୨୯ ଜିଲ୍ଲାରେ ଡେଙ୍ଗୁ: ହାତ ଝାଡ଼ିଦେଲେ ସରକାର, ଆଉ ମାସେ କଲବଲ କରିବ

Advertisment
୨୯ ଜିଲ୍ଲାରେ ଡେଙ୍ଗୁ: ହାତ ଝାଡ଼ିଦେଲେ ସରକାର, ଆଉ ମାସେ କଲବଲ କରିବ

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ଜ୍ବର ମାଡ଼ି ଚାଲିଛି। ବିଶେଷକରି ଭୁବନେଶ୍ବରରେ ଡେଙ୍ଗୁ ଭୟାନକ ପରିସ୍ଥିତି ସୃଷ୍ଟି କଲାଣି। ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଶଯ୍ୟା ମିଳୁନାହିଁ। ତେବେ ଡେଙ୍ଗୁ ପ୍ରକୋପରୁ ଏବେ ନିସ୍ତାର ମିଳିବ ନାହିଁ। ସେପ୍ଟେମ୍ବର ମାସ ଶେଷ ଆଡ଼କୁ ପ୍ରକୋପ କିଛିଟା କମିପାରେ। ତାହାପୁଣି ବର୍ଷା ଉପରେ ନିର୍ଭର କରେ। ଯଦି ଅକ୍ଟୋବର କିମ୍ବା ନଭେମ୍ବର ପର୍ଯ୍ୟନ୍ତ ବର୍ଷା ଲାଗି ରୁହେ ତାହାଲେ ସେ ପର୍ଯ୍ୟନ୍ତ ମଧ୍ୟ ଡେଙ୍ଗୁର ପ୍ରକୋପ ଜାରି ରହିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

କେବଳ ବୌଦ୍ଧ ଜିଲ୍ଲାକୁ ବାଦ୍ ଦେଲେ ରାଜ୍ୟର ୨୯ଟି ଜିଲ୍ଲାକୁ ଏବେ ଡେଙ୍ଗୁ ମାଡ଼ି ସାରିଲାଣି। ଖୋର୍ଧା ଏଥିରେ ସର୍ବାଗ୍ରେ ରହିଥିବା ବେଳେ ବାଲେଶ୍ବର, ପୁରୀ, ଜଗତସିଂହପୁର, କଟକ ଜିଲ୍ଲାରେ ‌ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲାଣି। ଚଳିତବର୍ଷ ଡେଙ୍ଗୁ ଜ୍ବରରେ ପୀଡ଼ିତଙ୍କ ସଂଖ୍ୟା ୨୫୪୩ ଛୁଇଁଲାଣି। ଗତବର୍ଷ ଏହି ସମୟରେ ରାଜ୍ୟରେ ୧୭୪୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଗତକାଲି ରାଜ୍ୟରେ ୧୨୩୧ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୧୧୭ ରୋଗୀ ଚିହ୍ନଟ ହୋଇଥିଲେ। ‌ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର ପ୍ରାୟ ୧୦% ରହିଛି। ରାଜଧାନୀରେ ଡେଙ୍ଗୁ ସ୍ଥିତି ଅସମ୍ଭାଳ କଲାଣି। ଡେଙ୍ଗୁ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଲମ୍ବା ଲାଇନ୍ ଲାଗୁଛି। ଆଇଆରସି ଭିଲେଜ, ସାଲିଆସାହି, ଶୈଳଶ୍ରୀ ବିହାର, ପଟିଆ ଆଦି ଅଞ୍ଚଳ ଡେଙ୍ଗୁର ହଟ୍‌ସ୍ପଟ୍‌ ପାଲଟିଛି। ପ୍ରତିଦିନ ଏହି ଅଞ୍ଚଳରୁ ପୁଳା ପୁଳା ରୋଗୀ ଚିହ୍ନଟ ହେଉଛନ୍ତି। ପ୍ରତିବର୍ଷ ଭୁବନେଶ୍ବରରେ ଡେଙ୍ଗୁ ମାଡ଼ୁଥିବା ବେଳେ ଚଳିତବର୍ଷ ରାଜ୍ୟ ସରକାରଙ୍କ ଏ ଦିଗରେ ପ୍ରସ୍ତୁତିକୁ ‌ନେଇ ପ୍ରଶ୍ନବାଚୀ ସଷ୍ଟି ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁରେ ଆକ୍ରାନ୍ତ ରୋଗୀଙ୍କୁ ଶଯ୍ୟା ମିଳୁ ନ ଥିବା ବେଳେ ରାଜଧାନୀର ୪ଟି ପ୍ରମୁଖ ୟୁସିଏଚ୍‌ସିରେ ୧୦ଟି ଲେଖାଏ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଏହାସହ ଏଠାରୁ ରୋଗୀଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି। ୟୁନିଟ୍‌-୪ସ୍ଥିତି ୟୁସିଏଚ୍‌ସିରେ ଆଜିଠାରୁ ନମୁନା ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଡୁମୁଡୁମା ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ମାତ୍ର ରାଜଧାନୀର ଘରେ ଘରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାରୁ ସହରରେ ଥିବା ୨୦ରୁ ଅଧିକ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ୟୁପିଏଚ୍‌ସି)ରେ ନମୁନା ସଂଗ୍ରହ ଆରମ୍ଭ କରିବା ଲାଗି ସାଧାରଣରେ ଦାବି ହୋଇଛି। ଯାହାଫଳରେ କ୍ୟାପିଟାଲ ହସ୍ପିଟାଲ ଉପରେ ଚାପ କମିବ ଓ ‌ଘର ପାଖରେ ନମୁନା ପରୀକ୍ଷା ହେଉଥିବାରୁ ସବୁ ଲୋକମାନେ ଟେଷ୍ଟିଂ ପାଇଁ ଆଗେଇ ଆସିବେ। କଟକ ଜିଲ୍ଲାରେ ଏହି ବ୍ୟବସ୍ଥା ଆରମ୍ଭ ହୋଇସାରିଛି। ତେଣୁ ସରକାର ଭୁବନେଶ୍ବରରେ ଏହି ବ୍ୟବସ୍ଥା କରିବା ଲାଗି ଆଗେଇ ଆସିବା ଦରକାର।

ବିଶେଷଜ୍ଞଙ୍କ ମତରେ ମ୍ୟାଲେରିଆ, ଫାଇଲେରିଆ ଭଳି ଡେଙ୍ଗୁ ରୋଗ ସୃଷ୍ଟିକାରୀ ଏଡିସ୍‌ ମଶା ଘର ଭିତରେ ଅଣ୍ଡା ଦେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର। ମଶା ତେଲ ମଧ୍ୟ ପକାଇବା ସମ୍ଭବ ନୁହେଁ। ତେଣୁ ଲୋକ ସଚେତନତା ଓ ସର୍ଭେଲାନ୍‌ସ ଗୁରୁତ୍ବପୂର୍ଣ୍ଣ। ସଚେତନତା କାରଣରୁ ଯଦିଓ ଟେଷ୍ଟିଂ ହାର ବଢ଼ିଛି ମାତ୍ର ଆକ୍ରାନ୍ତ ବ୍ୟକ୍ତି ଅଯଥାରେ ଭୟଭୀତ ହୋଇପଡ଼ୁଛନ୍ତି। ଯାହାଫଳରେ ହସ୍ପିଟାଲ ଉପରେ ଅଧିକ ମାତ୍ରାରେ ଚାପ ପଡ଼ୁଛି। ଅନେକ ଘରେ ରହି ମଧ୍ୟ ଚିକିତ୍ସିତ ହୋଇପାରିବେ ବୋଲି ବିଶେଷଜ୍ଞ ମତ ରଖିଛନ୍ତି। ରାଜ୍ୟ ଏନ୍‌ଭିବିଡିସିପ ଅଧିକାରୀ ଡା.ଶୁଭାଶିଷ ମହାନ୍ତି କହିଛନ୍ତି, ଚଳିତବର୍ଷ ସେର୍ଭେଲାନ୍‌ସ ବହୁ ମାତ୍ରାରେ ବଢ଼ିଛି। ତେଣୁ ଅଧିକ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି। ସଂଖ୍ୟାକୁ ନେଇ ଲୋକମାନେ ଭୟଭୀତ ହେବା ଉଚିତ୍ ନୁହେଁ। ନିୟମିତ ଡେଙ୍ଗୁ ସ୍ଥିତିର ସମୀକ୍ଷା କରାଯାଉଛି। ୫୦ହଜାର ପର୍ଯ୍ୟନ୍ତ ପ୍ଲେଟଲେଟ୍‌ ଥିବା ବ୍ୟକ୍ତିଙ୍କ ମଧ୍ୟ କୌଣସି ସମସ୍ୟା ହୋଇ ନ ଥାଏ। ଅନ୍ୟ ୪ଟି ୟୁସିଏଚ୍‌ସିରେ ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟାର ବନ୍ଦୋବସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଡା.ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe