ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବି: ନିର୍ଣ୍ଣାୟକ ଆନ୍ଦୋଳନ ପାଇଁ ପ୍ରସ୍ତୁତି

Advertisment

ଅବିଭକ୍ତ ଗଞ୍ଜାମର ସବୁ ଓକିଲ ସଂଘ ଏକାଠି, ସାଂସଦଙ୍କ ନେତୃତ୍ବରେ ୨୦ ଜଣିଆ କ୍ରିୟାନୁଷ୍ଠାନ କମିଟି

ଅବିଭକ୍ତ ଗଞ୍ଜାମର ସବୁ ଓକିଲ ସଂଘ ଏକାଠି, ସାଂସଦଙ୍କ ନେତୃତ୍ବରେ ୨୦ ଜଣିଆ କ୍ରିୟାନୁଷ୍ଠାନ କମିଟି

ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବି: ନିର୍ଣ୍ଣାୟକ ଆନ୍ଦୋଳନ ପାଇଁ ପ୍ରସ୍ତୁତି

southorissa.blogspot.com

ବ୍ରହ୍ମପୁର : ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବି ନିର୍ଣ୍ଣାୟକ ଆନ୍ଦୋଳନର ରୂପନେବ। ଏନେଇ ଆଜି ଅବିଭକ୍ତ ଗଞ୍ଜାମର ସବୁ ଓକିଲ ସଂଘ ଏକାଠି ହୋଇଛନ୍ତି। ସାଂସଦଙ୍କ ନେତୃତ୍ବରେ ଏକ ୨୦ଜଣିଆ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି।

ପୂର୍ବ ନିଷ୍ପତ୍ତି ଅନୁସାରେ ଆଜି ଗଞ୍ଜାମ ଓକିଲ ସଂଘ ଆନୁକୂଲ୍ୟରେ ଏକ ମିଳିତ ବୈଠକର ଆୟୋଜନ କରାଯାଇଥିଲା। ବୈଠକରେ ଗଞ୍ଜାମ ଜିଲ୍ଲାର ୧୭ଟି ଓକିଲ ସଂଘ ମଧ୍ୟରୁ ଶେରଗଡ଼, ସୋରଡ଼ା, ଦିଗପହଣ୍ଡି, ପାତ୍ରପୁର, ଛତ୍ରପୁର, ହିଞ୍ଜିଳି, ଆସିକା ଓ ଭଞ୍ଜନଗର ଭଳି ମୋଟ ୮ଟି ସଂଘର କର୍ମକର୍ତ୍ତା ଯୋଗ ଦେଇଥିଲେ। ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠ‌‌ାନେଇ ଯଶୋବନ୍ତ କମିସନ୍ ରିପୋର୍ଟରେ ଦର୍ଶାଯାଇଥିବା ସମସ୍ତ ୧୮ଟି ସର୍ତ୍ତାବଳୀ ପୂରଣ ହେଉଛି। ଏଣୁ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ‌ନେଇ କୌଣସି ଅସୁବିଧା ନାହିଁ ବୋଲି ବରିଷ୍ଠ ଆଇନଜୀବୀମାନେ ମତବ୍ୟକ୍ତ କରିଥିଲେ। ସାରାଦେଶରେ ଯେଉଁଠାରେ ପ୍ରାଶାସନିକ ଟ୍ରିବ୍ୟୁନାଲ୍ ଥିଲା, ସେସବୁ ଉଚ୍ଛେଦ ହେବାପରେ ଉକ୍ତ ସ୍ଥାନମାନଙ୍କରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ହୋଇଛି। ୧୯୯୨ରୁ ୨୦୧୭ ମସିହା ପର୍ଯ୍ୟନ୍ତ ବ୍ରହ୍ମପୁରରେ ମଧ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍‌ ଥିଲା। ତେଣୁ, ଏହା ଉଚ୍ଛେଦ ହୋଇଯିବାପରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା କରାଯିବାରେ କୌଣସି ଅସୁବିଧା ନାହିଁ ବୋଲି ବରିଷ୍ଠ ଆଇନଜୀବୀ ନିରଞ୍ଜନ ନାୟକ ମତବ୍ୟକ୍ତ କରିଥିଲେ।

ଆୟୋଜକ ଗଞ୍ଜାମ ଓକିଲ ସଂଘ ସଭାପତି କପିଳେଶ୍ବର ପଟ୍ଟନାୟକ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଏକ କ୍ରିୟାନୁଷ୍ଠାନ କମିଟି (ଆକ୍ସନ୍ କମିଟି) ଗଠନ କରାଯାଇଛି। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ମୋଟ୍‌ ୨୦ ଜଣ ସଦସ୍ୟ ରହିଛନ୍ତି। ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ସହଅଧ୍ୟକ୍ଷ (କୋ ଚେୟାର୍‌ମ୍ୟାନ୍) ଅଛନ୍ତି। ଆସନ୍ତାମାସରେ ଏହି କମିଟି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ନେଇ ଦାବି ଉପସ୍ଥାପନ କରିବ। ପରବର୍ତ୍ତୀ ସମୟରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ କରିବାର ଯୋଜନା ଅଛି। ଅନ୍ୟପକ୍ଷରେ, ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠାର ଯଥାର୍ଥତା ନେଇ ସର୍ବୋଚ୍ଚ ନ୍ୟାୟଳୟର ପ୍ରଧାନ ବିଚାରପତି, ହାଇକୋର୍ଟର ମୁଖ୍ୟ ବିଚାରପତି, ରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଖୁବ୍‌ଶୀଘ୍ର ଚିଠି ପଠାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଥିବା ସମ୍ପର୍କରେ ଗଞ୍ଜାମ ଓକିଲ ସଂଘ ସମ୍ପାଦକ ସୁଶୀଲ କୁମାର ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଅନ୍ୟ ସଂଘର କିଛି କର୍ମକର୍ତ୍ତା କର୍ମକର୍ତ୍ତା ଅନିବାର୍ଯ୍ୟ କାରଣରୁ ଯୋଗଦେଇ ପାରିନଥିବା ବେଳେ ଫୋନ୍‌ ମାଧ୍ୟମରେ ନିଜର ସମ୍ମତି ପ୍ରଦାନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe