୨୨ରୁ ପୁରୀକୁ ଆସିବେ ସବୁ ନିର୍ବାଚନମଣ୍ଡଳୀରୁ ଭକ୍ତ: ଦେବେ ଅକ୍ଷତ ଓ ଗୁଆ

ଦେଖିବେ ପରିକ୍ରମା ପ୍ରକଳ୍ପ, ଅକ୍ଷତ,ଗୁଆ ପାଇଁ ସ୍ବତନ୍ତ୍ର ଗୃହ

୨୨ରୁ ପୁରୀକୁ ଆସିବେ ସବୁ ନିର୍ବାଚନମଣ୍ଡଳୀରୁ ଭକ୍ତ: ଦେବେ ଅକ୍ଷତ ଓ ଗୁଆ

Jagannath Dham

ପୁରୀ: ଲୋକାର୍ପିତ ହୋଇଯାଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଜାନୁଆରି ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭକ୍ତଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ। ଏ ଭିତରେ ଲୋକାର୍ପିତ ଏହି ପ୍ରକଳ୍ପ ଦେଖିବାକୁ ଭକ୍ତଙ୍କ ମହଲରେ ଉତ୍କଣ୍ଠା ବଢ଼ିଛି। ଏହି ଉତ୍କଣ୍ଠାକୁ ପୂରଣ ସହ ଜନମାନସରେ ଆଧ୍ୟାତ୍ମିକ ଜାଗରଣ ପାଇଁ ୧୪୭ ନିର୍ବାଚନମଣ୍ଡଳୀରୁ ଭକ୍ତଙ୍କୁ ଆଣି ପ୍ରକଳ୍ପ ଦେଖାଇବାକୁ ଯୋଜନା କରିଛନ୍ତି ସରକାର। ଜାନୁଆରି ୨୨ ତାରିଖରୁ ପ୍ରତି ନିର୍ବାଚନମଣ୍ଡଳୀରୁ ୧୦ହଜାରରୁ ଅଧିକ ଲୋକ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବେ। ସାଙ୍ଗରେ ଆଣିଥିବା ଅକ୍ଷତ ଓ ଗୁଆ ସ୍ବତନ୍ତ୍ର ସଂଗ୍ରହ ସ୍ଥାନରେ ପ୍ରଦାନ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅକ୍ଷତ ଓ ଗୁଆ ସଂଗ୍ରହ ପାଇଁ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟରେ ଶ୍ରୀଦାଣ୍ଡ କଡ଼ରେ ଏକ ସ୍ବତନ୍ତ୍ର ଗୃହ ନିର୍ମାଣ ହୋଇଛି। ଯେଉଁଠି ଏକାଧିକ ବାଉଁଶର ବଡ଼ ବଡ଼ ବେତା ପ୍ରସ୍ତୁତ କରି ରଖାଯାଇଛି। ଏହି ଗୃହକୁ ସମ୍ପୂର୍ଣ୍ଣ ପାରମ୍ପରିକ ଭାବେ ସଜ୍ଜିତ କରାଯାଇଛି। ସୂଚନାଯୋଗ୍ୟ, ସଂଗୃହୀତ ଚାଉଳ ଓ ଗୁଆ ସୁଆର ମହାସୁଆର ନିଯୋଗ ଗ୍ରହଣ କରିବ। ନିଯୋଗ ଏଥିରେ ଖେଚେଡି ଅବା ଏକବର୍ଣ୍ଣି ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବ। କିଛି ଚାଉଳ ପିଠା ପ୍ରସ୍ତୁତି ଓ ମୁରୁଜ କାମରେ ବି ବ୍ୟବହାର ହେବ। କିନ୍ତୁ ପ୍ରଥମେ ଅରୁଆ ଓ ଉଷୁନା ଚାଉଳ ଦେଖି ଏହି ବ୍ୟବସ୍ଥା ହେବ ବୋଲି ନିଯୋଗ ସଂପାଦକ ନାରାୟଣ ମହାସୁଆର କହିଛନ୍ତି। ସେପଟେ ଗୁଆ ଶ୍ରୀମନ୍ଦିର ହଡ଼ପ ନାୟକ ନିଯୋଗକୁ ପ୍ରଦାନ କରାଯିବ। ଏହା ମହାପ୍ରଭୁଙ୍କ ବିଡିଆ ପାନରେ ବ୍ୟବହାର କରାଯିବ ବୋଲି ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe