ଶିକ୍ଷକଙ୍କ ମୃତ୍ୟୁ ମାମଲା : ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ପିଅନ ଗିରଫ

Advertisment
ଶିକ୍ଷକଙ୍କ ଆତ୍ମହତ୍ୟା ମାମଲା : ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଗିରଫଦାରିର କାରଣକୁ ନେଇ ବଢୁଛି ଚର୍ଚ୍ଚା

କୋରାପୁଟ : ଶେଷରେ ଗିରଫ ହୋଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରମୋଦ କୁମାର ପଣ୍ଡା। ତାଙ୍କ ସରକାରୀ ବାସଭବନରେ ଶିକ୍ଷକ ଚିତ୍ତରଂଜନ ପଣ୍ଡାଙ୍କ ଆତ୍ମହତ୍ୟା ମାମଲାରେ ଆଜି କୋରାପୁଟ ପୁଲିସ ଗିରଫ କରିଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ କାର୍ଯ୍ୟାଳୟର ପିଅନ ଅନୀଲ ସାଗରଙ୍କୁ ବି ଗିରଫ କରିଛି ପୁଲିସ। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଶିକ୍ଷକ ଆତ୍ମହତ୍ୟା ମାମଲାରେ ପୁଲିସ ଆଜି ପର୍ଯ୍ୟନ୍ତ ୪ ଜଣଙ୍କ ଗିରଫ କରିଛି ।

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଚିକାମ୍ବ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଥିବା ଚିତ୍ରଂଜନ ପଣ୍ଡା ଡେପୁଟେସନରେ ଆସି କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କିରାଣି ଭାବେ କାମ କରୁଥିଲେ। ଗତ ୮ ତାରିଖ‌ ମଧ୍ୟାହ୍ନରେ ତାଙ୍କ ମୃତଦେହ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପଣ୍ଡାଙ୍କ ବାସଭବନରୁ ମିଳିଥିଲା। ତାଙ୍କ ପକେଟ୍‌ରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିବା ପରେ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ସ୍ପଷ୍ଟ ହୋଇଥିଲା। ମୃତ ଶିକ୍ଷକଙ୍କ ପରିବାର ଏଥିନେଇ କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୩୧୯/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଏହି ଘଟଣାର ଉଚିତ ତଦନ୍ତ ପାଇଁ କୋରାପୁଟ ଏସପି ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ସୁନାବେଡା ଥାନା ଅଧିକାରୀ ସୁମିତ୍ରା ଜେନାଙ୍କୁ ଏହାର ତଦନ୍ତ ଦାୟିତ୍ବ ଦେଇଥିଲେ। ଏହି ମାମଲାରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପଣ୍ଡାଙ୍କ ସଂପୃକ୍ତି ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରିଥିବା କୋରାପୁଟ ଏସଡିପିଓ ବଳଭଦ୍ର ଦୀପ୍‌ ଆଜି ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି। ‌ପୁଲିସ ସୂଚନା ଅନୁଯାୟୀ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପଣ୍ଡାଙ୍କୁ କଟକରୁ ଗିରଫ କରାଯାଇଛି । ଶିକ୍ଷକ ଆତ୍ମହତ୍ୟା ମାମଲାରେ ତାଙ୍କର ସଂପୃକ୍ତି ଥିବା ପୁଲିସ ତଦନ୍ତରୁ ଜାଣିପାରିଛି । ମୃତ ଶିକ୍ଷକ ଜଣକ ଶେଷ ଥର ପାଇଁ ଜିଲ୍ଲା ଶିକ୍ଷା ଅଧିକା‌ରୀଙ୍କ ସହ ଫୋନରେ କଥା ହୋଇଥିଲେ। ତାଙ୍କ ଫୋନ୍‌ କଲ୍‌ ଡି‌ଟେଲସ ଓ ଅନ୍ୟ ପାରିପାର୍ଶ୍ବିକ ପ୍ରମାଣ ମିଳିବା ପରେ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ସୁଇସାଇଡ୍‌ ନୋଟ୍‌ରେ ନାମ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଅନୀଲ ସାଗରଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଘଟଣା ପରଠାରୁ ସେ ଫେରାର ରହିଥିବା ବେଳେ ଏକ ଅଜ୍ଞାତ ସ୍ଥାନରୁ ତାଙ୍କୁ ଗିରଫ କରାଯାଇଛି। ଉଭୟଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଛି ପୁଲିସ। ‌ପରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗିରଫ କରିବା ପରେ ଏହାକୁ ନେଇ ଜିଲ୍ଲାରେ ବିଭିନ୍ନ ଚର୍ଚ୍ଚା ହେଉଛି। ମୃତ ଶିକ୍ଷକଙ୍କ ପତ୍ନୀ ମମତା ପାତ୍ର ପୂର୍ବରୁ ଅଭିଯୋଗ କରିଥିଲେ ଯେ, ସମୀର ପାତ୍ର ନାମକ ଜ‌ଣେ ସାମ୍ବାଦିକ ତାଙ୍କ ସ୍ବାମୀଙ୍କୁ ବାରମ୍ବାର ହଇରା‌ଣ କରୁଥିଲେ। ଏଥପାଇଁ ସେ ମାନସିକ ଚାପରେ ରହିଥିଲେ। ଏହା ପଛରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଡିପିଇପି କାର୍ଯ୍ୟାଳୟର କିଛି କର୍ମଚାରୀ ରହିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପଣ୍ଡା ସେମାନଙ୍କୁ ପରୋକ୍ଷରେ ସାହାଯ୍ୟ କରୁଥିଲେ। ତେଣୁ ପୁଲିସ ଏହି ମାମଲା‌ରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଛନ୍ଦିଥିବା ଅନୁମାନ କରାଯାଉଛି। ଏହା ପୂର୍ବରୁ ଏହି ମାମଲାରେ ସମୀର ପାତ୍ର ଓ ଅଭିମନ୍ୟୁ ପ୍ରଧାନଙ୍କୁ ପୁଲିସ ଗିରଫ କରିଥିଲା । ଏହି ମାମଲାରେ ଆଉ କାହାର ହାତ ଅଛି ତାକୁ ନେଇ ଖୋଳତାଡ଼ ଚାଲିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe