ଭୁବନେଶ୍ୱର:  ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ସମ୍ଭାବ୍ୟ ବାତ୍ୟା ଜନିତ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳ ସଂପଦ ବିଭାଗ ପକ୍ଷରୁ ପ୍ରସ୍ତୁତି ନେଇ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏକ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ଆଜି ସଂଧ୍ୟାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ  ଉପସ୍ଥିତ ଥିଲେ।  
Advertisment

ଜଳଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ

ବାତ୍ୟା ଫଳରେ ଲଘୁଚାପ ଜନିତ ବର୍ଷାକୁ ନେଇ ରାଜ୍ୟର ବିଭିନ୍ନ ଅବବାହିକାରେ ଥିବା ଜଳଭଣ୍ଡାର ସ୍ଥିତିକୁ ନିକଟରୁ ଅନୁଧ୍ୟାନ କରିବାକୁ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ଲଗାଣ ବର୍ଷା ଫଳରେ ବିଭିନ୍ନ ଜଳ ଭଣ୍ଡାରରେ ଜଳପତ୍ତନ ପରିମାଣ କେତେ ବୃଦ୍ଧି ଘଟୁଛି। ଏହାର ବାସ୍ତବତାକୁ ଦେଖି ସଠିକ ଆକଳନ କରି ଯୋଜନା ଓ ସୁନିୟନ୍ତ୍ରିତ ଭାବେ ଜଳ ନିଷ୍କାସନ ତଥା ଜଳ ପରିଚାଳନା  କରିବାକୁ ସେ  ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ସମସ୍ତ ନଦୀରେ ଜଳସ୍ତର କମ୍ ରହିଛି। ତେଣୁ ସଂପ୍ରତି ଲଗାଣ ବର୍ଷା ଜନିତ ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ତେବେ ସ୍ଥିତିକୁ ଦେଖି ବିଭାଗ ତଥା କ୍ଷେତ୍ର ସ୍ତରରେ ଥିବା ସମସ୍ତ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ସତର୍କ ରହି କାର୍ଯ୍ୟ କରିବାକୁ ଉନ୍ନୟନ କମିଶନର ଏହି ପରିପ୍ରେକ୍ଷୀରେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। 

ଏସ୍‌ଆରସି ପକ୍ଷରୁ ଚେତାବନୀ

ଏସ୍‌ଆରସି ପକ୍ଷରୁ କୁହାଯାଇଛି ଯେ, ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକୁ ଅଧିକ ସତର୍କ ରହିବାକୁ ହେବ। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। କୁଆପଥର ମାଡ଼ ଓ ବଜ୍ରପାତରୁ ନିଜକୁ ସୁରକ୍ଷା କରିବା ପାଇଁ ସୁରକ୍ଷିତ ସ୍ଥାନକୁ ଆଶ୍ରୟସ୍ଥଳୀ ଭାବେ ବାଛନ୍ତୁ। ଅକ୍ଟୋବର ୨୬ ତାରିଖ ଠାରୁ ୨୯ ପର୍ଯ୍ୟନ୍ତ ସମୁଦ୍ର ଅସ୍ଥିର ରହିବ। ସମ୍ଭାବିତ ବାତ୍ୟା ସମୟରେ ଅକ୍ଟୋବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ  ପବନର ବେଗ ଘଣ୍ଟା ପିଛା ୩୫ରୁ ୬୦ କିମି ରହିବ। ଏହା ଘଣ୍ଟା ପିଛା ସର୍ବାଧିକ ୭୦କିମି ହୋଇପାରେ।

ଆହୁରି ପଢ଼ନ୍ତୁ: Bureaucrat Suspended: ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀଙ୍କୁ ହାତ ଉଠାଇବା ମାମଲାରେ ଏସ୍‌ଡିଏମ୍‌ ନିଲମ୍ବିତ

କ’ଣ କହୁଛି ପାଣିପାଗ ବିଭାଗ?

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମନୋରମା ନିର୍ଦ୍ଦେଶିକା ମହାପାତ୍ର କହିଛନ୍ତି, ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଆନ୍ତୁ ନାହିଁ। ବିପର୍ଯ୍ୟୟ ପରେ ବିଭାଗୀୟ ଅଧିକାରୀମାନେ ସରକାରଙ୍କୁ ତୁରନ୍ତ ରିପୋର୍ଟ ପ୍ରଦାନ କରନ୍ତୁ। ସମ୍ଭାବିତ ବାତ୍ୟାର ପ୍ରଭାବ ଆନ୍ଧ୍ର ପ୍ରଦେଶ ଉପରେ ପଡ଼ିପାରେ। ୨୭ ତାରିଖରେ ଓଡ଼ିଶାର ଗୋଟିଏ ଦୁଇଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୨୮ରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।