ଅକ୍ଟୋବର ୧୫ ଯାଏ ଉଚ୍ଛେଦ କି ସଂପତ୍ତି ନିଲାମ ହେବନାହିଁ, ମେ ୫ର ଅନ୍ତରୀଣ ନିର୍ଦ୍ଦେଶ ଅବଧି ବୃଦ୍ଧି କଲେ ହାଇକୋର୍ଟ

ହାଇକୋର୍ଟରେ ହାଜର ହେଲେ ଉଚ୍ଚଶିକ୍ଷା ସଚିବ

କଟକ : ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଉଚ୍ଛେଦ କରାଯାଇ ପାରିବନାହିଁ। କୌଣସି ନାଗରିକ ବା ଅନୁଷ୍ଠାନର ସଂପତ୍ତି ନିଲାମ ପାଇଁ ବ୍ୟାଙ୍କ ପଦକ୍ଷେପ ନେଇ ପାରିବ ନାହିଁ। ଏଥିସହିତ ପୂର୍ବରୁ ଜାରି କରାଯାଇଥିବା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ/ସୁରକ୍ଷା, ଜାମିନ ଅବଧି ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦେଖା ଦେଇଥିବା ସ୍ଥିତିରେ ଆଇନଜୀବୀ ବିଜୟ କୁମାର ରଗଡଙ୍କ ପକ୍ଷରୁ ରୁଜୁ ଜନସ୍ବାର୍ଥ ମାମଲାର ଶୁଣାଣି କରି ୨୦୨୦, ମେ ୫ରେ ହାଇକୋର୍ଟ ଯେଉଁ ରାୟ ପ୍ରଦାନ କରିଥିଲେ ତାହାକୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ୨୦୨୦, ମେ୫ର ନିର୍ଦ୍ଦେଶ ଅକ୍ଟୋବର ୧୫ ପର୍ଯ୍ୟନ୍ତ ସଂପ୍ରସାରିତ କରିଛନ୍ତି।

ପ୍ରକାଶିତ ରାୟରେ ପୂର୍ବରୁ ସ୍ପଷ୍ଟ କରାଯାଇଥିଲା ଯେ, ହାଇକୋର୍ଟଙ୍କ ଅଧୀନରେ ଥିବା ରାଜ୍ୟର ସମସ୍ତ ସବ-ଅର୍ଡିନେଟ୍ କୋର୍ଟ, ପରିବାର ଅଦାଲତ, ‌ଶ୍ରମ ଅଦାଲତ, ଟ୍ରିବ୍ୟୁନାଲ, ଜୁଡିସିଆଲ ବା କ୍ବାସିଜୁଡିସିଆଲ ଫୋରମ ଜାରି କରିଥିବା ଅନ୍ତରୀଣ ନିର୍ଦ୍ଦେଶ ଯଦି ଲକ୍‌ଡାଉନ୍‌ ଆରମ୍ଭ ସମୟରେ ବଳବତ୍ତର ଥିବ ତେବେ ଏହାର ଅବଧି ବୃଦ୍ଧି ପାଇବ। ଯଦି ରାଜ୍ୟର କୌଣସି ଅଦାଲତର ଅନ୍ତରୀଣ ନିର୍ଦ୍ଦେଶର ସମୟସୀମା ନଥିବ ଓ ଏହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ଆଦେଶ ରହିଥିବ ତେବେ ନିର୍ଦ୍ଦିଷ୍ଟ ମାମଲାରେ ଏହା ସଂଶୋଧିତ ବା ଉଠାଇଦେବା ପାଇଁ ନିର୍ଦ୍ଦେଶ ଜାରି ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିସହିତ ଉଚ୍ଛେଦ, ସ୍ଥାନାନ୍ତରଣ ଓ ଭାଙ୍ଗିବା ସଂକ୍ରାନ୍ତରେ ହାଇକୋର୍ଟ ସହିତ ସମସ୍ତ ସବ୍-ଅର୍ଡିନେଟ୍ କୋର୍ଟ, ଟ୍ରିବୁନାଲ, ଜୁଡିସିଆଲ କିମ୍ବା କ୍ବାସିଜୁଡିସିଆଲ ଫୋରମ ଜାରି କରିଥିବା ନିର୍ଦ୍ଦେଶ ଏହି ଅବଧି ପର୍ଯ୍ୟନ୍ତ ସ୍ଥଗିତ ରହିବ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୫କୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe