ବାଲେଶ୍ୱରରେ ରେଳ ଡିଭିଜନ ପ୍ରତିଷ୍ଠା ଦାବି, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ନବଜ୍ୟୋତି

ବାଲେଶ୍ୱରରେ ରେଳ ଡିଭିଜନ ପ୍ରତିଷ୍ଠା ଦାବି, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ନବଜ୍ୟୋତି

ବାଲେଶ୍ବର : ପ୍ରଧାନମନ୍ତ୍ରୀଙ୍କ ‘ମିଶନ୍‌ ପୂର୍ବୋଦୟ’ ସଫଳତାର ଚାବିକାଠି ବାଲେଶ୍ବରରେ ରେଳ ଡିଭିଜନ୍‌ ପ୍ରତିଷ୍ଠା ଉପରେ ନିର୍ଭର କରୁଛି। ଏହି କାର୍ଯ୍ୟ କେବଳ ବାଲେଶ୍ବରର ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହିଁ ସାକାର କରିପାରିବେ। ତେଣୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିଜ କାନ୍ଧ ଉପରକୁ ନେଇ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ କରିବାକୁ ବାଲେଶ୍ବରର କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଶୁକ୍ରବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି।

ଶ୍ରୀ ପଟ୍ଟନାୟକ ନିଜ ପତ୍ରରେ ଦର୍ଶାଇଛନ୍ତି ବାଲେଶ୍ୱର ଉତ୍ତର ଓଡ଼ିଶାର ବାଣିଜ୍ୟିକ ରାଜଧାନୀ ହୋଇଥିବାରୁ ଏଠାରେ ଏକ ରେଳ ଡିଭିଜନ୍‌ର ନିହାତି ଆବଶ୍ୟକତା ରହିଛି। ଏହା ଉତ୍ତର ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ବିପୁଳ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ। ତେବେ ଏଥିପାଇଁ ରେଳବାଇ ଭିତ୍ତିଭୂମିର ବିକାଶ ଜରୁରୀ। ବାଲେଶ୍ୱର-ନୀଳଗିରି ରେଳ ଲାଇନ ସଂଯୋଗ ମଧ୍ୟବର୍ତ୍ତୀ ଏହି ଅଞ୍ଚଳ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ପଛରେ ରହିଛି। ଏହି ରେଳଲାଇନ ଯଦି ବାସ୍ତବ ରୂପ ନିଏ ଏବଂ କେନ୍ଦୁଝର ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଏ, ତେବେ ଉକ୍ତ ଅଞ୍ଚଳ ଉତ୍ତର ଓଡ଼ିଶାର ବାଣିଜ୍ୟ ଓ ଶିଳ୍ପର କେନ୍ଦ୍ରସ୍ଥଳ ବାଲେଶ୍ୱର ସହିତ ସଂଯୁକ୍ତ ହୋଇପାରିବ। କେନ୍ଦୁଝରରୁ ଲୁହାପଥର, ମାଙ୍ଗାନିଜ୍‌ ଭଳି ଅନ୍ୟାନ୍ୟ ଗଚ୍ଛିତ ପ୍ରାକୃତିକ ସମ୍ପଦ ସହଜରେ ପରିବହନ ହୋଇପାରିବା ସହ ଅନେକ କର୍ମନିଯୁକ୍ତି ପାଇପାରିବେ। ସେହିପରି ଜଳେଶ୍ୱର-ଦୀଘା ରେଳ ଲାଇନ ପ୍ରକଳ୍ପ ପର୍ଯ୍ୟଟନ କ୍ଷେତ୍ର ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପ୍ରାକୃତିକ ବିପର୍ଯ୍ୟୟ ବିଶେଷ କରି ବନ୍ୟାବାତ୍ୟା ସମୟରେ ଏହି ରେଳ ଲାଇନ୍ ରିଲିଫ ଯୋଗାଣ କ୍ଷେତ୍ରରେ ମଧ୍ୟ ବିଶେଷ ସହାୟକ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି।

ରୁପ୍‌ସା-ବାଙ୍ଗିରିପୋଷି ରେଳ ଲାଇନ୍‌ ଓଡ଼ିଶାର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ। ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ପଛରେ ରହିଥିବାବେଳେ ଏହି ଅଞ୍ଚଳରେ କୌଣସି ଶିଳ୍ପସଂସ୍ଥା ନାହିଁ। ପ୍ରସ୍ତାବିତ ଏହି ରେଳ ଲାଇନ୍‌ ମୟୂରଭଞ୍ଜ (ଓଡ଼ିଶା), ଜାମସେଦପୁର (ଝାଡ଼ଖଣ୍ଡ) ଏବଂ ପଶ୍ଚିମ ମେଦିନାପୁର (ପଶ୍ଚିମବଙ୍ଗ) ସହିତ ସିଧାସଳଖ ସଂଯୁକ୍ତ କରିବା ସଙ୍ଗେ ସଙ୍ଗେ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ। ଏହି ରେଳ ଲାଇନ୍ ରୁପ୍‌ସା-ବୁଢ଼ାମରା ସେକ୍ସନକୁ ଚକୁଳିଆ (ଝାଡ଼ଖଣ୍ଡ) ସହିତ ମଧ୍ୟ ସଂଯୁକ୍ତ କରିବ। ରୁପ୍‌ସା-ବୁଢ଼ାମରା ସେକ୍ସନର ଉନ୍ନତୀକରଣ ଓ ଚକୁଳିଆ ପର୍ଯ୍ୟନ୍ତ ସଂପ୍ରସାରଣକୁ ରେଳବାଇ ବିଧିବଦ୍ଧ ଭାବେ ସର୍ବେକ୍ଷଣ କରିବା ପରେ ୨୦୦୯ରେ ଏହି ପ୍ରକଳ୍ପକୁ ଅନୁମୋଦନ କରିଛି। ଉତ୍ତର ଓଡ଼ିଶାର ଜନସାଧାରଣ ବର୍ଷବର୍ଷ ଧରି ଦାରିଦ୍ର୍ୟ ଓ ଅବହେଳାର ଶିକାର ହୋଇ ଆସିଛନ୍ତି। ସେମାନେ ଭାରତର ସବୁଠାରୁ ପରିଶ୍ରମୀ ଲୋକଙ୍କ ମଧ୍ୟରେ ଅନ୍ୟତମ। ସୁତରାଂ ଏ ଅଞ୍ଚଳରେ ରେଳ ଭିତ୍ତିଭୂମିର ବିକାଶ ହେଲେ ଲୋକମାନଙ୍କର ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ସାଂସ୍କୃତିକ ଓ ଭାବଗତ ବିକାଶ ହୋଇପାରିବ। ଏହି ବିପ୍ଳବକୁ ଉତ୍‌ପ୍ରେରିତ କରିବା ଦିଗରେ ରେଳବାଇ ନିର୍ଣ୍ଣାୟକ ଭୂମିକା ନେଇପାରିବ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe