ଦେବଗଡ଼/ଅନୁଗୁଳ: ବାରକୋଟ ବ୍ଲକ୍ ବମ୍ପରଡ଼ାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଦୀର୍ଘ ୨୫ ବର୍ଷ ଧରି ବିଜେଡିର ଶାସନରେ ଦେବଗଡ଼ ଜିଲ୍ଲା ଅବହେଳିତ ଅବସ୍ଥାରେ ରହିଥିବା ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ବାରକୋଟ ବ୍ଲକ୍ର ଲୋକଙ୍କ ତ୍ୟାଗ ଦ୍ବାରା ରେଙ୍ଗାଲି ଡ୍ୟାମ୍ ହେବାପରେ ବି ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାରେ ଜଳସେଚନର ସୁବ୍ୟବସ୍ଥା ହୋଇପାରିନାହିଁ। ସେହିପରି ଜଳସେଚନ ଲକ୍ଷ୍ୟରେ ବାରକୋଟ ବ୍ଲକରେ ରାଜାରାଜୁଡ଼ା ସମୟରୁ ନିର୍ମିତ ଡିପି କେନାଲ ପୁନରୁଦ୍ଧାର ଅଭାବରୁ ବର୍ତ୍ତମାନ ପୋତି ହୋଇଗଲାଣି। ଜିଲ୍ଲାରେ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର ବି ବଡ଼ ସମସ୍ୟା ହୋଇ ହୋଇଛି। କିଛି ବାହାର ରାଜ୍ୟର ଲୋକ ଓଡ଼ିଶାକୁ ଲୁଟ କରିବାକୁ ଷଡ୍ଯନ୍ତ୍ର କରୁଛନ୍ତି। ଏହା ବିରୋଧରେ ଲୋକମାନେ ଭୋଟ ଦେଇ ରାଜ୍ୟରେ ଏକ କଲ୍ୟାଣକାରୀ ଓ ନିର୍ଣ୍ଣାୟକ ସରକାର ଗଠନ କରିବାର ସମୟ ଆସିଛି। ଏଥର ଦେବଗଡ଼ ଜିଲ୍ଲାର ଯୁବକ ଯୁବତୀଙ୍କ ସ୍ବାର୍ଥକୁ ସୁରକ୍ଷିତ ରଖିବା ପାଇଁ ବିଜେପି ସରକାର ଆସିବା ଦରକାର ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ଜଳଦସ୍ୟୁ ଓଡ଼ିଶାକୁ ମାଡ଼ି ବସିଛି। କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଦେବଗଡ଼ ଆସିଥିଲେ ହେଁ ଯାହା କହିବା କଥା ଭୁଲିଗଲେ। ପରେ ସେ ଏକ ଭିଡିଓ କରିଥିଲେ। କିନ୍ତୁ, ଭିଡିଓରେ ମୁଖ୍ୟମନ୍ତ୍ରୀ ଥିଲେ ହେଁ ରିମୋଟ୍ଟି ଥିଲା ତାଙ୍କ ଗୁମାସ୍ତାଙ୍କ ପାଖରେ ଥିଲା ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନିଜ ଏବଂ ବିଧାୟକ ପ୍ରାର୍ଥୀ ସୁବାସ ପାଣିଗ୍ରାହୀଙ୍କ ପାଇଁ ଭୋଟ୍ ନିବେଦନ କରିଛନ୍ତି। ବିଜେପି ଜିଲ୍ଲା ସଭାପତି ଅରୁଣ ସାହୁଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସୁଧୀର କପରଦାର, ବରିଷ୍ଠ ବିଜେପି ନେତା ହରମୋହନ ପାଣି, ଜିଲ୍ଲା ସରପଞ୍ଚ ସଂଘ ସଭାପତି ସତ୍ୟ ନାରାୟଣ ପାଣି, ସାଧାରଣ ସଂପାଦକ ସଚୀକାନ୍ତ ଦାଶ, ମୀନକେତନ ପ୍ରଧାନ, ଫକିର ପ୍ରଧାନ, ଯୋଗେଶ ଚନ୍ଦ୍ର ପ୍ରଧାନଙ୍କ ସହ ବହୁ ନେତା ମଞ୍ଚାସୀନ ଥିଲେ। ଜିଲ୍ଲା ଉପସଭାପତି ଭାରତ ଭୂଷଣ ପ୍ରଧାନ ସଭା ପରିଚାଳନା କରିଥିଲେ। ଏହି ମିଶ୍ରଣ ପର୍ବରେ ପ୍ରକାଶ ଆଚାର୍ଯ୍ୟ ଓ ଶରତ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ରିଆମାଳ ବ୍ଲକ ତାରଙ୍ଗ ପଞ୍ଚାୟତର ବହୁ ଯୁବକ ବିଜେପିରେ ସାମିଲ ହୋଇଥିଲେ।
Follow Us