ବ୍ରହ୍ମପୁରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ସରକାରଙ୍କ ବିରୋଧରେ ବର୍ଷିଲେ

ବ୍ରହ୍ମପୁରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

‘ମୋ ସରକାର’, ‘୫-ଟି’କୁ ଚେଲ୍ଲାକୁମାରଙ୍କ ତାଚ୍ଛଲ୍ୟ
ତେଲ ଦର ନକମିଲେ ୧୫ରେ ଓଡ଼ିଶା ବନ୍ଦ: ନିରଞ୍ଜନ
ଗଞ୍ଜାମରେ ସବୁ ସହରାଞ୍ଚଳରେ ହେବ ମଶାଲ ରାଲି

ବ୍ରହ୍ମପୁର : ପୌର ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ପୁରୁଣା ଗଡ଼ ବ୍ରହ୍ମପୁରରେ ଗାନ୍ଧୀଜୀଙ୍କ ତିରୋଧାନ ଦିବସ ପାଳନ ଅବସରରେ ଶକ୍ତି ପ୍ରଦର୍ଶନ କରିଛି। ଗୋଟିଏ ମଞ୍ଚରେ ରାଜ୍ୟର ସମସ୍ତ ବରିଷ୍ଠ ନେତୃ‌ମଣ୍ଡଳୀ ଉପସ୍ଥିତ ରହି ଦଳ ବର୍ତ୍ତମାନ ଲଢ଼େଇ ଲାଗି ପ୍ରସ୍ତୁତ ଥିବା ବାର୍ତ୍ତା ଦେଇଛନ୍ତି। ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିବା ଲାଗି ଏକାଧିକ କାର୍ଯ୍ୟପନ୍ଥା ଘୋଷଣା କରିଛନ୍ତି। ପଟ୍ରୋଲ ଓ ଡିଜେଲ ଲିଟର ପିଛା ୧୦ଟଙ୍କା ନ କମାଇଲେ ଆସନ୍ତା ଫେବ୍ରୁଆରି ୧୫ରେ ଓଡ଼ିଶା ବନ୍ଦ କରାଯିବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଛନ୍ତି। ବିଜେପି-ବିଜେଡିର ଦୁର୍ନୀତିକୁ ନେଇ କଂଗ୍ରେସ ପକ୍ଷରୁ ଗଞ୍ଜାମ ଜିଲ୍ଲାର ପ୍ରତି ଏନ୍‌ଏସି ଓ ମ୍ୟୁନିସିପାଲଟିରେ ମଶାଲ ଶୋଭାଯାତ୍ରା କରାଯିବ ବୋଲି ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଜେନା ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ପ୍ରଭାରୀ ଡ.ଚେଲ୍ଲାକୁମାର ରାଜ୍ୟ ସରକାରଙ୍କ ମୋ ସରକାର ଓ ୫-ଟି ନାଁରେ ଚାଲିଥିବା ଭେଳିକିକୁ ତାଚ୍ଛଲ୍ୟ କରିଥିଲେ। ଆଜିର ସମାବେଶ ସ୍ଥଳରେ ବିଜେପିର ପୂର୍ବତନ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବନଜା ପଣ୍ଡା ତାଙ୍କ କର୍ମୀ, ସମର୍ଥକଙ୍କ ସହ କଂଗ୍ରେସରେ ଯୋଗ ଦେଇଥିଲେ।

୧୯୨୧ ମାର୍ଚ୍ଚ ୨୯ରେ ପ୍ରଥମ ଓଡ଼ିଶା ଗସ୍ତରେ ମହାତ୍ମା ଗାନ୍ଧୀ ବ୍ରହ୍ମପୁର ଆସି ବାରାକ୍‌ ପଡ଼ିଆ(ବ୍ରହ୍ମପୁର ଷ୍ଟାଡ଼ିୟମ) ଠାରେ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ। ଏହି ଗସ୍ତର ଶହେ ବର୍ଷ ପୂର୍ତ୍ତି ଅବସରରେ ପିସିସିର ନଷ୍ପତ୍ତି କ୍ରମେ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ପଡ଼ିଆରେ ଦଳ ପକ୍ଷରୁ ଆଜି ଗାନ୍ଧୀଜୀଙ୍କ ତିରୋଧାନ ଦିବସ ପାଳନ କରାଯାଇଛି। ଗୋପାଳପୁରରୁ ବିଶାଳ ଶୋଭାଯାତ୍ରା ବାହାରି ସଭାସ୍ଥଳରେ ପହଞ୍ଚିଥିଲା। ରାଲି ଆସୁଥିବା ବେଳେ ପୁଲିସ ଅଟକାଇବାରୁ କିଛି ସମୟ ଲାଗି କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ବାଙ୍କିର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ସମାବେଶରେ ଜଣେ ପରେ ଜଣେ କଂଗ୍ରେସ ନେତା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ବର୍ତ୍ତମାନ ରାଜନୀତିର ବ୍ୟବସାୟୀକରଣ ହୋଇଯାଇଛି। ମହାତ୍ମା ଗାନ୍ଧୀଙ୍କ ମୂଳଲକ୍ଷ୍ୟ ପଥଭ୍ରଷ୍ଟ ହୋଇଗଲାଣି। ମାଆ ଭଉଣୀମାନେ ରାତି ୧୨ଟାରେ ଏକାକୀ ବୁଲିପାରିଲେ ଭାରତ ପ୍ରକୃତ ସାଧୀନତା ପାଇଛି ବୋଲି ଅନୁଭବ ହେବ ବୋଲି ଗାନ୍ଧିଜୀ କହିଥିଲେ। ଓଡ଼ିଶାରେ ବିଜେଡି ସରକାର ଅମଳରେ ନାରୀ ନିର୍ଯାତନା ସୀମା ଲଂଘିଛି। କେନ୍ଦ୍ରର ବିଜେପି ଏବଂ ରାଜ୍ୟ ବିଜେଡ଼ି ସରକାର ନିର୍ବାଚନ ବୈତରଣୀ ପାର ହେବା ଲାଗି ଜନସାଧାରଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଯେତେଦିନ ଯାଏ ଦୁର୍ନୀତି ଓ ଭ୍ରଷ୍ଟାଚାର ବନ୍ଦ ହୋଇନି ସେ ପର୍ଯ୍ୟନ୍ତ ଦେଶ ଓ ରାଜ୍ୟର ବିକାଶ ସମ୍ଭବ ନୁ‌େହଁ।

publive-image

ଓଡ଼ିଶା ପ୍ରଭାରୀ ଡ.ଚେଲ୍ଲାକୁମାର ରାଜ୍ୟ ସରକାରଙ୍କ ମୋ ସରକାର ଏବଂ ୫-ଟି ଉପରେ ବର୍ଷିଥିଲେ। ୨୦୧୯ ଅକ୍ଟୋବର ୨ରୁ ମୋ ସରକାର ଆରମ୍ଭ ପୂର୍ବରୁ ଓଡ଼ିଶାରେ‌ କାହା ସରକାର ଥିଲା। ମୋ ସରକାର ଓ ‘୫-ଟି ଯଦି ସରକାରଙ୍କ ଏକ ବିଭାଗ, ଓଡ଼ିଶା ଗେଜେଟ୍‌ରେ କାହିଁକି ବିଜ୍ଞପ୍ତି ପ୍ରକାଶ ପାଇନି। ଏ ଦ୍ବୟ ସୂଚନା ଅଧିକାର ପରିସରଭୁକ୍ତ ହୋଇଛି କି ନାହିଁ। ବର୍ତ୍ତମାନ ସରକାରରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ମଧ୍ୟରୁ କାହାର କ୍ଷମତା ଅଧିକ ବୋଲି ସେ ପ୍ରଶ୍ନ କରିଥିଲେ। ଡ.ଚେଲ୍ଲାକୁମାର କହିଥିଲେ, ପ୍ରତି କଥାରେ ବିଜେପି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦାବି କରୁଛି। ମୋ ସରକାର ଓ ୫-ଟିର ବିଜେପି ସିବିଆଇ ତଦନ୍ତ ଦାବି କାହିଁକି କରୁନାହିଁ ବୋଲି ସପ୍ରେଶ୍ନ କରିଥିଲେ। ସେ ଆହୁରି କହିଥିଲେ, ଗଞ୍ଜାମର ସବୁ ଜଳସେଚନ ପ୍ରକଳ୍ପ, ବ୍ରହ୍ମପୁର ବଡ଼ ଡାକ୍ତରଖାନା କଂଗ୍ରେସ ସମୟରେ ହୋଇଛି। ୨୧ ବର୍ଷ ଶାସନ ମଧ୍ୟରେ ଗଞ୍ଜାମ ଲାଗି ବିଜେଡି ସରକାର କିଛି କରି ନାହିଁ। ୨୦୨୪ରେ ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିବ ବୋଲି ଚେଲ୍ଲା କୁମାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ବିଜୁ ବାବୁ ଥିଲେ ସ୍ବାଧୀନତା ସଂଗ୍ରାମୀ। କିନ୍ତୁ ତାଙ୍କର ପୁଅ ନବୀନ ପଟ୍ଟନାୟକ ସବୁ କ୍ଷେତ୍ରରେ ବିଜେପି ସରକାରଙ୍କୁ ସମର୍ଥନ ଦେଉଛନ୍ତି। ବିଜେପିର ଅସୁବିଧା ବେଳେ ସହଯୋଗର ହାତ ବଢ଼ାଉଛନ୍ତି। ବର୍ଷକୁ ୨କୋଟି ଚାକିରି ଦେବି କହି ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ସହ ପ୍ରତରଣା କରିଛନ୍ତି। ବିଜେପି ଓ ବିଜେଡିକୁ ଜନତା ଚିହ୍ନି ସାରିଲେଣି। ଏମାନଙ୍କ ଦୁର୍ନୀତିକୁ ଆଉ ବରଦାସ୍ତ କରାଯିବନି।

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଥିଲେ, ଆଜିର ସମବେଶ କରାଇ ନଦେବା ଲାଗି ରାଜ୍ୟ ସରକାର ଉଦ୍ୟମ କରିଥିଲେ। ଶେଷରେ କଂଗ୍ରେସର ବିଜୟ ହୋଇଛି, ରାଜ୍ୟ ସରକାର ମୁଣ୍ଡ ନୁଆଁଇଛନ୍ତି। ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ, ବିଜେଡି-ବିଜେପି ଦୁଇ ଭାଇ। ଓଡ଼ିଶାର ବିକାଶ ଲାଗି ଏମାନଙ୍କ ଚିନ୍ତା ନାହିଁ। ଅଭିମାନରେ କଂଗ୍ରେସ ଛାଡ଼ି ପଳାଇଥିବା ନେତାଙ୍କୁ ଫେରାଇ ଆଣିବା ସହ ତୃଣମୂଳ ସ୍ତରରୁ କଂଗ୍ରେସ ସଶକ୍ତ କରିବା ଲାଗି ପିସିସି ସଭାପତିଙ୍କୁ ସେ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ସଂଗ୍ରାମ ଜେନା, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ନାଇଡ଼ୁ, ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା, ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଲିଙ୍ଗରାଜ ଚୌଧୁରୀ, ରଶ୍ମି ପଟ୍ଟନାୟକ, ବିସ୍ମୟ ମହାପାତ୍ର, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ପ୍ରମୋଦ ଜେନା, ଗଞ୍ଜାମ ପ୍ରଭାରୀ ଅକ୍ଷୟ ଆଚାର୍ଯ୍ୟ, ଛାତ୍ର କଂଗ୍ରେସ ସଭାପତି ୱାଇ.ନୱାଜ୍‌, ପୂର୍ବତନ ଯୁବ କଂଗ୍ରେସ ସଭାପତି ରଜତ୍‌ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶ ଥାଉ କି, ୧୫ଶହ ଲୋକଙ୍କୁ ନେଇ କୋଭିଡ଼୍‌ ନିୟମ ମାନି ଏହି ସମାବେଶ କରିବା ଲାଗି ରାଜ୍ୟ ସରକାର ଅନୁମତି ଦେଇଥିଲେ। କିନ୍ତୁ ଏହି ସାମବେଶରେ ୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଦଳ ପକ୍ଷରୁ କର୍ମୀଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe