କଟକ : ମେଡିକାଲ କଲେଜ ଡାକ୍ତରଙ୍କ ପଦୋନ୍ନତି ଓ ବଦଳି କରୋନା ସମୟରେ ଅଟକୁ ନଥିଲେ ବି ବିଭାଗୀୟ ମୁଖ୍ୟ ବା ଏଚ୍ଓଡି ରୋଟେସନ୍ ପ୍ରକ୍ରିୟାକୁ ଅଟକାଇ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗର ଏଭଳି ନିଷ୍ପତ୍ତିକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। କୋଭିଡ୍ ପରିଚାଳନାରେ ଅସୁବିଧା ଉପୁଜିବା ଆଳ ଦେଖାଇ କୋଭିଡ୍ ପାଇଁ ସମସ୍ତ ବିଭାଗୀୟ ମୁଖ୍ୟଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ (ଚିଠି ନମ୍ବର ୧୯୪୮୦/୯.୭.୨୦୨୧) ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ, ଭିମସାରର ନିର୍ଦ୍ଦେଶକ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି।
ଚିଠିରେ ଲେଖାଯାଇଛି, ବର୍ତ୍ତମାନ ରାଜ୍ୟରେ କରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ବିଭାଗୀୟ ମୁଖ୍ୟମାନଙ୍କୁ ପରିବର୍ତ୍ତନ କରାଯିବ ନାହିଁ। ଏପରିକି ଯେଉଁମାନଙ୍କ କାର୍ଯ୍ୟକାଳ ସରିଯାଇଛି ବା ସରିବାକୁ ଅଛି ସେମାନଙ୍କୁ ମଧ୍ୟ ପରିବର୍ତ୍ତନ କରାଯିବ ନାହିଁ। କରୋନା ମହାମାରୀ ସମୟରେ ବା ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ବିଭାଗ ପକ୍ଷରୁ ସମସ୍ତଙ୍କୁ ଚିଠି କରାଯାଇଛି। ଏହି ଚିଠି ପରେ ବିଭାଗୀୟ ମୁଖ୍ୟ ହେବାକୁ ଆଶା ବାନ୍ଧିଥିବା ବା ଯୋଗ୍ୟ ଥିବା ରାଜ୍ୟର ସମସ୍ତ ମେଡିକାଲ କଲେଜ ପ୍ରଫେସରଙ୍କ ମହଲରେ ଏହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି। ଯଦିଓ କେହି ଲିଖିତ ଭାବେ ଏହାର ବିରୋଧ କରି ନାହାନ୍ତି ତଥାପି ନିଜନିଜ ସ୍ତରରେ ଏଭଳି ଚିଠିକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ସୂଚନା ଅନୁସାରେ, ନାସନାଲ ମେଡିକାଲ କାଉନସିଲ୍ (ଏନ୍ଏମ୍ସି) ଗାଇଡ୍ଲାଇନ୍ ଅନୁସାରେ ଯେଉଁ ବିଭାଗରେ ଏକରୁ ଅଧିକ ପ୍ରଫେସର ବିଭାଗରେ ରହିଛନ୍ତି ସେଭଳି ସ୍ଥାନରେ ପ୍ରତି ଦୁଇ ବର୍ଷରେ ଥରେ ବିଭାଗୀୟ ମୁଖ୍ୟ (ଏଚ୍ଓଡି)ଙ୍କ ପରିବର୍ତ୍ତନ କରାଯିବ। ସେହି ଆଧାରରେ ଆଜି ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ମେଡିକାଲ କଲେଜର ପ୍ରତି ଦୁଇ ବର୍ଷରେ ଥରେ ବିଭାଗୀୟ ମୁଖ୍ୟଙ୍କ ସ୍ତରରେ ପରିବର୍ତ୍ତନ ହେଉଛି। କିନ୍ତୁ ଚଳିତ ମାସ ୯ ତାରିଖ ଦିନ ରାଜ୍ୟ ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଯୁଗ୍ମ ସଚିବ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ ଦସ୍ତଖତରେ ଡିଏମ୍ଇଟିଙ୍କଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ମେଡିକାଲ କଲେଜର ଡିନ୍ ତଥା ଅଧ୍ୟକ୍ଷଙ୍କୁ ଚିଠି ଲେଖି ବିଭାଗୀୟ ମୁଖ୍ୟଙ୍କ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ଅବଗତ କରାଇଥିଲେ।
କୋଭିଡ୍ ପରିଚାଳନା ଓ ଏବେ ଦ୍ବିତୀୟ ଲହର ଚାଲିଥିବାବେଳେ ଆଗକୁ ତୃତୀୟ ଲହର ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଏଭଳି ସ୍ଥିତିରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଆଇନ ଧାରା ୬୫(୧)(ଏ) ଆକ୍ଟ ୨୦୦୫ ଅନୁସାରେ ସରକାର କୌଣସି ବିଭାଗୀୟ ମୁଖ୍ୟଙ୍କୁ ପରିବର୍ତ୍ତନ କରିବେ ନାହିଁ। କିନ୍ତୁ ଏଭଳି ନିର୍ଦ୍ଦେଶ ଦ୍ବାରା ଯେଉଁସବୁ ବିଭାଗରେ ଏକାଧିକ ପ୍ରଫେସର ରହିଛନ୍ତି ସେହି ବିଭାଗଗୁଡିକରେ ପ୍ରଫେସରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଭଳି ନିର୍ଦ୍ଦେଶନାମା ଫଳରେ ଏସ୍ସିବି ସମେତ ରାଜ୍ୟର ସମସ୍ତ ମେଡିକାଲ କଲେଜରେ ଜୁଲାଇରୁ ଅଗଷ୍ଟ ମଧ୍ୟରେ ବଦଳିବାକୁ ଯାଉଥିବା ବିଭାଗୀୟ ମୁଖ୍ୟଙ୍କ ପରିବର୍ତ୍ତନ ଉପରେ ଅଙ୍କୁଶ ଲାଗିଛି।
Follow Us