧରି ସେଠାରେ ରହି ଆସିଛନ୍ତି। ଏହା ପଛରେ କାହାର ହାତ ଅଛି, ତାହାର ତଦନ୍ତ ହେବା ଆବଶ୍ୟକ। ଏହି ଦୁଇ ସରକାରୀ ଅଧିକାରୀଙ୍କ ପ୍ରୋତ୍ସାହନରେ ବିଜେଡି ନେତାମାନେ ମାଫିଆରାଜ ଚଳାଇଛନ୍ତି। ରକ୍ତ ଚନ୍ଦନ କାଠ ଓ ବାଲି ଚୋରା ଚାଲାଣ କରୁଥିବା ମାଫିଆଙ୍କୁ ତୁରନ୍ତ ଗିରଫ କରାଯିବା ସହ ରାଜ୍ୟ ସମ୍ପତ୍ତିକୁ ସୁରକ୍ଷା ଦେବା ପାଇଁ ଶ୍ରୀ ରାଓ ଦାବି କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ବିକଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ କହିଛନ୍ତି, ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫ୍ଓଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନି। କାଳେ ସେ ରକ୍ତ ଚନ୍ଦନ କାଠ ଚୋରା ଚାଲାଣର ଗୁମର ଖୋଲିଦେବେ, ସେହି ଭୟ ଜଙ୍ଗଲ ମନ୍ତ୍ରୀଙ୍କୁ ଘାରିଛି। ଶାସକ ଦଳ ନିର୍ଦ୍ଦେଶରେ ତଦନ୍ତକୁ ବାଟବଣା କରାଯାଉଛି। ବିଧାନସଭା ଶୂନ୍ୟକାଳରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରାଓ ଏହି ପ୍ରସଙ୍ଗ ଉଠାଇବା ପରେ ତାଙ୍କ ଉପରେ ବାଲି ମାଫିଆର ଆରୋପ ଲଗାଯାଉଛି। ଅନ୍ୟାୟ ଅନୀତିର ପ୍ରତିବାଦ କଲେ ବିଧାୟକଙ୍କୁ ସରକାରୀ ଦଳ ନାଲି ଆଖି ଦେଖାଇବା ଦୁର୍ଭାଗ୍ୟଜନକ।
Follow Us