ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ବିୟୋଗ ରାଜ୍ୟର କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି: ମୁଖ୍ୟମନ୍ତ୍ରୀ

Advertisment

ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ

ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ

ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ବିୟୋଗ ରାଜ୍ୟର କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କରଙ୍କୁ ଜଣେ ମହାନ କଳାକାର ଭାବରେ ବର୍ଣ୍ଣନା କରିଛନ୍ତି। ତାଙ୍କ ବିୟୋଗ ରାଜ୍ୟର କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି।
ରାଷ୍ଟ୍ରୀୟ ସମ୍ମାନ ସହ ସ୍ବର୍ଗତ କରଙ୍କ ଶେଷକୃତ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

publive-image

ଆଜି ସକାଳେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା। ତାଙ୍କର ବିୟୋଗରେ ଓଡ଼ିଶାର ଶାସ୍ତ୍ରୀୟ ତବଲା ବାଦନ କ୍ଷେତ୍ରରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ ଶୂନ୍ୟସ୍ଥାନ। ଭାରତୀୟ ଶାସ୍ତ୍ରୀୟ ତବଲା ବାଦନ ଲାଗି ଜାତୀୟ ତଥା ଅନ୍ତର୍ଜାତୀୟ ପରିସରରେ ପ୍ରସିଦ୍ଧି ଅର୍ଜନ କରିଥିବା ପଣ୍ଡିତ କର ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟକରି ୨୦୧୦ ମସିହାରେ ଅବସର ଗ୍ରହଣ କରିଥିଲେ। ଜଣେ ଛାତ୍ରବତ୍ସଳ ବାଦ୍ୟଗୁରୁ ତଥା ଅପ୍ରତୀନ୍ଦ୍ବନ୍ଦ୍ବୀ କଳାକାର ଭାବେ ଜଣାଶୁଣା ପଣ୍ଡିତ ଉମେଶ ଚନ୍ଦ୍ର ଓଡ଼ିଶା ସଂଗୀତ ନାଟକ ଏକାଡେମି, କେନ୍ଦ୍ର ସଂଗୀତ ନାଟକ ଏକାଡେମି ପୁରସ୍କାର ସହିତ ବହୁ ସରକାରୀ ବେସରକାରୀ ଅନୁଷ୍ଠାନ ଦ୍ବାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ।

ପଣ୍ଡିତ ଉମେଶ ଚନ୍ଦ୍ରଙ୍କ ଜନ୍ମ ଶ୍ରୀକ୍ଷେତ୍ର ପୁରୀର ଏକ ପ୍ରତିଷ୍ଠିତ କଳାକାର ପରିବାରରେ ହୋଇଥିଲା। ତାଙ୍କର ପିତା ବାଦ୍ୟବିନୋଦ କ୍ଷେତ୍ରମୋହନ କର ଥିଲେ ଜଣେ ଖ୍ୟାତିସଂପନ୍ନ ମର୍ଦ୍ଦଳ ଓ ତବଲା ବାଦକ। ମା’ ପଦ୍ମାବତୀ କର ଥିଲେ ସିତାର ବାଦିକା। ସଂପର୍କୀୟ ବଡ଼ଭାଇ ପ୍ରଫୁଲ୍ଲ କର ଥିଲେ ଓଡ଼ିଶାର ଲୋକପ୍ରିୟ ଗାୟକ, ଗୀତିକାର ଓ ସଂଗୀତ ନିଦ୍ଦେର୍ଶକ।

ପିଲାଟି ଦିନରୁ ଘରେ ସଂଗୀତମୟ ପରିବେଶରେ ବଢ଼ିଥିଲେ ଉମେଶ ଚନ୍ଦ୍ର ଓ ବହୁ ପ୍ରସିଦ୍ଧ କଳାକାରଙ୍କ ସଂସ୍ପର୍ଶରେ ଆସିଥିଲେ। ତବଲା ବାଦନ ପ୍ରତି ଥିଲା ତାଙ୍କର ପ୍ରବଳ ଆକର୍ଷଣ। ପ୍ରଥମେ ସେ ନିଜର ପିତାଙ୍କଠାରୁ ଓ ପରେ କୋଲକାତା ଯାଇ ବିଶ୍ବପ୍ରସିଦ୍ଧ ତବଲାବାଦକ ପଣ୍ଡିତ ଜ୍ଞାନପ୍ରକାଶ ଘୋଷଙ୍କଠାରୁ ଶିକ୍ଷାଲାଭ କରିଥିଲେ। ଏହାପରେ ସେ ଦେଶବିଦେଶରେ ବହୁ ଶାସ୍ତ୍ରୀୟ ସଂଗୀତ ମଞ୍ଚରେ ତବଲା ବାଦନ କରି ଲୋକପ୍ରିୟତା ଅର୍ଜନ କରିଥିଲେ। ଏହାପରେ ସେ ଭୁବନେଶ୍ବରସ୍ଥିତ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ପଣ୍ଡିତ କର ଓଡ଼ିଶାର ପ୍ରଥମ ତବଲାବାଦକ ଭାବେ ଆକାଶବାଣୀ ଟପ୍ ଗ୍ରେଡ୍ କଳାକାର ମାନ୍ୟତା ଲାଭ କରିଥିଲେ। ବର୍ତ୍ତମାନ ତାଙ୍କର ବହୁଛାତ୍ର ତବଲା ବାଦନ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି।
ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ବିୟୋଗରେ ଓଡ଼ିଶାର କଳା ଜଗତରେ ଶୋକର ଛାୟା ଖେଳିଯାଇଛି। ଭୁବନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ବାସଭବନରେ ବହୁ କଳାକାର ଓ ଛାତ୍ର ତାଙ୍କର ଶେଷ ଦର୍ଶନ କରିଛନ୍ତି। ଜନ୍ମମାଟି ପୁରୀରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe