ପାଣିପାଇଁ ଭଣ୍ଡାଉଛନ୍ତି: ଚନ୍ଦନପୁରବାସୀ କଲବଲ

ପାଣିପାଇଁ ଭଣ୍ଡାଉଛନ୍ତି: ଚନ୍ଦନପୁରବାସୀ କଲବଲ

ନିରାକାରପୁର: ରାମେଶ୍ୱର ପଞ୍ଚାୟତ ଅଧୀନ ଚନ୍ଦନପୁର ଗ୍ରାମରେ ଦୀର୍ଘ ବର୍ଷେ ହେଲାଣି ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ ଦିଗରେ ବିଭାଗୀୟ ଅଧିକାରୀ ଆନ୍ତରିକତା ଦେଖାଉ ନଥିବା ଅଭିଯୋଗ ହେଉଛି। ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ପରେ ସ୍ଥାନୀୟ ଶ୍ମଶାନ ସନ୍ନିକଟରେ ବିଭାଗୀୟ ଲକ୍ଷାଧିକ ଟଙ୍କାର ବିନିମୟରେ ଏକ ବୋରିଂ କରାଯାଇଥିଲା। ସେ ଅନୁପାତରେ ମାଟି ତଳେ ମଧ୍ୟ ପାଇପମାନ ବିଛା ଯାଇଥିଲା। ଅନୁରୂପ ଭାବେ ଆବଶ୍ୟକତା ଅନୁସାରେ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ନିର୍ମାଣ କରାଗଲା। ହେଲେ ଇତି ମଧ୍ୟରେ ବର୍ଷେ ବିତି ଯାଇଥିଲେ ସୁଦ୍ଧା ସାଧାରଣତଃ ପିଇବା ପାଣି ମୁନ୍ଦେ ଅଧିବାସୀଙ୍କ ଭାଗ୍ୟରେ ଜୁଟି ପାରି ନାହିଁ। ଗ୍ରାମର ଏକମାତ୍ର ନଳକୂପ ଉପରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ବ ଗ୍ରାମବାସୀ ଭରସା କରୁଛନ୍ତି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏବେ ପ୍ରକଳ୍ପଟି ଅଧାପାନ୍ତରିଆ ପଡ଼ିରହିଛି। ପ୍ରକଳ୍ପ ଥାଇ ସୁଦ୍ଧା ଲୋକେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସ୍ଥାନୀୟ ବାସୀଙ୍କ ଅଭିଯୋଗ କ୍ରମେ ଚଳିତମାସ ଗତ ୨୪ତାରିଖରେ ‘ପାଣି ମୁନ୍ଦେ ପାଇଁ ନାକେଦମ, ଏକମାତ୍ର ନଳକୂପ ସାହା ଭରସା, ଲୋକେ ପିଉଛନ୍ତି ନଦୀ ପାଣି’ ଶୀର୍ଷକ ‘ସମ୍ବାଦ’ରେ ପ୍ରକାଶିତ ହେବା ପରେ ପର ଦିନ ଅର୍ଥାତ ୨୫ତାରିଖରେ ବିଭାଗ ପକ୍ଷରୁ ମିସ୍ତ୍ରି ଆସି ମରାମତି କରିଥିଲା। ଏହି କାର୍ଯ୍ୟ ସରିଯିବାପରେ କାଲିଠାରୁ ସୂଚାରୁ ରୂପେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ଗ୍ରାମବାସୀଙ୍କୁ କୁହାଯାଇଥିଲା। ଇତି ମଧ୍ୟରେ ୫ଦିନ ବିତିଥିଲେ ସୁଦ୍ଧା ପାଣି ଯୋଗାଣ କଥା ଦୂରେ ଥାଉ କାହାର ମଧ୍ୟ ଦେଖା ମିଳୁ ନଥିବା ଗ୍ରାମର କ୍ଷେତ୍ରବାସୀ ବେହେରା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ବୋରିଂକୁ ବର୍ଷେ ବିତିଲା, କିନ୍ତୁ ମଟର ଲଗାଯାଇ ପାରୁ ନାହିଁ। ଫଳରେ ଲୋକେ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଏନେଇ ଟାଙ୍ଗୀବ୍ଲକ ବିଭାଗୀୟ ଯନ୍ତ୍ରୀ ମଧୁସ୍ମିତା ମହାନ୍ତିଙ୍କୁ ପଚାରିବାରେ ସମସ୍ତ କାମ ତ ସରିଛି। ଲୋକେ ପାଣି ପାଇବା କଥା, ତେବେ କ’ଣ ହୋଇଛି ସେ ବିଝିକି କହିବେ ବୋଲି ନିଜ ପ୍ରତିକ୍ରିୟାରେ କହଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe