ବଲାଙ୍ଗୀର: ବଲାଙ୍ଗୀର ସହରର ଭୂତଳ ଜଳ ଉଦ୍ବେଗଜନକ ଭାବେ ହ୍ରାସ ପାଇବାରେ ଲାଗିଛି। ସହରର ମଧୢସ୍ଥଳରେ ଥିବା ପଡ଼ାଗୁଡ଼ିକରେ ବୋର୍ୱେଲରୁ ପର୍ଯ୍ୟାପ୍ତ ପାଣି ବାହାରୁ ନାହିଁ। କିଛି ଲୋକ ସଦ୍ୟ ଖୋଳିଥିବା ବୋର୍ୱେଲରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ପ୍ରାୟ ୩ ଶହ ଫୁଟ୍ ଗଭୀର ଯାଏଁ ଖନନ କରାଯାଉଥିଲେ ହେଁ ପାଣି ଟୋପାଏ ବାହାରୁ ନାହିଁ। ଫଳରେ, ସହରରେ ଚାଲିଥିବା ବିଭିନ୍ନ ନିର୍ମାଣ କାମରେ ଭଡ଼ା ପାଣି ଟାଙ୍କି ବ୍ୟବହାର କରାଯାଉଛି। ଜଣେ ଜଣେ ଲୋକ ୪-୫ଟି ସ୍ଥାନରେ ବୋର୍ୱେଲ ଖୋଳୁଛନ୍ତି। କିନ୍ତୁ, ପାଣି ସ˚କଟ ଲାଗି ରହିଛି।
ଏଣେ ପୋଖରୀଗୁଡ଼ିକ ବ୍ୟବହାର ଅନୁପଯୋଗୀ ଥିବାରୁ ଗାଧୋଇବା ପାଇଁ ମଧୢ ଜଳାଭାବ ଲାଗି ରହିଛି। ଜିଲ୍ଲାର ସବୁ ନଦୀ ପ୍ରାୟତଃ ଶୁଖିବାକୁ ଲାଗିଛି। ଆଗକୁ ତାତି ବଢ଼ିବ ବୋଲି ପାଣିପାଗ ପୂର୍ବାନୁମାନ କହୁଛି। ଏଭଳି ସ୍ଥିତିରେ ଲୋକେ ଜଳକଷ୍ଟ ଓ ଗରମରେ ସନ୍ତୁଳି ହେବା ନିଶ୍ଚିତ। ଅନ୍ୟପକ୍ଷରେ, ବଲାଙ୍ଗୀର ଜିଲ୍ଲା ଜଳବାୟୁ ପରିବର୍ତ୍ତନର ଶିକାର ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତିନି ଦଶନ୍ଧିର ପରିସଂଖ୍ୟାନ ଦେଖିଲେ ଏହା ବାରି ହେଉଛି। ୨୫ବର୍ଷ ତଳେ ଫେବ୍ରୁଆରି ମାସରେ ଜିଲ୍ଲାର ସ୍ବାଭାବିକ ତାପମାତ୍ରା ୩୧ ଡିଗ୍ରି ଏବଂ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ରହୁଥିଲା। କିନ୍ତୁ, ଏବେ ସ୍ବାଭାବିକ ତାପମାତ୍ରା ୩୫ ଡିଗ୍ରି ଉପରକୁ ଟପିଛି। ରାତିରେ ବି ତାପମାତ୍ରା ୨୦ ଡିଗ୍ରି ଉପରେ ରହୁଛି।
Follow Us