Advertisment

ଦେବଗଡ଼ ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ, ୭ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲା ପ୍ରଶାସନ

Advertisment
ଦେବଗଡ଼ ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ, ୭ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲା ପ୍ରଶାସନ

ଦେବଗଡ଼:  ଦେବଗଡ଼ ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବାପରେ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଏବଂ ସମାଜିକ ଦୂରତା ବଜାୟ ରଖିବା ନିମନ୍ତେ ସରକାରଙ୍କ ଗାଇଡ ଲାଇନ ଅନୁସାରେ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି ।

ଏହା ଅନୁଯାୟୀ କରୋନା ପଜିଟିଭ୍ ଚିହ୍ନିତ ହୋଇଥିବା କଲଣ୍ଡା ପଞ୍ଚାୟତର ବାସୁଦେବପୁର, ଖୁଣ୍ଟାପୋଷି ହେମଲେଟ, ଝାଟିକିପୋଷି(ବଲଣ୍ଡା) ହେମଲେଟ, ସାମନ୍ତରାପାଲି, ନୂଆଗାଁ ଏବଂ କମଳା ବଗିଚା ଓ ବଣିଆକିଲିଣ୍ଡା ପଞ୍ଚାୟତର ସୁନାମୁଣ୍ଡା ଗାଁ ଗୁଡିକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏହି ଆଦେଶନାମାକୁ ଆଜିଠାରୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ଏବଂ ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । କଣ୍ଟେନମେଣ୍ଟ ଅଞ୍ଚଳକୁ ଏହି ସମୟ ମଧ୍ୟରେ ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଜାରି କରାଯାଇଛି ଏବଂ ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ଘରେ ରହିବା ପାଇଁ ସତର୍କ କରାଯାଇଛି । ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ସହିତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାପାଇଁ ନିର୍ଦେଶ ଦିଆଯାଇଛି ।

କଣ୍ଟେନମେଣ୍ଟ ଅଞ୍ଚଳର ଲୋକମାନଙ୍କୁ ଘରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ଏବଂ ସାନିଟାଇଜେସନ ନିମନ୍ତେ ତିଲେଇବଣି ବି.ଡି.ଓ. କୃଷ୍ଣଚନ୍ଦ୍ର ଦଳପତିଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ସେହିଭଳି ସ୍ୱାସ୍ଥ୍ୟସେବା  ଯୋଗାଇ ଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ପ୍ରଭାତ କୁମାର ଓଝା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନିମନ୍ତେ ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କୁ ସମସ୍ତ କାର୍ଯ୍ୟର ତଦାରଖ ଦାୟିତ୍ୱ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ତିଲେଇବଣି ବ୍ଲକ କଲଣ୍ଡା ଗ୍ରାମପଞ୍ଚାୟତ ବାସୁଦେବପୁର ଗ୍ରାମର ୩୪ ବର୍ଷିୟ ବ୍ୟକ୍ତି ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ବାସୁଦେବପୁର ଗ୍ରାମର ସମସ୍ତ ପ୍ରବେଶ ପଥକୁ ସିଲ୍ କରିଦିଆଯିବା ସଙ୍ଗେ ସଙ୍ଗେ ପୁଲିସ ପକ୍ଷରୁ ଘରୁ ନ ବାହାରିବାକୁ ଲୋକମାନଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଇଥିଲା । । ପଜିଟିଭ୍ ଚିହ୍ନିତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ହାଇଟେକ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ  କଣ୍ଟାକ୍ଟଟ୍ରେସିଂ ଜାରି ରହିଛି ଏବଂ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଆଇସୋଲେସନରେ ରଖାଯାଉଛି । ସଂପୃକ୍ତ ଅଞ୍ଚଳର ସମସ୍ତ ପରିବାର ଲୋକମାନଙ୍କର ସ୍ୱାସ୍ଥ୍ୟବସ୍ଥା ପ୍ରତି ସତର୍କ ଦୃଷ୍ଟି ରଖାଯିବା ସଂଗେ ସଂଗେ  ଗର୍ଭବତୀ ମହିଳା ଓ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe