ବାଲିଯାତ୍ରାକୁ ଜାତୀୟ ପର୍ବ ମାନ୍ୟତା ଦାବି

Advertisment
ବାଲିଯାତ୍ରାକୁ ଜାତୀୟ ପର୍ବ ମାନ୍ୟତା ଦାବି

ନୂଆଦିଲ୍ଲୀ : ବାଲିଯାତ୍ରାକୁ ଜାତୀୟ ପର୍ବ ମାନ୍ୟତା ଦାବି କରି ଆଜି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କୁ ବିଜେଡି ସାଂସଦଙ୍କ ଏକ ପ୍ରତିନିଧିମଣ୍ଡଳ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧି ମଣ୍ଡଳରେ ବିଜେଡିର ୭ ଜଣ ରାଜ୍ୟସଭା ସାଂସଦଙ୍କ ସହ କଟକ ମେୟର ସୁବାସ ସିଂହ ସାମିଲ ହୋଇଥିଲେ।

ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି, ବାଲିଯାତ୍ରା ବା ବୋଇତ ବନ୍ଦାଣ ଉତ୍ସବ ବହୁ ଦିନରୁ କଟକରେ ପାଳନ ହୋଇଆସୁଛି। ପ୍ରାଚୀନ ଉତ୍କଳର ନୌ ବାଣିଜ୍ୟ ପରମ୍ପରା ଏବଂ ଓଡ଼ିଆ ସାଧବ ପୁଅଙ୍କ ସାମୁଦ୍ରିକ ଯାତ୍ରାକୁ ମନେପକାଇବା ପାଇଁ ଏହି ଉତ୍ସବ ପାଳନ କରାଯାଇଥାଏ। ସାଧବ ପୁଅମାନେ ବୋଇତ ଯୋଗେ ବାଲି, ଜାଭା, ସୁମତ୍ରା ଓ ବୋର୍ଣ୍ଣିଓ ଯାଇ ସେଠାରେ ବେପାର ବାଣିଜ୍ୟ କରିବା ସହିତ କଳା ଓ ସଂସ୍କୃତିର ଆଦାନ ପ୍ରଦାନ କରୁଥିଲେ। ଏହି ପରମ୍ପରାର ମୂକ ସାକ୍ଷୀ ଭାବେ ବାଲିଯାତ୍ରା ପାଳନ କରାଯାଇଥାଏ। ସ୍ମାରକପତ୍ରରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି, ରାଜ୍ୟ ସରକାର ବାଲିଯାତ୍ରାକୁ ରାଜ୍ୟ ଉତ୍ସବ ତଥା ବାର୍ଷିକ ବାଣିଜ୍ୟ ମେଳା ଭାବେ ସ୍ବୀକୃତି ପ୍ରଦାନ କରିଛନ୍ତି। ଯାହାକି ମହାନଦୀ ଶଯ୍ୟାରେ ଆୟୋଜିତ ହୋଇଥାଏ। ଏହି ଯାତ୍ରା ଜାତୀୟ ସ୍ବୀକୃତି ପାଇବାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲିଯାତ୍ରାକୁ ଜାତୀୟ ସାମୁଦ୍ରିକ ଏୗତିହ୍ୟ ଉତ୍ସବ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିସାରିଛନ୍ତି ବୋଲି ବିଜେଡି ସାଂସଦଙ୍କ ପ୍ରତିନିଧିମଣ୍ଡଳ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଯାତ୍ରା ପ୍ରତି ଓଡ଼ିଆଙ୍କ ଭାବାବେଗ ସହିତ ଜଡ଼ିତ। ଏହି ଦାବିକୁ ଶୀଘ୍ର କ୍ରିୟାନ୍ବୟନ କରାଯାଉ ବୋଲି ବିଜେଡି ସାଂସଦମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe