ସମିତିସଭ୍ୟରୁ ବିଧାନସଭା ଉପବାଚସ୍ପତି: ରାଜନୀତିରେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଲମ୍ବାଯାତ୍ରା

ସମିତିସଭ୍ୟରୁ ବିଧାନସଭା ଉପବାଚସ୍ପତି: ରାଜନୀତିରେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଲମ୍ବାଯାତ୍ରା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏବେ ବିଧାନସଭା ଉପବାଚସ୍ପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏହା ସମଗ୍ର କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛି। ଉପବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଆଜି ପ୍ରଥମ କରି କନ୍ଧମାଳ ଗସ୍ତରେ ଆସିଛନ୍ତି। ଶୁକ୍ରବାର ତାଙ୍କର ଜିଲ୍ଲା ଗସ୍ତ ଓ ଫୁଲବାଣୀ ଠାରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ରହିଛି। କନ୍ଧମାଳ ଭଳି ଏକ ଆଦିବାସୀ ତଥା ଦୁର୍ଗମ ଜିଲ୍ଲାର ଜଣେ ଆଦିବାସୀ ବିଧାୟକ ଉପବାଚସ୍ପତି ଆସନ ଅଳଂକୃତ କରିବା ଜିଲ୍ଲାବାସୀଙ୍କ ମନରେ ଆନନ୍ଦ ଭରି ଦେଇଛି। ଭବିଷ୍ୟତରେ ବାଚସ୍ପତିଙ୍କ ଅନୁପସ୍ଥିତିରେ ନିରପେକ୍ଷ ଭାବେ ଗୃହ ପରିଚାଳନା କରିବେ ବୋଲି ସେ କହିଛନ୍ତି।

ରାଜନୀତିରେ ସାଲୁଗା ପ୍ରଧାନଙ୍କ ଯାତ୍ରା ଘଟଣାବହୁଳ ଏବଂ ଲମ୍ବା ଅଟେ। ଶ୍ରୀ ପ୍ରଧାନ ପ୍ରଥମେ ୨୦୦୦ ମସିହା ନିର୍ବାଚନରେ ଘୁ.ଉଦୟଗିରି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ସେତେବେଳେ ବିଜେଡି-ବିଜେପି ମେଣ୍ଟ ଗଠନ ପରେ ୨୦୦୦ ନିର୍ବାଚନରେ ସାଲୁଗା ଏଠାରୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ମାତ୍ର ୨୦୦୪ ନିର୍ବାଚନରେ ସେ ପରାଜିତ ହେବା ପରେ ତାଙ୍କୁ ୨୦୦୯ ନିର୍ବାଚନରେ ଦଳୀୟ ଟିକଟ ନ ମିଳିବାରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ। ବିଜେଡି ପ୍ରାର୍ଥୀ ବି ପରାଜିତ ହୋଇଥିଲେ। ଏହାପରେ ୨୦୧୪ ନିର୍ବାଚନରେ ତାଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇ ନଥିଲା। ତେବେ ୨୦୧୯ ନିର୍ବାଚନରେ ସାଲୁଗା ପ୍ରଧାନ ଦ୍ବିତୀୟ ଥର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି।

ବର୍ତ୍ତମାନ ସେ ଘୁ.ଉଦୟଗିରି ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୦୦ ମସିହା ସାଧାରଣ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହେବା ପୂର୍ବରୁ ସେ ଦାରିଙ୍ଗିବାଡ଼ି ବ୍ଲକ୍‌ ଶ୍ରାନିକେତା ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ଦାରିଙ୍ଗିବାଡ଼ି ବ୍ଲକ୍‌ ଅଧ୍ୟକ୍ଷ ହୋଇଥିଲେ। ୧୯୯୭ ମସିହାରୁ ୨୦୦୦ ପର୍ଯ୍ୟନ୍ତ ସେ ଦାରିଙ୍ଗିବାଡ଼ି ବ୍ଲକ୍‌ ଅଧ୍ୟକ୍ଷ ଥିଲେ। ଏହା ପୂର୍ବରୁ ୧୯୯୪ ମସିହାରୁ ୧୯୯୭ ମସିହା ଯାଏ ଶ୍ରୀ ପ୍ରଧାନ ଲ୍ୟାମ୍ପସ୍‌ ସଭାପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ। କନ୍ଧମାଳ ଜିଲ୍ଲାରେ ଦଳ ଏବେ ସାଲୁଗା ପ୍ରଧାନଙ୍କ ଉପରେ ଅଧିକ ଗୁରୁତ୍ବାରୋପ କରୁଛି। ନିକଟରେ ଦଳ ପକ୍ଷରୁ ତାଙ୍କୁ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ମନୋନୀତ କରାଯାଇଥିଲା। ଜିଲ୍ଲା ବିଜେଡି ସଭାପତି ଭାବେ ଅଳ୍ପ କିଛି ଦିନ କାମ କରିବା ପରେ ତାଙ୍କୁ ଉପବାଚସ୍ପତି କରାଯାଇଛି। ଫଳରେ ସେ ଜିଲ୍ଲା ବିଜେଡି ସଭାପତି ପଦରୁ ଅବ୍ୟାହତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe