ସାଂପ୍ରତିକ ପରିସ୍ଥିତିରେ ଗଣତନ୍ତ୍ରର ସୁରକ୍ଷା ଜରୁରି: ବାବା ବଳିଆ 

ମଦର ବହୁଳ ପ୍ରଚାର ଯୁବପିଢ଼ିଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲିଦେବ

ସାଂପ୍ରତିକ ପରିସ୍ଥିତିରେ ଗଣତନ୍ତ୍ରର ସୁରକ୍ଷା ଜରୁରି: ବାବା ବଳିଆ 

ଗଞ୍ଜାମ : ସାଂପ୍ରତିକ ପରିସ୍ଥିତିରେ ଗଣତନ୍ତ୍ରର ସୁରକ୍ଷା ଅତ୍ୟନ୍ତ ଜରୁରି। ଏଥିପାଇଁ ସାମୂହିକ ଉଦ୍ୟମ କରିବା ଆବଶ୍ୟକ ବୋଲି ପଦ୍ମଶ୍ରୀ ବାବା ବଳିଆ ମତବ୍ୟକ୍ତ କରିଛନ୍ତି। ଆଜି ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହରର ସାମନ୍ତରାୟ ସାହିସ୍ଥିତ  ଅନନ୍ତ ବଳିଆ ଭବନରେ ଗଞ୍ଜାମ ସହର ନାଗରିକ କମିଟି, ଗଞ୍ଜାମ ପ୍ରେସ୍ କ୍ଲବ୍, ଗଞ୍ଜାମ ବରିଷ୍ଠ ନାଗରିକ ମଞ୍ଚ ପୌରାଞ୍ଚଳ ପକ୍ଷରୁ ବାବା ବଳିଆଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ଉପାଧ୍ୟାକ୍ଷ ସୁରେନ୍ଦ୍ର କୁମାର ବାରିକି,  ବରିଷ୍ଠ ନାଗରିକ ମଞ୍ଚ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରୀଶଙ୍କର ପାଢ଼ୀ, ଉପଦେଷ୍ଟା ତଥା ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀ, ପ୍ରେସ୍ କ୍ଲବ୍ ସଭାପତି ଶବର କୁମାର ତରାଇ ଓ ସାମାଜିକ କର୍ମୀ ବିନୋଦ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇ ବାବା ବଳିଆଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ବାବା ବଳିଆ କହିଥିଲେ, ଗଣତନ୍ତ୍ର ହେଉଛି ପବିତ୍ର ତନ୍ତ୍ର। ପୃଥିବୀରେ ଭାରତ ହେଉଛି ଏକ ମାତ୍ର ଗଣତନ୍ତ୍ର ରାଷ୍ଟ୍ର।

ଯେଉଁଠି ଲୋକଙ୍କ ଦ୍ବାରା ଶାସନ ପରିଚାଳିତ ହେଉଛି। କିନ୍ତୁ ଦୁଃଖର ବିଷୟ ହେଲା, ଯେଉଁ ଲକ୍ଷ୍ୟ ନେଇ ଗଣତନ୍ତ୍ର ରାଷ୍ଟ୍ରର ପରିକଳ୍ପନା କରାଯାଇଥିଲା ତାହା ବର୍ତ୍ତମାନ ସାଧିତ ହୋଇପାରୁନି। ଫଳରେ ଏହାକୁ ସୁରକ୍ଷା ଦେବାର ସମୟ ଆସିଛି। ସେହିପରି ମଦକୁ ନେଇ ଦେଶ ଓ ରାଜ୍ୟରେ ବହୁଳ ମାତ୍ରାରେ ପ୍ରଚାରପ୍ରସାର ହେଉଛି। ଏହା ନିଶ୍ଚିତ ଭାବେ ଚିନ୍ତାଜନକ। ଏହାଦ୍ବାରା ଯୁବପିଢ଼ିଙ୍କ ଭବିଷ୍ୟତ ଅନ୍ଧକାର ମୁହଁକୁ ଠେଲି ହୋଇଯାଇଛି। ଯାହାକି ଗଣତନ୍ତ୍ର ପ୍ରତି ଆଗାମୀ ଦିନରେ ବିପଦ ସୃଷ୍ଟି କରିବ।

ସରକାରଙ୍କ ଦ୍ବାରା ସୀମାରୁ ବାହାରେ ମଦ ଦୋକାନ ଖୋଲିବାକୁ ଯେଭଳି ଭାବେ ଲାଇସେନ୍ସ୍ ଦିଆଯାଉଛି, ତାହା ଚିନ୍ତାର ବିଷୟ। ତେଣୁ  ରାଜ୍ୟରେ ବଢ଼ି ଚାଲୁଥିବା ମଦ ଦୋକାନ ଉପରେ ଅଙ୍କୁଶ ଲଗାଇବାକୁ ଖୋଦ୍ ସେ ରାଜ୍ୟ ସରକାରଙ୍କୁ ୫ଟି ଚିଠି ଲେଖିଥିବା ବାବା ବଳିଆ କହିଥିଲେ। ଏହାସହ ଏନେଇ ସେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି। ଅନ୍ୟପକ୍ଷରେ ମଥୁରା ଭଳି ପବିତ୍ର ପୀଠରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଭଳି ମଦ ଓ ଆମିଷ ବିକ୍ରି ଉପରେ ନିଷେଧାଦେଶ ଜାରି କରିଛନ୍ତି, ଅନୁରୂପ ଭାବେ ପୁରୀ ଶ୍ରୀକ୍ଷେତ୍ରରେ ବି ଏହି ନିୟମକୁ କାର୍ଯ୍ୟକାରୀ କରିବାର ଆବଶ୍ୟକ ରହିଛି ବୋଲି ବାବା ବଳିଆ ମତବ୍ୟକ୍ତ କରିଛନ୍ତି।
ଅନ୍ୟପକ୍ଷରେ ବର୍ତ୍ତମାନ ପରିସ୍ଥିତିରେ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ସାଙ୍ଗକୁ ବୃକ୍ଷରୋପଣର ଗୁରୁତ୍ବ ଉପରେ ସେ ଆଲୋକପାତ କରିଥିଲେ। ୩୦ଟି ଜିଲ୍ଲାରେ ତାଙ୍କ ଉଦ୍ୟମରେ ଏକଲକ୍ଷରୁ ଅଧିକ ଚାରାରୋପଣ ହୋଇସାରିଛି। ଆଗାମୀ ଦିନରେ ଅନେକ ସ୍ଥାନରେ ବୃକ୍ଷରୋପଣ ସହ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଲକ୍ଷ୍ୟ ରହିଛି। ଏହାସହ ସମାଜରେ ବିଧବାଙ୍କୁ ଉପଯୁକ୍ତ ସମ୍ମାନ ଦେବା, ଅନ୍ଧବିଶ୍ବାସ ଭଳି କୁପ୍ରଥାରୁ ଦୂରେଇ ରହିବା ଓ ବାହାଘର ପୂର୍ବରୁ ବରକନ୍ୟାଙ୍କ ରକ୍ତ ଏବଂ ସ୍ବାସ୍ଥ୍ୟ ପରୀକ୍ଷା ଉପରେ ବାବା ବଳିଆ ଗୁରୁତ୍ବାରୋପ କରିଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅଧ୍ୟାପକ ଗିରିଶ ଆଚାର୍ଯ୍ୟ, ଉତ୍ତମ ପଣ୍ଡା ଓ ବିନୋଦ ଚନ୍ଦ୍ର ମହାପାତ୍ର ପରିଚାଳନା କରିଥିବା ବେଳେ ବାବାଜୀ ମଧୁସୂଦନ ଦାସ, ସଞ୍ଜୟ ଦାସ, କାଳନ୍ଦୀ ଦାସ, ଗୋପାଳ ଦାସ ଓ ନରହରି ଦାସଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଏବଂ ମହିଳା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe