ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ

Advertisment
ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର : ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଗୁରୁବାର ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ କେତେକ ଆକାଂକ୍ଷୀ ପ୍ରକଳ୍ପ ବୁଲି ଦେଖିଥିଲେ। ସେ ସୁବର୍ଣ୍ଣପୁରରୁ ଆସିବା ରାସ୍ତାରେ ପ୍ରଥମେ ହୁମା ବକ୍ର ମନ୍ଦିର ଯାଇ ବିମଳେଶ୍ବର ବାବାଙ୍କ ଦର୍ଶନ କରିଥିଲେ। ହୁମା ମନ୍ଦିର ମହାନଦୀ (ମଛିନ୍ଦ୍ର) ଘାଟ ପରିଦର୍ଶନ କରି ସେଠାକାର ଉନ୍ନୟନ ସଂପର୍କରେ ଟ୍ରଷ୍ଟ ସଦସ୍ୟଙ୍କ ସହ ଅନୌପଚାରିକ ଆଲୋଚନା କରିଥିଲେ। ଅପରାହ୍‌ଣରେ ପ୍ରଥମେ ସେ ସମ୍ବଲପୁର ମହାନଗର ଅନ୍ତର୍ଗତ ନକ୍ସାପାଲି ଗାଁକୁ ଯାଇ ଯୁବ କୃଷି ଉଦ୍ୟୋଗୀ ଅଭିରାଜ ସରାଫ ୧.୬ କୋଟି ଟଙ୍କା ବ୍ୟୟରେ କରିଥିବା ଛତୁ ଚାଷ ପ୍ରକଳ୍ପ ବୁଲି ଦେଖିଥିଲେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଅଭିରାଜଙ୍କୁ ସହାୟତା ଓ ରିହାତି ପ୍ରଦାନ କରାଯାଇଛି।

ଏହାପରେ ଶ୍ରୀ ତ୍ରିପାଠୀ ମାନେଶ୍ବର ବ୍ଲକ୍ ଜୟଘଣ୍ଟକୁ ଯାଇ ଦୀପକ ମିଶ୍ରଙ୍କ ୫୦ ହଜାର କ୍ଷମତା ବିଶିଷ୍ଟ କୁକୁଡ଼ା ଫାର୍ମ ବୁଲି ଦେଖିଥିଲେ। ଏହି ପ୍ରକଳ୍ପରେ ୪ କୋଟି ଟଙ୍କାର ପ୍ରାରମ୍ଭିକ ନିବେଶ କରାଯାଇଛି। ଏଥିରେ ଜିଲ୍ଲା ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ଆବଶ୍ୟକ ସହଯୋଗ କରାଯାଉଛି। ପରେ ଶ୍ରୀ ତ୍ରିପାଠୀ ସହର ଉପକଣ୍ଠ ବଲବସପୁର ଯାଇ ହୀରାକୁଦ ଜଳଭଣ୍ଡାରରେ ସ୍ବୟଂସହାୟକ ଗୋଷ୍ଠୀମାନଙ୍କ ପରିଚାଳିତ ପଞ୍ଜୁରି ମାଛ ଚାଷ ପ୍ରକଳ୍ପ ଦେଖି ଆନନ୍ଦ ବ୍ୟକ୍ତ କରିଥିଲେ। ଏଭଳି ଉଦ୍ୟମ ପାଇଁ ସେ ମହିଳା ଗୋଷ୍ଠୀଙ୍କ ପ୍ରଶଂସା କରିଥିଲେ। ଧାନ ବ୍ୟତୀତ କିଭଳି ଅନ୍ୟ ଅର୍ଥକାରୀ କୃଷି ବଳରେ ଚାଷୀ ମାନେ ଆର୍ଥିକ ଭାବେ ଅଧିକ ସୁଦୃଢ ହୋଇ ପାରିବେ ସେ ଦିଗରେ ଉଦ୍ୟମ କରିବାକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଆହ୍ବାନ ଦେଇଥିଲେ।

ଶେଷରେ ଶ୍ରୀ ତ୍ରିପାଠୀ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ପହଞ୍ଚି କୁଳପତିଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ଅନୁଷ୍ଠାନର ୧୮ ଜଣ ପୁରାତନ ବିଦ୍ୟାର୍ଥୀଙ୍କୁ ‌ସମ୍ବର୍ଦ୍ଧିତ କରା ଯାଇଥିଲା। ତେବେ ଗଂଗାଧର ମେହେର ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ନିର୍ମାଣାଧୀନ ପ୍ରେକ୍ଷାଳୟର ସମୀକ୍ଷା କାର୍ଯ୍ୟକ୍ରମ ବାତିଲ ହୋଇ ଯାଇଥିଲା। ଶ୍ରୀ ତ୍ରିପାଠୀଙ୍କ ଗସ୍ତ ସମୟରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ, ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍‌ପି ବି. ଗଙ୍ଗାଧର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ବଳ, ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ ମିଶ୍ର ଓ ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe