ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ: ଗୋପାଳପୁରଠାରୁ ୬୭୦ କିମି ଓ ପାରାଦୀପଠାରୁ ୭୬୦ କିମି ଦୂରରେ

ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଆଡ଼କୁ ମୁହାଁଇଛି ବାତ୍ୟା, ୪ ତାରିଖ ସକାଳେ ସ୍ଥଳଭାଗ ଛୁଇଁବା ସମ୍ଭାବନା : ଆଇଏମଡି

ଭୁବନେଶ୍ବର: ଗତ ୬ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ୩୨ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବା ଜଣାଯାଇଛି। ଏକ ଗଭୀର ଅବପାତରେ ପରିଣତ ହୋଇଛି। ଏବଂ ଆଜି ସକାଳ ସାଢ଼େ ୫ଟାରେ କେନ୍ଦ୍ରୀଭୂତ ହେଲା। ଏହା ଏବେ କେନ୍ଦ୍ରୀୟ ଏବଂ ଦକ୍ଷିଣ ବଙ୍ଗୋପସାଗରରେ ଅବସ୍ଥିତ। ଏହା ଏବେ ବିଶାଖାପାଟନମ୍ (ଆନ୍ଧ୍ରପ୍ରଦେଶ)ର ୫୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ, ଗୋପାଳପୁର (ଓଡ଼ିଶା)ର ୬୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ପାରାଦୀପ (ଓଡ଼ିଶା)ର ୭୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବରେ ରହିଥିବାର ସୂଚନା ମିଳିଛି।

ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଏବଂ ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି, ଡିସେମ୍ବର ୪ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଆନ୍ଧ୍ରପ୍ରଦେଶ - ଦକ୍ଷିଣ ଓଡ଼ିଶା ଉପକୂଳବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାପରେ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ, ପୁନର୍ବାର ଉତ୍ତର-ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଦେଇ ଗତି କରିବ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ସ୍ଥାୟୀ ପବନର ବେଗ ୮୦ରୁ ୯୦ କିଲୋମିଟର ରହିବ। ତାପରେ ଏହା ଶହେ କିଲୋମିଟର ବେଗରେ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।। ସମ୍ଭାବ୍ୟ ବାତ୍ୟା ସ୍ଥଳ ଭାଗ ଛୁଇଁବା ନେଇ ଏବେ ବି ଦ୍ବନ୍ଦ୍ବ ରହିଛି । କିନ୍ତୁ ପୂର୍ବାନୁମାନ ଅନୁସାରେ, ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ଓଡ଼ିଶାକୁ ସବୁଠାରୁ ଅଧିକ ପ୍ରଭାବିତ କରିବ।

କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷିବା ସହ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସଂଧ୍ୟାରୁ ପ୍ରବଳରୁ ଅତିପ୍ରବଳ ବର୍ଷିବା ଆରମ୍ଭ ହୋଇଯିବ । ୪ ତାରିଖ ଦିନ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ। ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ଅତିରୁ ଅତିପ୍ରବଳ ବର୍ଷିବ । ଏପରିକି ସେଠାରେ ୨୦୦ ମିମିରୁ ଅଧିକ ବର୍ଷିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି । ଏଥିସହ ଏହି ୪ ଜିଲ୍ଲା ପାଇଁ‌ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ଯା‌ଜପୁର ଓ ମାଲକାନଗିରି ଆଦି ଜିଲ୍ଲାରେ ମଧ୍ୟ କିଛି କିଛି ସ୍ଥାନରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe