ଦେବଗଡ଼ ବିଜେଡି ବିଧାନସଭା ପ୍ରାର୍ଥୀ ବଦଳିଲେ: ଅରୁନ୍ଧତୀଙ୍କ ବଦଳରେ ରୋମାଞ୍ଚରଞ୍ଜନ

ଦେବଗଡ଼ ବିଜେଡି ବିଧାନସଭା ପ୍ରାର୍ଥୀ ବଦଳିଲେ: ଅରୁନ୍ଧତୀଙ୍କ ବଦଳରେ ରୋମାଞ୍ଚରଞ୍ଜନ

ଦେବଗଡ଼: ଦେବଗଡ଼ ବିଧାନସଭା ଆସନରେ ଆଜି ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଛି। କିଛିଦିନ ପୂର୍ବରୁ ସମ୍ବଲପୁର ସାଂସଦଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ ବିଜେଡିରେ ସାମିଲ ହୋଇଥିଲେ ଏବଂ ତାଙ୍କ ନାମ ବିଧାୟକ ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଥିଲା। କିନ୍ତୁ, ଅରୁନ୍ଧତୀଙ୍କୁ ଟିକେଟ କାଟିବା ସହିତ ବିଜେଡି ରାଜ୍ୟ ସଂପାଦକ ରୋମାଞ୍ଚରଞ୍ଜନ ବିଶ୍ୱାଳଙ୍କୁ ପୁଣିଥରେ ଭରସା କରିଛି ଦଳ। ଆଜି ବିଜେଡି ପକ୍ଷରୁ ଦେବଗଡ଼ ବିଧାୟକ ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋ‌ଷଣା କରାଯାଇଛି।

ସୂଚନାଯୋଗ୍ୟଯେ, ଗତ ୨୦୧୯ ନିର୍ବାଚନରେ ମଧ୍ୟ ରୋମାଞ୍ଚ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ସେ ବିଜେପି ପ୍ରାର୍ଥୀ ସୁବାସ ପାଣିଗ୍ରାହୀଙ୍କଠାରୁ ୭,୧୦୬ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ। ପ୍ରଥମେ ଅରୁନ୍ଧତୀଙ୍କୁ ଟିକେଟ ଦେଇ ବିଜେଡି ମହିଳା କାର୍ଡ ଖେଳିଥିଲା। କିନ୍ତୁ, ଅରୁନ୍ଧତୀଙ୍କୁ ବିଭିନ୍ନ ଗ୍ରାମରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଯାହାକୁ ନେଇ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଥିବା ନେଇ ଚର୍ଚ୍ଚା ହେଉଛି। ଏପରିକି ଅରୁନ୍ଧତୀ ଦେବୀଙ୍କୁ ଟିକେଟ ମିଳିବା ପରେ ରୋମାଞ୍ଚଙ୍କ ସମର୍ଥକମାନେ ତାଙ୍କୁ ସମର୍ଥନ ଦେଇନଥିଲେ। ନିଜେ ରୋମାଞ୍ଚ ମଧ୍ୟ ଅସନ୍ତୁଷ୍ଟ ଥିଲେ। ଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଥିବାବେଳେ ରୋମାଞ୍ଚଙ୍କ ଉପରେ ଭରସା କରି ତାଙ୍କ ନାମରେ ମୋହର ମାରିଛି। ତେବେ ଆଗାମୀ ନିର୍ବାଚନରେ ରୋମାଞ୍ଚ ଅସନ୍ତୁଷ୍ଟ ନେତାଙ୍କୁ କିପରି ମନେଇ ନିର୍ବାଚନ ବୈତରଣୀ ପାର୍‌ ହେବେ ଏବଂ ଟିକେଟ କଟିବା ପରେ ଅରୁନ୍ଧତୀ ଦେବୀଙ୍କ ଭୂମିକା କ’ଣ ରହିବ ସେ ନେଇ ଚର୍ଚ୍ଚା ଲାଗି ରହିଛି। ଏନେଇ ରୋମାଞ୍ଚ ରଞ୍ଜନଙ୍କ ସହିତ ଯୋଗାଯୋଗ କରିବାରୁ ଦଳ ବିଜୟୀ ହେଲେ ଦେବଗଡ଼ ଜିଲ୍ଲାର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଅରୁନ୍ଧତୀ ଦେବୀଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe