ଦେବଗଡ଼ : ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ। ଏହି ଦାବିରେ ତିଲେଇବଣି ବ୍ଲକ୍ ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ପାରପୋଷି, ଝାରମୁଣ୍ଡା ପଞ୍ଚାୟତବାସୀ ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଥିଲେ। ଫଳରେ ଶୁକ୍ରବାର ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ବି କୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିପାରି ନଥିଲେ। ଶେଷରେ ରାଜ୍ୟ ସରକାର ପଞ୍ଚାୟତବାସୀଙ୍କ ଦୁଃଖ ଶୁଣିଛନ୍ତି। ମୋବାଇଲ୍ ଟାୱାର ନିର୍ମାଣ ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଟାୱାର ନିର୍ମାଣ ନେଇ ତତ୍ପରତା ପ୍ରକାଶ କରିଛନ୍ତି। ଆସନ୍ତା ୩ ଦିନ ମଧ୍ୟରେ ଏ ନେଇ କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ମିଳିଛି। ରାଜ୍ୟ ସରକାର ଏ ବାବଦରେ ଏକ ଘରୋଇ ଟେଲିକମ୍ ସଂସ୍ଥା ସହିତ ଆଲୋଚନା କରିଛନ୍ତି।
ଖୁବ୍ଶୀଘ୍ର ଉକ୍ତ ସଂସ୍ଥା ଟାୱାର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ୨ ମାସ ଧରି ଚାଲିଥିବା ଆନ୍ଦୋଳନ ଯଥାର୍ଥ ଥିଲା ବୋଲି ରାଜ୍ୟ ସରକାର ଅନୁଭବ କରିଛନ୍ତି। ତେବେ ଏହି ସମସ୍ୟା ଖୁବ୍ଶୀଘ୍ର ଦୂର ହେବ ବୋଲି ସୂଚନା ମିଳିବା ପରେ ଆନ୍ଦୋଳନରେ ସାମିଲ ହୋଇଥିବା ୫ ପଞ୍ଚାୟତବାସୀ ଖୁସି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଯାଇଥିବାରୁ ଏହି ପଞ୍ଚାୟତବାସୀ କିପରି ନିର୍ବାଚନରେ ଭାଗ ନେବେ ସେ ନେଇ ବିଚାରବିମର୍ଶ ଚାଲିଛି। ଖୁବ୍ଶୀଘ୍ର ସ୍ବତନ୍ତ୍ର ତାରିଖ ଘୋଷଣା କରାଯିବ ବୋଲି ଆଲୋନା ଚାଲିଛି। ତେବେ ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ହେବ।
ସୂଚନା ଅନୁଯାୟୀ ମୋବାଇଲ୍ ଟାୱାର ନିର୍ମାଣ ପ୍ରସଙ୍ଗରେ ପଞ୍ଚାୟତବାସୀ ଭୋଟ୍ ବର୍ଜନ ଚେତାବନୀ ଦେଇଥିଲେ। କୌଣସି ଆଶାୟୀ ଯେପରି ପ୍ରାର୍ଥିପତ୍ର ଦାଖଲ କରି ନପାରିବେ ସେଥିପାଇଁ ୧୭ ତାରିଖରୁ ପଞ୍ଚାୟତବାସୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। କେବଳ ଜିଲ୍ଲା ପରିଷଦ ପାଇଁ ତିନି ପ୍ରମୁଖର ଦଳ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଥିଲେ। ଶୁକ୍ରବାର ତିଲେଇବଣି ବ୍ଲକ ପରିସରରେ ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ସଂପୃକ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ନିଜ ଅଞ୍ଚଳକୁ ଯାଇ ବୈଠକ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ ବୋଲି କହିଥିଲେ।
Follow Us