ନୀଳାଚଳ ଇସ୍ପାତ ନିଗମର ବନ୍ଦ ହୋଇଥିବା କାରଖାନା ଚାଲୁ ଦାବି : ୯ଘଣ୍ଟା ଜାତୀୟ ରାଜପଥ ଅବରୋଧ, ଯାତାୟାତ ଠପ୍

Advertisment
୧୦ ହଜାର ଶ୍ରମିକଙ୍କ ପରିବାର ଭୋକିଲା, ପାର୍ବଣ ଋତୁରେ କାମ ନପାଇ ଘରେ ବସିଛନ୍ତି

ଫାଇଲ ଫଟୋ

୨ କର୍ମଚାରୀଙ୍କର ଆତ୍ମାହୁତି ଉଦ୍ୟମ
୭ଦିନରେ କମିଟି ଗଠନ ପାଇଁ ପ୍ରସ୍ତାବ ପରେ ଆନ୍ଦୋଳନ ପ୍ରତ୍ୟାହାର

ଯାଜପୁର/ଦାନଗଦୀ : କଳିଙ୍ଗନଗରସ୍ଥିତ ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମର ବନ୍ଦ ହୋଇଯାଇଥିବା କାରଖାନାକୁ ଚାଲୁ କରିବା ସହିତ ବକ‌େୟା ୭ମାସର ଦରମା ପ୍ରଦାନ ଓ ନିଜସ୍ବ ଖଣି ଚାଲୁ କରିବା ଦାବିରେ ଆଜି ଶହଶହ ବିସ୍ଥାପିତ, କର୍ମଚାରୀ ଓ ଶ୍ରମିକମାନେ ଡୁବୁରିଠାରେ ଅର୍ଥନୈତିକ ଅବରୋଧ କରିଥିଲେ। ସକାଳ ୬ଟା ରୁ ୩ ଟା ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ଆନ୍ଦୋଳନକାରୀମାନେ ଅବରୋଧ କରିଥିଲେ। ଫଳରେ ଶହଶହ ଗାଡ଼ି ଅଟକିବା ସହିତ ଯାତାୟାତ ଠପ୍ ହୋଇଯାଇଥିଲା। ୭ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇ ପରିସ୍ଥିତି ସମ୍ପର୍କରେ ସରକାରଙ୍କ ସହିତ ଆଲୋଚନା କରି ସମାଧାନର ବାଟ ଖୋଲିବେ ବୋଲି ଅଧିକାରୀମାନେ ଆନ୍ଦୋଳନକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ବନ୍ଦ ନୀଳଚଳ କାରଖାନାକୁ କାର୍ଯ୍ୟକ୍ଷମ କରିବା, ବାକି ଦରମା ଦେବା ଓ ନିଜସ୍ୱ ଲୁହାପଥର ଖଣିକୁ କାର୍ଯ୍ୟକ୍ଷମ କରିବା ଭଳି ୩ ଦଫା ଦାବିରେ ନୀଳାଚଳ ମିଳିତ ମଞ୍ଚ ଏବଂ ବିସ୍ଥାପିତ କମିଟି ପକ୍ଷରୁ ଆଜି ଡୁବୁରି ଛକରେ ଅର୍ଥନୈତିକ ଅବରୋଧ କରାଯାଇଥିଲା। ସକାଳ ୬ଟାରୁ ଶହଶହ ସଂଖ୍ୟାର ଶ୍ରମିକ, କର୍ମଚାରୀ, ବିସ୍ଥାପିତ ଡୁବୁରି ଛକରେ ୪ଦିଗକୁ ଅବରୋଧ କାରଣରୁ ଦୈତାରୀ-ପାରାଦୀପ, ତାଳଚେର-ଚଣ୍ଡିଖୋଲ, ଡୁବୁରି-ଯାଜପୁର ରାସ୍ତାରେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଆନ୍ଦୋଳନ ସ୍ଥଳରେ କର୍ମଚାରୀ ଦେବେନ୍ଦ୍ରନାଥ ଦାସ ଓ ରମଣୀ ରଂଜନ ବେହେରା ଆତ୍ମାହୁତି ଦେବାକୁ ଦେହରେ କିରାସିନି ଢାଳି ହୋଇ ନିଆଁ ଲଗାଇବାକୁ ଯାଉଥିବା ବେଳେ ଉପସ୍ଥିତ ପୁଲିସ ଦୁହିଁଙ୍କୁ ଧାରିନେଇଥିଲା।

ଏଡିଏମ ରାଜସ୍ୱ ଅକ୍ଷୟ କୁମାର ମଲ୍ଲିକ, ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା, ଦାନଗଦୀ ତହସିଲଦାର ନମ୍ରଦା ମୋଦୀ, କଳିଙ୍ଗନଗର ଅତିରିକ୍ତ ଏସ୍‌ପି ଜୟରାମ ଶତପଥୀ, କଳିଙ୍ଗନଗର ଆଇଆଇସି ସୁଶାନ୍ତ ଦାସ ପ୍ରମୁଖ ମିଳିତ ମଞ୍ଚ, ବିସ୍ଥାପିତ ପରିଷଦ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ୭ଦିନ ମଧ୍ୟରେ ଦାବି ଉପରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇ ସମାଧାନ କରାଯିବାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ପରେ ଅର୍ଥନୈତିକ ଅବରୋଧ ହଟିଥିଲା।

ଆନ୍ଦୋଳନରେ ପ୍ରିୟନାଥ ମହାନ୍ତ, ବିଷ୍ଣୁଚରଣ ବିଶ୍ୱାଳ, ବିଜୟ ପାତ୍ର, ଅଭିରାମ ଦାସ, ରଂଜନ ନାୟକ, ବାବୁଲି ପୂର୍ତି, ମହିରାମ ପୂର୍ତି, ବିଜୟ ମହାନ୍ତ, ମନୋରଂଜନ ମହାନ୍ତ, ଗୋବରଘାଟି ସରପଞ୍ଚ ସ୍ୱର୍ଣ୍ଣଲତା ବାନରା ଓ ସମିତିସଭ୍ୟା ଝରଣା ମହାନ୍ତ ଆନ୍ଦୋଳନରେ ସାମିଲ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe