ଭକ୍ତଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିର ମନା; ଅଢ଼େଇ ବର୍ଷ ବିତିଲା, ବର୍ଷକୁ ଖୋଲୁଛି ୯ ଦିନ

Advertisment
ଭକ୍ତଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିର ମନା; ଅଢ଼େଇ ବର୍ଷ ବିତିଲା, ବର୍ଷକୁ ଖୋଲୁଛି ୯ ଦିନ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରର ମାହାତ୍ମ୍ୟ ଅନେକ। ଏହା ମହାପ୍ରଭୁଙ୍କ ଜନ୍ମବେଦି, ବାଲ୍ୟ ଲୀଳାଭୂମି। ଏଣୁ ପୂର୍ବରୁ ଦୈନିକ ବହୁ ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିବା ସହ ଆଡ଼ପ ମଣ୍ଡପକୁ ସ୍ପର୍ଶ କରି ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରୁଥିଲେ। କିନ୍ତୁ କୋଭିଡ୍‌ ଆଳରେ ଗତ ଅଢ଼େଇ ବର୍ଷ ହେବ ଏଠାରେ ତାଲା ଝୁଲୁଛି। କେବଳ ରଥଯାତ୍ରା ସମୟରେ ୯ ଦିନ ଛାଡ଼ିଦେଲେ, ବାକି ବର୍ଷ ତମାମ ତାଲା ଝୁଲୁଛି। ଯାହା ଭକ୍ତଙ୍କ ମହଲରେ ଅସନ୍ତୋଷ ଭରି ଦେଇଛି। ଅନ୍ୟପଟେ ଆସନ୍ତା ୪ ତାରିଖ ପରିଚାଳନା କମିଟି ବୈଠକରେ ଏ ଉପରେ ଆଲୋଚନା ହୋଇପାରେ ବୋଲି ଜଣାପଡ଼ିଛି। ପରିଚାଳନା କମିଟି ସଦସ୍ୟ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ସପକ୍ଷରେ ମତ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
୨୦୨୦ ମସିହାରେ କୋଭିଡ୍‌ ମହାମାରୀର ଭୟାବହତା ଓ ରାଜ୍ୟ ସରକାରଙ୍କ କୋଭିଡ୍‌ ନିର୍ଦ୍ଦେଶନାମା ପରେ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରି ଦେଇଥିଲା। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶରେ କଟକଣା ଲାଗିଥିଲା। କେବଳ ନୀତି ସମ୍ପୃକ୍ତ ସେବକଙ୍କୁ ଛାଡ଼ିଦେଲେ, ଅନ୍ୟମାନଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ ରୋକ୍‌ ଲାଗିଥିଲା।

କୋଭିଡ୍‌ ପାଇଁ ଭକ୍ତଙ୍କ ପ୍ରବେଶରେ ଲାଗିଥିଲା କଟକଣା
ମରାମତି ପାଇଁ ଏ ବର୍ଷ ଖୋଲିବନି: ଉନ୍ନୟନ ପ୍ରଶାସକ

publive-image BhaktiBharat.com

ଶ୍ରୀମନ୍ଦିର ସହ ସେ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ବି କୋଭିଡ୍‌ ସଂକ୍ରମଣ ପାଇଁ ବନ୍ଦ କରି ଦିଆଯାଇଥିଲା। ଯେହେତୁ ଭକ୍ତମାନେ ଦର୍ଶନ ପାଇଁ ଶ୍ରୀମନ୍ଦିର ସହ ଶ୍ରୀଗୁଣ୍ଡିଚା ମନ୍ଦିର ଯାଉଥିଲେ, ସେ ଦୃଷ୍ଟିରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ତାଲା ପକାଇ ଦିଆଯାଇଥିଲା। ଇତିମଧ୍ୟରେ କୋଭିଡ୍‌ର ପୂର୍ବ ଭୟାବହତା ହ୍ରାସ ପାଇଛି। ରାଜ୍ୟ ସରକାର ବି କୋଭିଡ୍‌ ସମ୍ପର୍କିତ ପୂର୍ବ ନିର୍ଦ୍ଦେଶନାମା ହଟାଇ ନେଇଛନ୍ତି। ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ସ୍ବାଭାବିକ ଚାଲିଛି। କିନ୍ତୁ କେବଳ ରଥଯାତ୍ରାର ୯ ଦିନ ଛାଡ଼ିଦେଲେ, ୨୦୨୦ ମସିହାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ତାଲା ଝୁଲୁଛି। ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲା ସମୟରେ ଭକ୍ତମାନେ ମନ୍ଦିର ବୁଲିବା ସହ ଆପଡ଼ପଣ୍ଡମ ଦର୍ଶନ ଓ ସ୍ପର୍ଶ କରିବାର ସୁଯୋଗ ପାଇଥାନ୍ତି। ରୋଷଘର ବୁଲି ଦେଖିବାର ସୁଯୋଗ ପାଇଥାନ୍ତି। ପରେ ଶରଧାବାଲି ମୁଣ୍ଡରେ ମାରି ଘରକୁ ଫେରିଥାନ୍ତି। କିନ୍ତୁ ଅଢ଼େଇ ବର୍ଷ ହେଲାଣି ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ ରହିଥିବାରୁ ଏଥିରେ ବଞ୍ଚିତ ହେଉଛନ୍ତି ଭକ୍ତ।

publive-image

ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ସମ୍ପୃକ୍ତ ସେବାୟତମାନେ ଗୁଣ୍ଡିଚା ମନ୍ଦିରର ଅନେକ ସ୍ଥାନର ମରାମତି ପ୍ରସଙ୍ଗ ଉଠାଇଥିଲେ। ବିଶେଷ କରି ପହଣ୍ଡି ବାଟ ଠିକ୍‌ ନ ଥିବାରୁ ଶ୍ରୀଅଙ୍ଗ ନଷ୍ଟ ହେଉଛି ବୋଲି ମତ ଦେଇଥିଲେ। ଏହି ଦୃଷ୍ଟିରୁ ପହଣ୍ଡି ବାଟର ଚଟାଣ ପଥର ସବୁ ପରିବର୍ତ୍ତନ କରାଯିବ। ନାଟମଣ୍ଡପ ବିମ୍‌ ବି କଳଙ୍କି ଲାଗିଯାଇଥିବାରୁ ଏହା ପରିବର୍ତ୍ତନ ହେବ। ନୂଆ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବିମ୍‌ ଲାଗିବ। ଏହାସହ ଆହୁରି ବହୁ ମରାମତି କାମ ରହିଥିବାରୁ ଚଳିତବର୍ଷ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ସମ୍ଭବ ହେବନାହିଁ। ତଥାପି ଆସନ୍ତା ୪ ତାରିଖ ପରିଚାଳନା କମିଟି ବୈଠକ ପରେ ଯାହା କିଛି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe