ଦେବଗଡ଼ : ପଞ୍ଚାୟତ ନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରଦାର ଚାଲିଛି। ଏହିଭଳି ଏକ ନିର୍ବାଚନୀ ମାହୋଲ୍ରେ ଦେବଗଡ଼ ଜିଲ୍ଲା ବିଜେପିରେ ଫାଟ ନେଇ ସହରରେ ଚର୍ଚ୍ଚା ଚାଲିଛି। ସାମାଜିକ ଗଣମାଧ୍ୟମରେ ସାଂସଦଙ୍କ ପ୍ରତିନିଧି ଯୋଗେଶ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଧାମୟୀ ପଟେଲ ଓ ତାଙ୍କ ସ୍ବାମୀ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରଣଜିତ ପଟେଲଙ୍କ ବିରୋଧରେ ଅପପ୍ରଚାର କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଏହି ଅପପ୍ରଚାର ଖୋଦ୍ ସମ୍ବଲପୁର ସାଂସଦଙ୍କ ପତ୍ନୀ ରାଣୀ ଅରୁନ୍ଧତୀ ଦେବୀ ଏବଂ ତାଙ୍କର ସହଯୋଗୀ କରୁଥିବା ନେଇ ଶ୍ରୀ ପ୍ରଧାନ ଓ ପଟେଲ ଦମ୍ପତି ଅଭିଯୋଗ ଆଣିଛନ୍ତି।
ମଙ୍ଗଳବାର ଦିନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପଟେଲ ଦେବଗଡ଼ ଥାନାରେ ରାଣୀ ଅରୁନ୍ଧତୀ ଦେବୀ ଓ ତାଙ୍କ ସହଯୋଗୀଙ୍କ ନାମରେ ପୁଣି ଏକ ଏତଲା ଦେଇଥିବା ଜଣାପଡ଼ିଛି। ଏତଲାରେ ସେ ଦର୍ଶାଇଛନ୍ତି, ସ୍ବାମୀଙ୍କ ସହ ତାଙ୍କ ଫଟୋରେ ଜୋତା ମାଳ, ମୁହଁରେ କାଳି ବୋଳିବା ସହ ଫଟୋଚିତ୍ରକୁ ନିଆଁରେ ପୋଡୁଥିବା ଭଳି ଚିତ୍ର ବିଭିନ୍ନ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଆହୁରି ମଧ୍ୟ ଦୁର୍ନୀତିଗ୍ରସ୍ତ ବୋଲି ଆକ୍ଷେପ କରାଯାଇଛି। ଏହି କାରଣରୁ ଦୁହେଁ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି। ଏଥିପାଇଁ ବି ଆତ୍ମହତ୍ୟା କରିବାକୁ ବାଧ୍ୟହେବେ ବୋଲି ବି ଲିଖିତଭାବେ ଜଣାଇବା ସହ ଚେତାବନୀ ଦେଇଛନ୍ତି। ଏହି ଘଟଣାକୁ ନେଇ ଜିଲ୍ଲାରେ ଏବେ ଚର୍ଚ୍ଚା ଜୋର୍ ଧରିଛି।
ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଗତ ମାସ ୨୫ ତାରିଖ ଦିନ ଦେବଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଦେବଗଡ଼ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ, ଏହିକାରଣରୁ ବିଜେପିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପଟେଲ, ତାଙ୍କ ସ୍ୱାମୀ ରଞ୍ଜିତ ପଟେଲଙ୍କ ସହିତ ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ବଢିବାରେ ଲାଗିଛି।
Follow Us