ବିଭିନ୍ନ ସ୍କୁଲ୍‌କୁ ଡିଇଓଙ୍କ ଅଚାନକ ପରିଦର୍ଶନ: ୭ ଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ

‘ପିଲା ପାଠ ନଜାଣିଲେ ଦରମା ବନ୍ଦ’

ବିଭିନ୍ନ ସ୍କୁଲ୍‌କୁ ଡିଇଓଙ୍କ ଅଚାନକ ପରିଦର୍ଶନ: ୭ ଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଛନ୍ତି। ସ୍କୁଲରେ ଅନୁପସ୍ଥିତ ଥିବା ୪ ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଯେଉଁ ବିଦ୍ୟାଳୟର ଛାତ୍ରଛାତ୍ରୀ ପାଠ ଜାଣୁନାହାନ୍ତି ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କ‌ାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଛନ୍ତି।

ଡିଇଓ ଶ୍ରୀମତୀ ମୁର୍ମୁ ଗୁରୁବାର ପ୍ରଥମେ ଠଙ୍ଗୋ ୟୁପି ସ୍କୁଲରେ ସକାଳ ୯ଟା ୧୫ରେ ପହଞ୍ଚିଥିଲେ। ସ୍କୁଲରେ ୪ ଜଣ ଶିକ୍ଷକ ଅନୁପସ୍ଥିତ ରହିଥିବା ଦେଖି ରାଗି ଯାଇଥିଲେ। ପଚରାଉଚୁରା ପରେ ଶ୍ରୀମତୀ ମୁର୍ମୁ ସଂପୃକ୍ତ ୪ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିବାକୁ କୋମନା ବିଇଓଙ୍କୁ ନିର୍ଦେଶ ଦେଇଥିଲେ। ପରେ ବୋଡ଼େନ ବ୍ଲକ୍‌ ନାଗପଡ଼ା କଲୋନି ପ୍ରାଥମିକ ସ୍କୁଲ, ଜାମଗାଁ ୟୁପି ସ୍କୁଲ, ବୋଇରଗାଁ ୟୁପି ସ୍କୁଲ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ନିମନା ୟୁପି ସ୍କୁଲ ପରିଦର୍ଶନରେ ଯାଇଥିଲେ।

ଜାମଗାଁ ସ୍କୁଲର ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାଙ୍କୁ ମୌଳିକ ଅକ୍ଷର ଜ୍ଞାନ ବିଷୟରେ ପଚାରିଥିଲେ। ଛାତ୍ରଛାତ୍ରୀ ଏହା ଜାଣି ନଥିବାରୁ ପ୍ରଧାନ ଶିକ୍ଷକଙ୍କ ସମେତ ଦୁଇଜଣ ସହକାରୀ ଶିକ୍ଷକଙ୍କ ଦରମା ବନ୍ଦ ପାଇଁ ବିଇଓଙ୍କୁ ନିର୍ଦେଶ ଦେଇଥିଲେ। ପିଲାଙ୍କ ପାଠପଢ଼ା, ବିଦ୍ୟାଳୟ ପରିବେଶ, ବିଦ୍ୟାଳୟ ନିରାପତ୍ତା, ପୁସ୍ତକ ବଣ୍ଟନ ଏବଂ ଭିନ୍ନକ୍ଷମ ପିଲାଙ୍କ ସୁବିଧା ସୁଯୋଗ ଉପରେ ଗୁରୁତ୍ବ ଦେବାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରୀମତୀ ମୁର୍ମୁ ନିର୍ଦେଶ ଦେଇଥିଲେ। ଡିଇଓଙ୍କ ଏହି ଅଚାନକ ପରିଦର୍ଶନକୁ ନେଇ ଶିକ୍ଷକଙ୍କ ମହଲରେ ଛନକା ପଶିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe